ଶ୍ରୀମନ୍ଦିର ଇତିହାସରେ ପ୍ରଥମ ! ୧୩ ଘଣ୍ଟା ଧରି ବନ୍ଦ ରହିଲା ମହାପ୍ରଭୁଙ୍କ ନୀତିକାନ୍ତି, ଉପବାସରେ ଶ୍ରୀଜିଉ

ପୁରୀ : ଆଜି  ଯାହା ଘଟିଛି, ତାହା  ପୂର୍ବରୁ ଏପରି ପ୍ରାୟତଃ ଦେଖିବାକୁ ମିଳିନଥିଲା । ପାଖାପାଖି ୧୩ ଘଣ୍ଟା ଧରି ନୀତିକାନ୍ତି ବନ୍ଦ ହୋଇପଡିଥିଲା, ଉପାସରେ ରହିଥିଲେ ଶ୍ରୀଜିଉ । ସାଧାରଣ ଦର୍ଶନରୁ ବଞ୍ଚିତ ହୋଇଥିଲେ ହଜାର ହଜାର ଭକ୍ତ । ଭୋରରୁ ଅପରାହ୍ଣ ସାଢ଼େ ୪ଟା ପର୍ଯ୍ୟନ୍ତ ସବୁ ନୀତି ବନ୍ଦ ରହିଥିଲା । ଶ୍ରୀମନ୍ଦିର ଇତିହାସରେ ଏଭଳି ଘଟଣା ପ୍ରଥମ ବୋଲି କୁହାଯାଉଛି।
 ଆଜି ଭୋରରୁ ଅପରାହ୍ନ ସାଢ଼େ ୪ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିର ନୀତି ବନ୍ଦ ରହିଥିଲା, ପହଡ଼ ବି ଖୋଲିନଥିଲା। ସକାଳ ଧୂପଠାରୁ ଆରମ୍ଭ କରି ମଧ୍ୟାହ୍ନ ନୀତି ସବୁ କିଛି ଠପ୍ ହୋଇଯାଇଥିଲା । ଉପାସରେ ରହିଥିଲେ ମହାପ୍ରଭୁ ।
ଗତକାଲି ରାତିରେ ଘଟିଥିବା ଗୋଟିଏ ଛୋଟିଆ ଘଟଣାରୁ ଶ୍ରୀମନ୍ଦିରରେ ଅଚଳାବସ୍ଥା ସୃଷ୍ଟି କରିଥିଲେ କିଛି ସେବାୟତ। ଜିଲ୍ଲା ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନର ସମସ୍ତ ଚେଷ୍ଟା ବିଫଳ ହୋଇଥିଲା । ଶେଷରେ ସେବାୟତମାନେ ନିଜ ତରଫରୁ ନୀତିକାନ୍ତି ଆରମ୍ଭ କରିଥିଲେ । ଅପରାହ୍ନ ୫ଟା ପରେ ଆରମ୍ଭ ହୋଇଥିଲା ସାଧାରଣ ଦର୍ଶନ। ତେବେ ଅସନ୍ତୋଷର ନିଆଁ ଏବେ ବି କୁହୁଳୁଛି, ଆହୁରି ଉଗ୍ର ରୂପ ମଧ୍ୟ ଦେଖିବାକୁ ମିଳିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି ।
ଏହି ସମୟରେ  ଘଂଟା ଘଂଟା ଧରି ସିଂହଦ୍ୱାର ଆଗରେ  ହଜାର ହଜାର ଭକ୍ତ ଧାଡ଼ିରେ ଠିଆ ହୋଇ ରହିଥିଲେ। ବନ୍ଦ ରହିଥିଲା ଶ୍ରୀମନ୍ଦିରର ଭିତର ଦ୍ୱାର । ଗୋଟିଏ ପଟେ ବନ୍ଦ ପଡିଥିଲା ନୀତିକାନ୍ତି, ଉପାସରେ ରହିଥିଲେ ଶ୍ରୀଜିଉ, ଅନ୍ୟପଟେ ମହାପ୍ରଭୁଙ୍କ ଦର୍ଶନ ଲାଗି ଆତୁର ହୋଇ ପଡୁଥିଲେ ଶ୍ରଦ୍ଧାଳୁ । ପରିସ୍ଥିତି ବେଳକୁ ବେଳ ଅଣାୟତ ହୋଇଥିଲା, ପୋଲିସ ସହ  ଧସ୍ତାଧସ୍ତି କରି ବାରିକେଡ୍ ଭାଙ୍ଗି ଧସେଇ ପଶିବାକୁ ଉଦ୍ୟମ କରିଥିଲେ କିଛି ଶ୍ରଦ୍ଧାଳୁ ।
ଏହି ବିବାଦ ସୃଷ୍ଟି ହୋଇଥିଲା ଗତକାଲି ରାତିରେ ଜଣେ ଭକ୍ତଙ୍କ ପ୍ରବେଶ ନେଇ ସେବାୟତ ଓ ପୋଲିସ ମଧ୍ୟରେ ଗୋଟିଏ ଛୋଟିଆ ଘଟଣାକୁ ନେଇ । ପୋଲିସ ମାଡ଼ ମାରିଥିବା ଅଭିଯୋଗ କରିଥିଲେ ଜଣେ ସେବାୟତ । ଏହି ଛୋଟିଆ ଘଟଣା ସେତିକି ବେଳେ ସାଂଘାତିକ ରୂପ ନେଇଥିଲା, ଯେତେବେଳେ ସେବାୟତମାନେ ନୀତିକାନ୍ତି ବନ୍ଦ କରି ଦେଇଥିଲେ, ଖୋଲି ନ ଥିଲା ଶ୍ରୀମନ୍ଦିର । ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସକ ମଧ୍ୟରେ ତୁହାକୁ ତୁହା ବୈଠକ ହେଉଥିଲା, ହେଲେ ଫଳ କିଛି ମିଳୁ ନଥିଲା । ଶ୍ରଦ୍ଧାଳୁଙ୍କୁ ଶ୍ରୀମନ୍ଦିର ଭିତରକୁ ଛାଡିନଥିଲା ପୋଲିସ । ବିବାଦର ସମାଧାନ ପାଇଁ ଭକ୍ତଙ୍କୁ ଅପେକ୍ଷା କରିବାକୁ କହିଥିଲେ ପୁରୀ ଏସପି । ତେବେ ପୁରୀ ବେଳାଭୂମିରେ ବୁଲିବା ପାଇଁ ଏସପି ପରାମର୍ଶ ଦେବା ପରେ ଉତ୍ୟକ୍ତ ହୋଇ ଉଠିଥିଲେ ଭକ୍ତ ।
ପୁଣିଥରେ ଭକ୍ତଙ୍କ ଭାବାବେଗ ସହ ହୋଇଛି ସାଂଘାତିକ ଖେଳ । କୋଟି କୋଟି ଭକ୍ତଙ୍କ ଆବେଗକୁ ବେଖାତିର କରି ନିଜ ଜିଦ୍ ପାଇଁ ସେବାୟତମାନେ ଶ୍ରୀମନ୍ଦିରରେ ଅଚଳାବସ୍ଥା ସୃଷ୍ଟି କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ କ୍ଷୋଭ ପ୍ରକାଶ କରି ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ ଶ୍ରୀଜିଉଙ୍କ ପ୍ରଥମ ସେବକ ପୁରୀ ଗଜପତି । ନୂଆ ବର୍ଷ ଅବସରରେ ପ୍ରତିଦିନ ହଜାର ହଜାର ଭକ୍ତ ଦର୍ଶନ ପାଇଁ ଯାଉଥିବା ବେଳେ ଏପରି ସ୍ଥିତି ପୁଣିଥରେ ଶ୍ରୀମନ୍ଦିରର ଶୃଙ୍ଖଳା ଉପରେ ବଡ଼ ପ୍ରଶ୍ନଚିହ୍ନ ଲଗାଇ ଦେଇଛି । ସବୁସୀମା ଟପି ଯାଇଛି ଆଜିର ବିଶୃଙ୍ଖଳା ।
ସମ୍ବନ୍ଧିତ ଖବର