ନିଲାମରେ ମିଳିବ କ୍ଷୀରଚୋରା ଗୋପୀନାଥ ଜିଉଙ୍କ ସେବା

ରେମୁଣା: ରେମୁଣା କ୍ଷୀରଚୋରା ଗୋପୀନାଥ ଜୀଉ ମନ୍ଦିର ଟ୍ରଷ୍ଟର ନିର୍ବାହୀ ଅଧିକାରୀ ସରୋଜ କୁମାର ବେହେରାଙ୍କ ତତ୍ତ୍ବାବଧାନରେ ମନ୍ଦିର ସ୍ଥାବର ସମ୍ପତ୍ତି ଉପରେ ଗୋପୀନାଥ ଜୀଉଙ୍କ ସେବା ଯୋଗାଣ ପାଇଁ ନିଲାମ୍‌ ପ୍ରକ୍ରିୟା ଶେଷ ହୋଇଛି। ଏହି ନିଲାମ୍‌ ପ୍ରକ୍ରିୟା ମନ୍ଦିର ପକ୍ଷରୁ ସର୍ବସାଧାରଣ ପ୍ରକାଶରେ ୨୫ ତାରିଖରେ ଟେଣ୍ଡରଧାରୀଙ୍କ ଆବେଦନ ନିମନ୍ତେ ଆହ୍ବାନ କରାଯାଇଥିଲା। ଆଜି ଧାର୍ଯ୍ୟ ମୁତାବକ ନିଲାମ କାର୍ଯ୍ୟ ଶାନ୍ତିଶୃଙ୍ଖଳାରେ ଶେଷ ହୋଇଛି। ଏହି ନିଲାମ କାର୍ଯ୍ୟରେ ରେମୁଣା ଥାନା ଅଧିକାରୀଙ୍କ ଅଧ୍ୟକ୍ଷତାରେ ରେମୁଣା ପୁଲିସ ବାହିନୀ ଶାନ୍ତିଶୃଙ୍ଖଳା ଉପରେ ନଜରି ରଖିଥିବା ବେଳେ ମନ୍ଦିର ନିର୍ବାହୀ ଅଧିକାରୀ ଶ୍ରୀ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ମ୍ୟାନେଜର ମୁକୁନ୍ଦ ଦାସ, କର୍ମଚାରୀ ଜୟନ୍ତୀ ବରାଳ, ଅରୁଣ କୁମାର ମାରାଣ୍ଡି ଓ ସମସ୍ତ ସେବାୟତ କର୍ମଚାରୀଙ୍କ ସହଯୋଗରେ ନିଲାମ୍‌ ପ୍ରକ୍ରିୟା ଶେଷ ହୋଇଛି।

ଏହି ଅଞ୍ଚଳରେ ବିଭିନ୍ନ ନିଲାମ୍‌ଧାରୀମାନେ ନିଲାମ୍‌ ଡାକ କରିଥିଲେ। ମନ୍ଦିରର ଧାର୍ଯ୍ୟ ଅନୁସାରେ ଜଳାଶୟ ପୋଖରୀ ଗୁଡ଼ିକ ୩ ବର୍ଷ ନିଲାମ୍‌ ଦିଆଯାଇଥିବା ବେଳେ ଅନ୍ୟ ସେବାର ନିଲାମ୍‌ ବର୍ଷେ ପାଇଁ ନିଲାମ୍‌ ଦିଆଯାଇଛି। ମନ୍ଦିର ପରିସରରେ ଫୁଲ ଦୋକାନ ପାଇଁ ୯୦ ହଜାର ୫ ଶହ, ବସ୍‌ଷ୍ଟାଣ୍ଡ ପାର୍କ ପରିସର ପାଇଁ ୩୭ ହଜାର, ଭୋକେଇ ପୋଖରୀ ପାଇଁ ୬୦ ହଜାର ୮ ଶହ, ମାଧବୀର ପୋଖରୀ ପାଇଁ ୧୩ ହଜାର, ମାଧବେନ୍ଦ୍ର ପୋଖରୀ ପାଇଁ ୪ ହଜାର ୬ ଶହ, ଅମୃତିଆ ନଦୀ ପାଇଁ ୧୭ ହଜାର ୨ ଶହ, ବସ୍‌ଷ୍ଟାଣ୍ଡ ପାଇଁ ୭ ଲକ୍ଷ ୧୫ ହଜାର ୫ ଶହ, କୁରୁଡ଼ା ପୋଖରୀ ପାଇଁ ୧୯ ହଜାର ୨ଶହ, ବିବାହ ସଜ ପାଇଁ ୨୬ ହଜାର ୫ ଶହ, ରଣସାହି ପୋଖରୀ ପାଇଁ ୭ ହଜାର ୫ ଶହ, ରଜାପୋଖରୀ ପାଇଁ ୮୫ ହଜାର ୫ ଶହ, ବଡ଼କୁଞ୍ଜ ପୋଖରୀ ପାଇଁ ୯୫ ହଜାର ୫ ଶହ, ବ୍ରଜପୋଖରୀ ପାଇଁ ୬ ଲକ୍ଷ ୪୬ ହଜାର ଟଙ୍କାରେ ନିଲାମ୍‌ ଦିଆଯାଇଛି।

ସମ୍ବନ୍ଧିତ ଖବର