କଟକରେ ଆର୍‌ଏସ୍ଏସ୍ ବ୍ୟବସ୍ଥା ପ୍ରମୁଖଙ୍କ ଅଧିବେଶନ, ଉଦ୍‌ଘାଟନ କଲେ ମୋହନ ଭାଗବତ୍‌

ସୁରେଶ ସୋନିଙ୍କ ସମେତ ଯୋଗ ଦେଇଛନ୍ତି ଦେଶର ୨୫୦ ପ୍ରତିନିଧି

କଟକ : ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍)ର ସର୍ବଭାରତୀୟ ବ୍ୟବସ୍ଥା ପ୍ରମୁଖମାନଙ୍କ ତିନି ଦିନିଆ ବାର୍ଷିକ ଅଧିବେଶନ କଟକର ଗତିରାଉତପାଟଣାସ୍ଥିତ କେଶବଧାମରେ ଉଦ୍‌ଘାଟିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍)ର ସର ସଂଘଚାଳକ ମୋହନ ଭାଗବତ୍‌ ଯୋଗ ଦେଇ ଏହାକୁ ଉଦ୍‌ଘାଟନ କରିଛନ୍ତି। ଏହି‌ ଅଧିବେଶନରେ ଦେଶର ପାଖାପାଖି ୩୦ଟି ପ୍ରାନ୍ତରୁ ୨୫୦ ଜଣ ବ୍ୟବସ୍ଥା ପ୍ରମୁଖ ‌ଯୋଗ ଦେଇଛନ୍ତି। ‌ଏହି ଅଧିବେଶନରେ ଆର୍‌ଏସ୍‌ଏସ୍‌ର ଆଗାମୀ ଦିନର ବିଭିନ୍ନ କାର୍ଯ୍ୟପନ୍ଥା ବିଷୟରେ ମାନସମନ୍ଥନ ଚାଲିଥିବା ଜଣାପଡ଼ିଛି। ଏହି ଅଧିବେଶନରେ ଆର୍‌ଏସ୍‌ଏସର ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ସଦସ୍ୟ ସୁରେଶ ସୋନି ମଧ୍ୟ ଅଂଶଗ୍ରହଣ କରିଛନ୍ତି। କେଶବଧାମ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ସରସଂଘଚାଳକ ମୋହନ ଭାଗବତ, କାର୍ଯ୍ୟକାରିଣୀ ସଦସ୍ୟ ସୁରେଶ ସୋନିଙ୍କ ସମେତ ସମସ୍ତ ବ୍ୟବସ୍ଥା ପ୍ରମୁଖ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରହିଛନ୍ତି।

ସମସ୍ତ ପ୍ରତିନିଧିଙ୍କ ରହଣି, ଖାଦ୍ୟପେୟ ଆଦି ବ୍ୟବସ୍ଥା ବୁଝାବୁଝି କରିବା ପାଇଁ ଶହେ ଜଣ ବରି‌ଷ୍ଠ ଆର୍‌ଏସଏସ୍ କର୍ମୀ ନିୟୋଜିତ ହୋଇଛନ୍ତି। ଏଥି ସହ ସୁରକ୍ଷା ବ୍ୟବସ୍ଥା ପାଇଁ ରାଜ୍ୟ ପୁଲିସ୍, ଅଗ୍ନିଶମ ବାହିନୀ, ଜେଡ୍ ପ୍ଲସ୍ ସୁରକ୍ଷା କର୍ମୀ, ଓଏସ୍ଏପି ଫୋର୍ସ ଆଦି ୧୦୦ରୁ ଅଧିକ ସୁରକ୍ଷା କର୍ମୀ କେଶବଧାମକୁ ଘେରି ରହିଛନ୍ତି। ଆର୍‌ଏସ୍ଏସ୍ ବ୍ୟବସ୍ଥା ପ୍ରମୁଖଙ୍କ ଅଧିବେଶନ ପାଇଁ କେଶବଧାମରେ ଏବେ ୪୫୦ରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲେ ମଧ୍ୟ ଏହାକୁ ସଂପୂର୍ଣ୍ଣ ଗୋପନୀୟ ରଖାଯାଇଛି। ଅଧିବେଶନର କୌଣସି ପ୍ରତିନିଧି ବାହାରକୁ ଆସୁ ନାହାନ୍ତି କିମ୍ବା ଗଣମାଧ୍ୟମ ପ୍ରତିନିଧି ବା ଅନ୍ୟ କାହାରିକୁ ସେହି ପରିସରକୁ ଯିବାକୁ ଅନୁମତି ଦିଆଯାଉନାହିଁ। ଶନିବାର ଦ୍ବିତୀୟ ଦିବସରେ ମଧ୍ୟ ‌ବିଭିନ୍ନ ପର୍ଯ୍ୟାୟରେ ବୈଠକ ଅନୁଷ୍ଠିତ ହୋଇଛି। ଆସନ୍ତାକାଲି ଦିନରେ ବିଭିନ୍ନ ପର୍ଯ୍ୟାୟ ଆଲୋଚନା କରାଯିବା ସହିତ ସଂଧ୍ୟାରେ ବାର୍ଷିକ ଅଧିବେଶନ ଉଦ୍‌ଯାପିତ ହେବ ବୋଲି ସୂଚନା ମିଳିଛି। କିନ୍ତୁ ସର ସଂଘଚାଳକ ଶ୍ରୀ ଭାଗବତ ଆସନ୍ତା ୭ତାରିଖ ଦିନ ନାଗପୁର ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର