ପ୍ରକାଶ ପାଇଲା ‘ଶେଷସ୍ତମ୍ଭ’ ଓ ‘ରସଗୋଲା’

ଭୁବନେଶ୍ୱର : ଆଜି ଅପରାହ୍‌ଣରେ ‘ଆମ ଓଡ଼ିଶା ଦ୍ଵାରା ପ୍ରକାଶିତ ଦୁଇଟି ବହି ଉନ୍ମୋଚିତ ହୋଇଯାଇଛି। ଏଥିରୁ ପ୍ରଥମଟି ସୁରେନ୍ଦ୍ର ମହାନ୍ତିଙ୍କ ‘ଶେଷସ୍ତମ୍ଭର ସମଗ୍ର ସଂକଳନ ହୋଇଥିବା ବେଳେ ଦ୍ଵିତୀୟଟି ଅସିତ ମହାନ୍ତିଙ୍କଦ୍ଵାରା ଲିଖିତ ‘ଶ୍ରୀଜଗନ୍ନାଥଙ୍କ ରସଗୋଲା’। ଏହି ଦୁଇ ପୁସ୍ତକକୁ ସମ୍ବାଦଭବନଠାରେ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଉନ୍ମୋଚନ କରିଥିଲେ।

ସୁରେନ୍ଦ୍ର ମହାନ୍ତି ‘ସମ୍ବାଦ’ ପ୍ରଥମ ସଂପାଦକ ଥିଲେ ଏବଂ ଏହାର ଆବିର୍ଭାବ ଦିନଠାରୁ ‘ସାହିତ୍ୟ ପୃଷ୍ଠାରେ ଏହି ‘ଶେଷସ୍ତମ୍ଭ ଲେଖୁଥିଲେ। ଏହା ସେତେବେଳେ ପାଠକପାଠିକାଙ୍କ ମଧ୍ୟରେ ଚହଳ ସୃଷ୍ଟି କରିଥିଲା। ଏ ପର୍ଯ୍ୟନ୍ତ ଏହାର ସମଗ୍ର ସଂକଳନ ପ୍ରକାଶ ପାଇ ନଥିଲା। ତାଙ୍କ ମୃତ୍ୟୁର ମାତ୍ର ଛଅଦିନ ପୂର୍ବରୁ ‘ଶେଷସ୍ତମ୍ଭର ଶେଷ ଲେଖାଟି ପ୍ରକାଶ ପାଇଥିଲା। କାଳାନୁକ୍ରମିକ ଭାବରେ ସଜ୍ଜିତ ୨୪୭ଟି ଲେଖାର ଏହି ୭୦୦ରୁ ଊଦ୍ଧ୍ଵର୍ ପୃଷ୍ଠାର ପୁସ୍ତକ ପାଠକ-ପାଠିକାଙ୍କର ଦୀର୍ଘଦିନର ଆବଶ୍ୟକତା ପୂରଣ କରିବ ବୋଲି ଶ୍ରୀ ପଟ୍ଟନାୟକ ଆଶା ପ୍ରକାଶ କରିଥିଲେ।

ସେହିପରି ଏବେ ଚର୍ଚ୍ଚାରେ ଥିବା ରସଗୋଲାକୁ ନେଇ ଅସିତ ମହାନ୍ତିଙ୍କର ‘ଶ୍ରୀଜଗନ୍ନାଥଙ୍କ ରସଗୋଲା’ ପୁସ୍ତକ ପ୍ରସ୍ତୁତ ହୋଇଛି। ୪୨ଟି ଛୋଟଛୋଟ ଲେଖାକୁ ନେଇ ଏଥିରେ ୬୪ ପୃଷ୍ଠାର ମୂଳ ପାଠ ଥିବା ବେଳେ ୮୦ ପୃଷ୍ଠାର ପ୍ରାମାଣିକ ନଥିପତ୍ର ରହିଛି। ଏଥିରେ ବଙ୍ଗଳାରେ ଲିଖିତ ‘ରସଗୋଲ୍ଲା’ ପୁସ୍ତକର ସମସ୍ତ ତଥ୍ୟକୁ ଖଣ୍ଡନ କରାଯିବା ସହିତ ରସଗୋଲା ଯେ ପାରଂପରିକ ଭାବରେ ଶ୍ରୀଜଗନ୍ନାଥଙ୍କ ପକ୍ଷରୁ ଲକ୍ଷ୍ମୀଦେବୀଙ୍କୁ ନିବେଦିତ ଭୋଗ- ଏହାକୁ ପ୍ରାମାଣିକ ଭାବରେ ସାବ୍ୟସ୍ତ କରାଯାଇଛି। ଏଣୁ ‘ଶେଷସ୍ତମ୍ଭ’ ପରି ଏ ବହିଟି ମଧ୍ୟ ପାଠକଙ୍କର ବହୁଳ ଆଦୃତି ଲାଭ କରିବ ବୋଲି ଶ୍ରୀ ପଟ୍ଟନାୟକ ଆଶା ପୋଷଣ କରିଛନ୍ତି।

ଏହି ଅନୌପଚାରିକ ଉନ୍ମୋଚନ ଉତ୍ସବରେ ‘ସମ୍ବାଦ’ର ଫିଚର ସଂପାଦକ ଗୌରହରି ଦାସ ଉପସ୍ଥିତ ରହି ସୁରେନ୍ଦ୍ର ମହାନ୍ତିଙ୍କ ସହିତ ତାଙ୍କ ସଂପର୍କର ସ୍ମୃତିଚାରଣ କରିଥିଲେ। ପ୍ରକାଶନ ସଂପାଦକ ତଥା ଲେଖକ ଅସିତ ମହାନ୍ତି ଉଭୟ ପୁସ୍ତକ ବାବଦରେ ନିଜର ଅନୁଭୂତି ପ୍ରକାଶ କରିଥିଲେ। ସଂପାଦକୀୟ ପୃଷ୍ଠା ସଂପାଦକ ରଣଜିତ ଗୁରୁ, ପ୍ରକାଶକ ବିଜୟ ପଟ୍ଟନାୟକ, ସମ୍ବାଦ ଡଟ୍‌ ଇନ୍‌ର ମୁଖ୍ୟ ଧୃତିକାମ ମହାନ୍ତି, ଗ୍ରନ୍ଥାଗାରିକ ବିଜୟ ପଟ୍ଟନାୟକଙ୍କ ସମେତ ଆଶିଷ ଗଡ଼ନାୟକ, କ୍ଷେତ୍ରବାସୀ ନାୟକ, ଅକ୍ଷୟ ସ୍ୱାଇଁ, ରାଜେଶ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ସୁବ୍ରତ ବଳ ଧନ୍ୟବାଦ ଦେଇଥିଲେ। ଉତ୍ସବକୁ ‘ଆମଓଡ଼ିଶା’ ସଂପାଦକ ସ୍ୱରାଜ ମିଶ୍ର ସଂଯୋଜନା କରିଥିଲେ।

ରସଗୋଲା ଉପହାର
ରାଜଧାନୀ ପୁସ୍ତକ ମେଳା ଉପଲକ୍ଷେ ‘ଆମ ଓଡ଼ିଶା’ ପକ୍ଷରୁ ‘ରସଗୋଲା’ ବହି ପାଇଁ ଏକ ସ୍ୱତନ୍ତ୍ର ଉପହାର ଯୋଜନା କରାଯାଇଛି। ବହିର ମୂଲ୍ୟ ୧୨୦ ଟଙ୍କା ହୋଇଥିବା ବେଳେ ପାଠକ-ପାଠିକାଙ୍କୁ ପ୍ରତି ବହିରେ ୫୦ ଟଙ୍କାର ରସଗୋଲା ଉପହାର ଦିଆଯିବାର ବ୍ୟବସ୍ଥା ହୋଇଛି। ପାଠକ ପାଠିକା ମେଳାର ‘ଆମ ଓଡ଼ିଶା’ ଷ୍ଟଲ୍‌ରୁ ଏହି ସୁବିଧା ପାଇପାରିବେ। ଉପହାର ଯୋଜନା କେବଳ ସୀମିତ ସଂଖ୍ୟକ ପୁସ୍ତକ ପାଇଁ ରହିଥିବାରୁ ପାଠକ ପାଠିକା ତୁରନ୍ତ ଏହାର ସୁଯୋଗ ନେବାକୁ ସଂପାଦକ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର