ବିହନ ପାଇଁ ସର୍ଭର ଅଡ଼ୁଆ, ନିଗମ ଆକାଉଣ୍ଟରେ ୨ କୋଟି ରିହାତି ଜମା କଲା କୃଷି ବିଭାଗ

ଚାଷୀର ତଥ୍ୟ ପ୍ରଦାନ ନେଇ ନିଗମ କୁନ୍ଥକୁନ୍ଥ

ଭୁବନେଶ୍ବର : ଧାନ ବିହନ ବିକ୍ରି ରିହାତି ବାବଦରେ ବିହନ ନିଗମର ଆକାଉଣ୍ଟରେ ୨ କୋଟି ୯୬ ଲକ୍ଷ ଟଙ୍କା ଜମା କରିଛି କୃଷି ବିଭାଗ। ମେ’ ୩୧ ତାରିଖ ସୁଦ୍ଧା ବିହନ କ୍ରୟ କରିଥିବା ଚାଷୀଙ୍କ ଉଦ୍ଦେଶ୍ୟରେ ଏହି ଟଙ୍କା ଜମା ହୋଇଥିବା କୃଷି ବିଭାଗ କହିଛି। ବାକି ୪.୫ କୋଟି ଟଙ୍କା ଖୁବ ଶୀଘ୍ର ଜମା ହେବ। ଏନଆଇସି ସର୍ଭର ସମସ୍ୟା ଯୋଗୁଁ ଟଙ୍କା ଜମା ବିଳମ୍ବିତ ହୋଇଛି। ଆଗାମୀ ଦିନରେ ସ୍ବାଭାବିକ ରହିବ ବୋଲି ଆଶା କରିଛି ବିଭାଗ। ଅନ୍ୟଦିଗରେ ବିହନ ନିଗମ କେତେ ଜଣ ଚାଷୀଙ୍କୁ ଏହି ଟଙ୍କା ପ୍ରଦାନ କରିଛନ୍ତି ସେ ସମ୍ପର୍କରେ ସ୍ପଷ୍ଟ କରି ନାହିଁ। ବିହନ ନିଗମ ପକ୍ଷରୁ କୃଷି ବିଭାଗକୁ ଆହୁରି ୨୨ କୋଟି ଟଙ୍କା ଜମା କରିବାକୁ କୁହାଯାଇଥିବା ଜଣାପଡ଼ିଛି।

ଚଳିତ ବର୍ଷ ୪ ଲକ୍ଷ କ୍ବିଣ୍ଟାଲ ଧାନ ବିହନ ବିକ୍ରୟର ଟାର୍ଗେଟ କରିଛି କୃଷି ବିଭାଗ। ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୩୮ ହଜାର କ୍ବିଣ୍ଟାଲ ବିହନ ବିକ୍ରି ସରିଛି, ଯାହାକି ଗତବର୍ଷ ଠାରୁ କମ। ପ୍ୟାକ୍ସ କିମ୍ବା ଏଜେଣ୍ଟ ବଦଳରେ ଚଳିତ ବର୍ଷ ପ୍ରଥମ କରି ଡିବିଟି ବ୍ୟବସ୍ଥା ମାଧ୍ୟମରେ ସିଧାସଳଖ ଚାଷୀଙ୍କ ଆକାଉଣ୍ଟରେ ରିହାତି ଟଙ୍କା ଜମାର ବ୍ୟବସ୍ଥା ହୋଇଛି। ରାଜ୍ୟ ୬ ହଜାରରୁ ଅଧିକ ଗାଁରେ ନେଟଓ୍ବର୍କ ନାହିଁ, ଅନେକ ଚାଷୀଙ୍କ ମୋବାଇଲ ନାହିଁ ଆହୁରି ଅନେକ ଚାଷୀ ଅଛନ୍ତି ଯେଉଁମାନେ ମୋବାଇଲର ଜଟିଳ ପ୍ରକ୍ରିୟା ନେଇ ମଧ୍ୟ ଅନଭିଜ୍ଞ। ଏଭଳି ସ୍ଥିତିରେ ଚାଷୀ ବିହନ କ୍ରୟ ନେଇ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଏଥିଯୋଗୁଁ ଲଗାତାର ଭାବରେ ଗତବର୍ଷ ତୁଳନାରେ କମ ସଂଖ୍ୟକ ଧାନ ବିହନ ବିକ୍ରୟ ହୋଇଛି। ଏପରିକି ବିହନ କ୍ରୟର ୨ରୁ୩ ଦିନ ମଧ୍ୟରେ ରିହାତି ଟଙ୍କା ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଉଥିଲା, ମାତ୍ର ୧୦ରୁ ୧୫ ଦିନ ପରେ ମଧ୍ୟ ଟଙ୍କା ଜମା ନହେବା ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିଲା। ଏହାକୁ ନେଇ କିଛି ଚାଷୀ ବିଭିନ୍ନ ଜିଲ୍ଲାର କୃଷି ଅଧିକାରୀଙ୍କ ଦ୍ବାରସ୍ଥ ହୋଇଥିଲେ। ନେଟଓ୍ବର୍କ ଯୋଗୁଁ ବିହନ କ୍ରୟ ପ୍ରଭାବିତ ହେଉଥିବା କୃଷି ବିଭାଗ ମଧ୍ୟ ସ୍ବୀକାର କରିଛି। ଏଥିଯୋଗୁଁ ପଦସ୍ଥ ଅଧିକାରୀମାନେ ବିଭିନ୍ନ ଜିଲ୍ଲାର ସ୍ଥିତି ସମୀକ୍ଷା କରିଥିଲେ। ନେଟୱାର୍କ ନଥିବା ଅଞ୍ଚଳର ହିତାଧିକାରୀଙ୍କୁ ରିହାତି ସୁବିଧା ପ୍ରଦାନ ଦାୟିତ୍ବ ସ୍ଥାନୀୟ କୃଷି ବିଭାଗ ଏବଂ କୃଷି ସାଥୀଙ୍କୁ ଦିଆଯାଇଛି।

ସମ୍ବନ୍ଧିତ ଖବର