ବିଜେପିକୁ ଅକଳରେ ପକାଇଲା ମୁଲତବୀ ପ୍ରସ୍ତାବ

ବିରୋଧୀ ଭୂମିକା ରହି ବି ଧ୍ୟାନ ଆକର୍ଷଣକାରୀ ପ୍ରସ୍ତାବ ମାଧ୍ୟମରେ ମତ ରଖିଲେ

ଭୁବନେଶ୍ୱର : ବିଧାନସଭାରେ ବିରୋଧୀ ଦଳ ଭୂମିକାରେ ରହିଛି ବିଜେପି। ହେଲେ ଚାଷୀ ସଂପର୍କିତ ମୁଲତବୀ ପ୍ରସ୍ତାବ ଆଲୋଚନାରେ ଆଜି ସଂପୃକ୍ତ ଦଳର ବିଧାୟକମାନେ ଧ୍ୟାନ ଆକର୍ଷଣକାରୀ ପ୍ରସ୍ତାବ ମାଧ୍ୟମରେ ତାଙ୍କ ମତ ରଖିବାକୁ ବାଧ୍ୟ ହୋଇଥିଲେ।

ଅନ୍ୟପକ୍ଷରେ ଯେ କୌଣସି ମୁଲତବୀ ଆଲୋଚନାରେ ସର୍ବାଧିକ ୪ଜଣ ବିଧାୟକ ଧ୍ୟାନ ଆକର୍ଷଣକାରୀ ପ୍ରସ୍ତାବ ଉପରେ ମତ ରଖିପାରିବେ। ଆଜି କିନ୍ତୁ ବିଲକ୍ଷଣ ଘଟିଛି। ବିଜେପି ଓ ବିଜେଡି ବିଧାୟକ ମିଶି ମୋଟ ୫ଜଣ ଏହା ଉପରେ ମତ ରଖିଥିଲେ।

କଂଗ୍ରେସ ଦଳ ‘ଅସହାୟ ଓ ଦୁର୍ଦିନରେ ରାଜ୍ୟର ଚାଷୀ, ଉଦାସୀନ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର’ ଶୀର୍ଷକରେ ଆଣିଥିବା ମୁଲତବୀ ପ୍ରସ୍ତାବ ଦେଇଥିଲା। ଯେହେତୁ କେନ୍ଦ୍ର ବିରୋଧରେ ପ୍ରସ୍ତାବ ଥିଲା, ଏଣୁ ବିଜେପି ଏହି ପ୍ରସ୍ତାବରେ ଦସ୍ତଖତ ନ କରି ଧ୍ୟାନ ଆକର୍ଷଣକାରୀ ପ୍ରସ୍ତାବ ଦେଇଥିଲା। ସ୍ୱାଭାବିକ ଭାବେ ସରକାରୀ ଦଳ ଏହା ମାଧ୍ୟମରେ ମତ ରଖିଥାନ୍ତି। କଂଗ୍ରେସ ଗୋଟିଚାଳନାରେ ଛନ୍ଦି ହୋଇ ବିଜେଡି ସହିତ ବିଜେପି ବି ଧ୍ୟାନ ଆକର୍ଷଣକାରୀପ୍ରସ୍ତାବ ମାଧ୍ୟମରେ ଗୃହରେ ମତ ରଖିବାକୁ ବାଧ୍ୟ ହେଲା।

ହେଲେ ବିବାଦ ସୃଷ୍ଟି ହେଲା ଏଇଥିପାଇଁ ଯେ ଦୁଇଜଣ କଂଗ୍ରେସ ବିଧାୟକ ଭାଗ ନେବାପରେ ବିଜେପି ବିଧାୟକ ବସନ୍ତ ପଣ୍ଡାଙ୍କୁ କହିବା ପାଇଁ ଡାକିଥିଲେ ଉପବାଚସ୍ପତି। ସେ ଯାଏ ଚୁପ୍‌ ଥିବା ବିରୋଧୀ ଦଳ ନେତା ନରସିଂହ ମିଶ୍ର କିନ୍ତୁ ବିଧାୟକ ରବି ନାରାୟଣ ନାଏକଙ୍କୁ ଡକାଯିବାରୁ ବୈଧାନିକ ପ୍ରଶ୍ନ ଉତ୍‌ଥାପନ କରି ପ୍ରତିବାଦ କରିଥିଲେ। ବିଧାନସଭା କାର୍ଯ୍ୟବିଧି ପରିଚାଳନା ନିୟମ ଉଲ୍ଲେଖ କରି କହିଥିଲେ, ଚାଷୀ ସଂପର୍କିତ ମୁଲତବୀ ପ୍ରସ୍ତାବ କଂଗ୍ରେସ ବିଧାୟକ ଦେଇଛନ୍ତି। ଏଥିରେ ବିଜେପି ଧ୍ୟାନ ଆକର୍ଷଣକାରୀ ପ୍ରସ୍ତାବ ଦେଇଛି। ବିଜେଡି ବି। ପ୍ରଥମେ କଂଗ୍ରେସ ବିଧାୟକ କହିବା ପରେ ବିଜେପି ସଭ୍ୟଙ୍କୁ ଡକାଯିବା କଥା। ଅନ୍ୟଥା ମାନିନେବାକୁ ହେବ ଯେ କେନ୍ଦ୍ର ବିରୋଧରେ ଦିଆଯାଇଥିବା ପ୍ରସ୍ତାବକୁ ବିଜେପି ସମର୍ଥନ କରୁଛି। ଏହି କ୍ରମରେ ଶ୍ରୀ ମିଶ୍ର କହିଥିଲେ ମୁଲତବୀ ଆଲୋଚନାରେ ବିରୋଧୀ ଦଳ ପକ୍ଷରୁ ୫ଜଣ ଓ ଧ୍ୟାନ ଆକର୍ଷଣକାରୀ ପ୍ରସ୍ତାବ ମାଧ୍ୟମରେ ସର୍ବାଧିକ ୪ଜଣ କହିପାରିବେ। ଯଦିଓ କଂଗ୍ରେସ ତିନି ଜଣ ବିଧାୟକଙ୍କ ନାଁ ଦେଇଛି, କିନ୍ତୁ ଧ୍ୟାନ ଆକର୍ଷଣକାରୀ ପ୍ରସ୍ତାବରେ ୪ ଜଣରୁ ଅଧିକ କହିପାରିବେ ନାହିଁ। ଏ ନେଇ ସ୍ପଷ୍ଟ ନିୟମ ରହିଛି।

ବାଚସ୍ପତି ପ୍ରଦୀପ ଅମାତ କିନ୍ତୁ କହିଥିଲେ ଯେ ମୁଲତବୀ ଓ ଧ୍ୟାନ ଆକର୍ଷଣକାରୀ ପ୍ରସ୍ତାବକୁ ଏକତ୍ର ନିଆଯାଇଛି ଓ କଂଗ୍ରେସ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ଦେଇଥିବା ତାଲିକା ଅନୁସାରେ ଡକାଯାଉଛି। ଏହାକୁ ପରମ୍ପରା ଭାବେ ନିଆଯାଇପାରେ। କିନ୍ତୁ ବିରୋଧୀ ଦଳ ନେତା ଏହାର ଦୃଢ ପ୍ରତିବାଦ କରିଥିଲେ। ଏହାକୁ ନେଇ ଦୀର୍ଘ ୨୦ମିନିଟ୍‌ରୁ ଅଧିକ ସମୟ ଧରି ତର୍କ ହୋଇଥିଲା। ଶେଷରେ ଶ୍ରୀ ବାହିନୀପତି ତାଲିକା ପରିବର୍ତ୍ତନ କରିଥିଲେ ଓ ବିଧାୟକ ରବି ନାରାୟଣ ନାୟକଙ୍କ ବଦଳରେ କଂଗ୍ରେସର ଭୁଜବଳ ମାଝୀ ଆଗ କହିଥିଲେ।

ସମ୍ବନ୍ଧିତ ଖବର