ଭୁବନେଶ୍ବର: ଏଣିକି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟଗୁଡ଼ିକରେ ସରପଞ୍ଚ, ପଞ୍ଚାୟତ ନିର୍ବାହୀ ଅଧିକାରୀ, କନିଷ୍ଠ ଯନ୍ତ୍ରୀ, ଗ୍ରାମ ରୋଜଗାର ସେବକ ଓ ଆକାଉଣ୍ଟାଣ୍ଟ କମ୍ ଡାଟା ଏଣ୍ଟ୍ରି ଅପରେଟର୍ମାନଙ୍କ ପାଇଁ ସ୍ୱତନ୍ତ୍ର ରୁମ୍ ରହିବ। ଅର୍ଥାତ୍ ପଞ୍ଚାୟତର ସମସ୍ତ ସେବା ଗୋଟିଏ ଜାଗାରେ ହିଁ ମିଳିବ। ଏଣିକି ପଞ୍ଚାୟତ କାର୍ଯ୍ୟାଳୟଗୁଡ଼ିକ ୱାନ୍ ଷ୍ଟପ୍ ସର୍ଭିସ୍ ସେଣ୍ଟର ଭାବେ କାର୍ଯ୍ୟ କରିବ। ଏହି ଉଦ୍ଦେଶ୍ୟରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆପଡ଼ା, କଳାହାଣ୍ଡିଜିଲ୍ଲା ବ୍ୟତୀତ ୨୮ଟି ଜିଲ୍ଲାରେ ୪୭୧ଟି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ (ପଞ୍ଚାୟତ ଭବନ)ର ଶିଳାନ୍ୟାସ କରିଛନ୍ତି।
ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଭାସୀ ମାଧ୍ୟମରେ ଏହି ପ୍ରକଳ୍ପର ଶିଳାନ୍ୟାସ କରି କହିଛନ୍ତି ଯେ ଶାସନ ନୁହେଁ, ସେବା ହିଁ ଆମ ସରକାରଙ୍କର ମୂଳମନ୍ତ୍ର। ଏଥିପାଇଁ ଆମେ ଗ୍ରାମପଞ୍ଚାୟତଗୁଡ଼ିକୁ ଜନକଲ୍ୟାଣ ଓ ଲୋକସେବାର କେନ୍ଦ୍ର ଭାବେ ବିକଶିତ କରୁଛୁ। ପ୍ରତ୍ୟେକ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଭାଗିତାରେ ୩୫ ଲକ୍ଷ ଟଙ୍କା ଲେଖାଏଁ ଖର୍ଚ୍ଚ କରାଯିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଅନ୍ତ୍ୟୋଦୟ ଗୃହ ଯୋଜନାରେ ୨୮ଟି ଜିଲ୍ଲାର ୪୮୬୯୩ ଜଣ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ବାବଦକୁ ୪୦ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିଛନ୍ତି। ଏହି ଦୁଇଟି ଯୋଜନା ଗ୍ରାମାଞ୍ଚଳରେ ସୁଶାସନକୁ ଆହୁରି ଦକ୍ଷ ଓ ସୁଦୃଢ଼ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏଣିକି ପଞ୍ଚାୟତର ସବୁ ସେବା ଗୋଟିଏ ଜାଗାରେ
ଗ୍ରାମୀଣ ଶାସନର ମୂଳ କେନ୍ଦ୍ର ହେବ ପଞ୍ଚାୟତ ଭବନ: ପଞ୍ଚାୟତିରାଜ ମନ୍ତ୍ରୀ
୪୭୧ଟି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟର ଭୂମି ପୂଜନ
୪୮,୬୯୩ ଜଣଙ୍କୁ ମିଳିଲା ଅନ୍ତ୍ୟୋଦୟ ଗୃହ କିସ୍ତି
ଅନ୍ତ୍ୟୋଦୟ ଗୃହ ଯୋଜନା ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଥିଲେ, ଗରିବ ଲୋକଙ୍କୁ ବାସଗୃହ ଯୋଗାଇବା ପାଇଁ ଚଳିତବର୍ଷ ମାର୍ଚ୍ଚ ୩୦ରୁ ଆରମ୍ଭ ହୋଇଥିବା ଏହି ଯୋଜନାରେ ୨୦୨୪-୨୫ରୁ ୨୦୨୭-୨୮ ଆର୍ଥିକ ବର୍ଷ ମଧ୍ୟରେ ୭,୫୫୦ କୋଟି ଟଙ୍କା ବ୍ୟୟବରାଦ ରଖାଯାଇଛି। ଏଥିରେ ୫ ଲକ୍ଷ ଘର ନିର୍ମାଣ କରାଯିବ। ଆଜି ଯେଉଁମାନଙ୍କୁ ୪୦ ହଜାର ଟଙ୍କା ମିଳିଛି ସେମାନଙ୍କୁ ଦ୍ବିତୀୟ କିସ୍ତିରେ ୬୫ ହଜାର ଏବଂ ତୃତୀୟ କିସ୍ତିରେ ୧୫ ହଜାର ଟଙ୍କା ଏହିପରି ସମୁଦାୟ ୧ ଲକ୍ଷ ୨୦ ହଜାର ଟଙ୍କା ଦିଆଯିବ। ଯେଉଁ ହିତାଧିକାରୀମାନେ ୪ ମାସ ମଧ୍ୟରେ ଘର ଶେଷ କରିବେ ସେମାନଙ୍କୁ ୨୦ ହଜାର ଟଙ୍କା ଏବଂ ଯେଉଁମାନେ ୬ ମାସରେ ଘର ଶେଷ କରିବେ ସେମାନଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ଦିଆଯିବ। ସମସ୍ତ ହିତାଧିକାରୀଙ୍କୁ ସମନ୍ବିତ କାର୍ଯ୍ୟ ଯୋଜନା ଅଧୀନ ଜିଲ୍ଲା ମନରେଗା କାର୍ଯ୍ୟକ୍ରମରେ ୯୫ ଦିନର ମଜୁରି ଏବଂ ଅଣ-ସମନ୍ବିତ କାର୍ଯ୍ୟ ଯୋଜନାରେ ୯୦ ଦିନର ମଜୁରି ଦିଆଯିବ। ଏହାସହିତ ହିତାଧିକାରୀଙ୍କୁ ଶୌଚାଳୟ, ପାଇପ୍ ପାଣି ଆଦି ଅନ୍ୟାନ୍ୟ ମୌଳିକ ସୁବିଧା ମଧ୍ୟ ଦିଆଯିବ। ଅନ୍ତ୍ୟୋଦୟ ଗୃହ ଯୋଜନା ଗରିବ, ଅନଗ୍ରସର ତଥା ଅସହାୟ ପରିବାରମାନଙ୍କ ପାଇଁ ଏକ ସୁରକ୍ଷିତ ଓ ସ୍ଥାୟୀ ଆଶ୍ରୟସ୍ଥଳ ନିର୍ମାଣ କରିବାରେ ସହାୟକ ହେବ। ଏହାଦ୍ବାରା ଗରିବ ଓ ଅସହାୟ ହେଲେ ମଧ୍ୟ ପ୍ରତ୍ୟେକ ନାଗରିକ ଏକ ସର୍ବନିମ୍ନ ମର୍ଯ୍ୟାଦାପୂର୍ଣ୍ଣ ଜୀବନଯାପନ କରିପାରିବେ।
କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ଓ ପାନୀୟଜଳ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ କହିଥିଲେ, ଗ୍ରାମପଞ୍ଚାୟତ ଭବନ ହେଉଛି ଗ୍ରାମୀଣ ଶାସନର ମୂଳ କେନ୍ଦ୍ର। ଏଠାରୁ ଲୋକଙ୍କ ସମସ୍ୟାର ସମାଧାନ ହୁଏ, ତୃଣମୂଳ ସ୍ତରରେ ବିକାଶର ନକ୍ସା ତିଆରି ହୁଏ, ଗାଁର ପ୍ରତ୍ୟେକ ଲୋକଙ୍କ ଜୀବନ ସୁଧାରିବାର ପ୍ରୟାସ ଆରମ୍ଭ ହୁଏ। ତେଣୁ ପ୍ରତ୍ୟେକ ଗ୍ରାମପଞ୍ଚାୟତ ପାଇଁ ଲୋକଙ୍କ ଆଶା-ଆକାଂକ୍ଷାକୁ ପୂରଣ କରିପାରୁଥିବା ତଥା ସମସ୍ତ ସେବା ଯୋଗାଇ ପାରୁଥିବା ଭଳି ଆଧୁନିକ ଭବନ ନିର୍ମାଣ ହେବ। ଏହି ଭବନଗୁଡ଼ିକ ଲୋକସେବା, ଗାଁର ଉନ୍ନତି ଓ ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଏକ ନୂଆ ମାଇଲ୍ ଷ୍ଟୋନ୍ ହେବ।
ଏଥିରେ ମୁଖ୍ୟ ସଚିବ ମନୋଜ ଆହୁଜା, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ନିର୍ଦ୍ଦେଶକ ବିନୀତ ଭରଦ୍ୱାଜଙ୍କ ସମେତ ଆଭାସୀ ମାଧ୍ୟମରେ ୨୮ଟି ଜିଲ୍ଲାରେ ମନ୍ତ୍ରୀ, ସାଂସଦ, ବିଧାୟକ, ପଞ୍ଚାୟତିରାଜ ପ୍ରତିନିଧିଙ୍କ ସମେତ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଯୋଗ ଦେଇଥିଲେ। ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ସଚିବ ଗିରୀଶ ଏସ୍.ଏନ୍ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଧନ୍ୟବାଦ ଦେଇଥିଲେ।