ରଥଯାତ୍ରା ପାଇଁ ଦଇତାପତି ସେବକଙ୍କ ସେବା ଆରମ୍ଭ: ଆଜିଠୁ ଦଇତାପତିଙ୍କ ଘରେ ଜଳିବ ଅଲଗା ଚୁଲି

ସଂପର୍କୀୟଙ୍କୁ ଘରକୁ ଆସିବା ମନା, ସ୍ନାନ ଜଳରେ ହେବ ପ୍ରଥମ ରୋଷେଇ, ବାହାର ଅନ୍ନଜଳ ଗ୍ରହଣ କରିବେନି

ପୁରୀ : ରଥଯାତ୍ରା ପାଇଁ ଆଜିଠାରୁ ଦଇତାପତି ସେବକଙ୍କ ସେବା ଆରମ୍ଭ ହୋଇଛି। ସ୍ନାନଯାତ୍ରା ପାଇଁ ଶ୍ରୀମନ୍ଦିରରେ ଦଇତାପତି ପ୍ରବେଶ ନୀତି ପରେ ସେନାପଟା ଲାଗି ଓ ଅନ୍ୟାନ୍ୟ ନୀତି ଆରମ୍ଭ ହୋଇଛି। ଆଜିଠାରୁ ଦଇତାପତି ସେବକମାନେ ଶୁଦ୍ଧପୁତ ଭାବେ ପହଣ୍ଡି ସହ ଅନ୍ୟାନ୍ୟ ନୀତି ସମ୍ପନ୍ନ କରିବେ। ଏଥିପାଇଁ ଆଜିଠାରୁ ଦଇତାପତି ସେବକମାନଙ୍କ ଘରେ ଚୁଲି ଜଳିବା ବାରଣ କରାଯାଇଛି। ଖାଦ୍ୟ ପ୍ରସ୍ତୁତି ପାଇଁ ସ୍ବତନ୍ତ୍ର ଚୁଲି ପ୍ରସ୍ତୁତ ହୋଇଛି। ମହାପ୍ରଭୁଙ୍କ ସ୍ନାନଜଳ ହାଣ୍ଡିରେ ପଡ଼ିବା ପରେ ଏହି ସ୍ବତନ୍ତ୍ର ଚୁଲିରେ ହବିଷ୍ୟାନ୍ନ ପ୍ରସ୍ତୁତ କରି ସପରିବାର ସେବନ କରିବେ।

ବରିଷ୍ଠ ଦଇତାପତି ସେବକ ବିଶ୍ବାବସୁ ବିନାୟକ ଦାସମହାପାତ୍ର କହିଛନ୍ତି ଯେ ମହାପ୍ରଭୁଙ୍କ ସେବା କାର୍ଯ୍ୟ ପାଇଁ ମାସେ ଧରି ଆମେ ଶୁଦ୍ଧପୁତ ଜୀବନ ଅତିବାହିତ କରିବୁ। ସେବା କରୁଥିବା ପ୍ରତି ଦଇତାପତିଙ୍କ ଘରେ ସ୍ବତନ୍ତ୍ର ଚୁଲିରେ ଖାଦ୍ୟ ପ୍ରସ୍ତୁତ ହେବ। ଦେବସ୍ନାନ ପୂର୍ଣ୍ଣିମା ପୂର୍ବରୁ ଅର୍ଥାତ୍‌ ଆଜି ଦଇତାପତି ସେବକମାନେ ସ୍ନାନ, ଶୌଚାଦି କାମ ‌ଶେଷ କରିଛନ୍ତି। ସ୍ତ୍ରୀ, ପୁରୁଷ, ଛୁଆପିଲା, ସମସ୍ତେ ନଖ, ଚୁଟି ଆଦି କାଟିଛନ୍ତି। ପରେ ସ୍ନାନ ସାରି ନିଷ୍ଠାର ସହ ମହାପ୍ରଭୁଙ୍କ ସେବାରେ ନିୟୋଜିତ ହେବେ। ଦଇତାପତିମାନେ ଆଜି ନଖ, ଚୁଟି ଆଦି କାଟି ସ୍ନାନ କରିବା ସହ ଅନ୍ନଗ୍ରହଣ ବି ବନ୍ଦ ରଖିଛନ୍ତି। ସେବାରେ ନିୟୋଜିତ ପୁରୁଷ ସେବକଙ୍କ ସହ ପୂରା ପରିବାର ବି ମାସେ ଧରି ଶୁଦ୍ଧପୁତ ଜୀବନ ଅତିବାହିତ କରିବେ। ଏହା ପରଠାରୁ ଦଇତାପତି ସେବକ ଓ ସେମାନଙ୍କ ପରିବାରର କୌଣସି ସଦସ୍ୟ ବାହାରେ ଅନ୍ନଜଳ ଗ୍ରହଣ କରିବେ ନାହିଁ। କାହାରିକୁ ଅନ୍ନଜଳ ବି ନିଜ ଘରେ ଗ୍ରହଣ କରିବାକୁ ଦେବେନି। ଏହି ସମୟରେ ଦଇତାପତି ସେବକଙ୍କ ଘରେ ଅଶୌଚ ପାଳନ ହୁଏନାହିଁ। ଏଥିପାଇଁ କୌଣସି ଛୁଆଁଛୁତି ବି ହୁଏନି। କୁଣିଆମାନେ ଏହି ସମୟରେ ଘରକୁ ଆସିବା ବାରଣ କରାଯାଇଛି। ଏପରିକି ଝିଅ-ଜ୍ବାଇଁଙ୍କୁ ବି ଘରକୁ ପ୍ରବେଶ ନିଷେଧ କରାଯାଇଛି। ନୀଳାଦ୍ରି ବିଜେ ପରେ ହବିଷ୍ୟାନ୍ନ ପାଳନ ଭାଙ୍ଗିଥାନ୍ତି। ଏଥିପାଇଁ ଘର ଚୁଲି ଖାଦ୍ୟ ପ୍ରସ୍ତୁତି ବନ୍ଦ ହୋଇ ନୂଆ ଚୁଲି ତିଆରି ହୋଇଥାଏ। ରୋଷେଇ ପାଇଁ ନୂଆହାଣ୍ଡିରେ ସ୍ନାନଜଳ ପଡ଼ି ହବିଷ୍ୟାନ୍ନ ରନ୍ଧା ଯାଇଥାଏ। ମାସେ ଧରି ଦଇତାପତି ସପରିବାର ବେଳିକିଆ ଖାଇଥାନ୍ତି ବୋଲି ଶ୍ରୀ ଦାସମହାପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର