ରେଢ଼ାଖୋଲ : ଗୁରୁବାର ଦିନ ବିଧିବଦ୍ଧ ଭାବେ ଯୁବ ବୈଜ୍ଞାନିକ ଶେଷଦେବ କିସାନଙ୍କ ସହିତ ଜୟଶ୍ରୀ ଜେନାଙ୍କ ବିବାହ ରେଢ଼ାଖୋଲ ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଆଇନଗତ ଭାବେ ଅନୁଷ୍ଠିତ ଏହି ବିବାହ ସମୟରେ ରେଢ଼ାଖୋଲ ଉପନିବନ୍ଧକ ଦେବାଶିଷ ପାତ୍ର ଏବଂ ଆଇନଜୀବୀ ପରୀକ୍ଷିତ ଦାଶ ଅନ୍ୟ ସାକ୍ଷୀମାନଙ୍କ ସହିତ ଉପସ୍ଥିତ ଥିଲେ। ଏହି ନବଦମ୍ପତିଙ୍କୁ ବିଭିନ୍ନ ମହଲରୁ ଏବେ ଶୁଭକାମନାର ସୁଅ ଛୁଟୁଛି। ଆଗାମୀ ଦିନରେ ରେଢ଼ାଖୋଲରେ ସେମାନଙ୍କ ବି‌ବାହ ଭୋଜି ଆୟୋଜନ କାର୍ଯ୍ୟକ୍ରମର ରହିଛି।

Advertisment

ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ବଲାସିଙ୍ଗା ଗ୍ରାମର ଶେଷଦେବ କିସାନ ଦାରିଦ୍ର୍ୟର ପ୍ରତାଡ଼ନା ସତ୍ତ୍ବେ ସେ ହାର ମାନିନଥିଲେ। ନିଜର ଦୃଢ଼ ମନୋବଳ ଓ ଅଧ୍ୟବସାୟ ଫଳରେ ସଫଳତାର ଶିଢ଼ି ଚଢ଼ି ପାରିଥିଲେ। ଏବେ ସେ ଜର୍ମାନୀ‌ରେ ଗବେଷଣା କରୁଛନ୍ତି। ସଫଳତା ପ୍ରାପ୍ତି ପରେ ବି ନିଜ ଭିଟାମାଟିକୁ ଭୁଲିନାହାନ୍ତି। ନିଜ ଗ୍ରାମର ଅନେକ ପିଲାଙ୍କ ପାଠପଢ଼ାର ଦାୟିତ୍ବ ନେଇଛନ୍ତି। କିଛି ମାସ ତଳେ ‌ସାମାଜିକ ଗଣମାଧ୍ୟମ ଯୋଗେ ବାଲେଶ୍ବର ଜିଲ୍ଲାର ମୂଳନିବାସୀ ଜୟଶ୍ରୀ ଜେନାଙ୍କ ସହିତ ତାଙ୍କ ପରିଚୟ ହେବା ପରେ ପରବର୍ତ୍ତୀ ସମୟରେ ଉଭୟେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ସ୍ଥିର କରିଥିଲେ।