ସୈନିକ ସର୍ବଦା ଦେଶ ପାଇଁ ଉତ୍ସର୍ଗୀକୃତ: ରାଜ୍ୟପାଳ

ଅଖିଳ ଭାରତୀୟ ପୂର୍ବ ସୈନିକ ସେବା ପରିଷଦର ଅଧିବେଶନ

ପୁରୀ : ସେବା ସୈନିକର ରକ୍ତରେ ପ୍ରବାହିତ। ସେବାରେ ଥାଆନ୍ତୁ ଅବା ସେବା ନିବୃତ୍ତ ‌ହୁଅନ୍ତୁ, ସେମାନେ ସର୍ବଦା ଦେଶ ପାଇଁ ଉତ୍ସର୍ଗୀକୃତ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ କହିଛନ୍ତି। ଅଖିଳ ଭାରତୀୟ ପୂର୍ବ ସୈନିକ ସେବା ପରିଷଦ ପକ୍ଷରୁ ସ୍ବାମୀନାରାୟଣ ମନ୍ଦିରରେ ଆୟୋଜିତ ବାର୍ଷିକ ସାଧାରଣ ଅଧିବେଶନର ଉଦ୍‌ଯାପନୀ ଉତ୍ସବରେ ଯୋଗଦେଇ ସେ ଏହା କହିଛନ୍ତି।

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ସେ କହିଥିଲେ, କାର୍ଯ୍ୟ ସିଦ୍ଧି ପାଇଁ ସମର୍ପଣ ଆବଶ୍ୟକ। ଏହା ସୈନିକମାନେ ପ୍ରମାଣିତ କରିଛନ୍ତି। ସୈନିକମାନେ ସେବା ନିବୃତ୍ତ ହେବାପରେ ପୁନଶ୍ଚ ଦେଶର ସେବା କରିବା ପାଇଁ ସଂକଳ୍ପ ନେବା ସ୍ବାଗତଯୋଗ୍ୟ ପଦକ୍ଷେପ। ପରିଷଦର ଓଡ଼ିଶା ପ୍ରଦେଶର ଅଧ୍ୟକ୍ଷ ବ୍ରିଗେଡିୟର ଅଭିମନ୍ୟୁ ରାଉତ କହିଥିଲେ, ସେବାରେ ଥିବାବେଳେ ସୈନିକମାନେ ଯେପରି କାମ କରୁଥିଲେ ଏବେ ବି ସମାଜ ସେବା ଓ ସଂସ୍କୃତିର ସୁରକ୍ଷା ଦିଗରେ ସେହିପରି କାମ କରୁଛନ୍ତି। ସେଇ ଉଦ୍ଦେଶ୍ୟ ନେଇ ଏହି ପରିଷଦ ଗଠନ କରାଯାଇଛି। ଏହି ଅବସରରେ ସାଧାରଣ ସମ୍ପାଦକ ଦେବରାଜ ମଲ୍ଲିକ ଓ ସମ୍ପାଦକ ସଂଗ୍ରାମ କେଶରୀ ବରାଳ ପ୍ରମୁଖ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ। ଅଧିବେଶନରେ ଶରତ ଜୟସିଂହଙ୍କ ସମେତ କିଛି ସେବା ନିବୃତ୍ତ ସୈନିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

କାର୍ଯ୍ୟକ୍ରମରେ ସମଗ୍ର ଭାରତବର୍ଷରୁ ସେବା ନିବୃତ୍ତ ଜେନେରାଲ, ଲେଫ୍ଟନାଣ୍ଟ ଜେନେରାଲ, ବ୍ରିଗେଡିୟର୍‌, କର୍ଣ୍ଣେଲ, ଲେଫ୍ଟନାଣ୍ଟ କର୍ଣ୍ଣେଲ, ମେଜରମାନେ ଯୋଗ ଦେଇଥିଲେ। ସହିଦ ହୋଇଥିବା ସୈନିକମାନଙ୍କ ପତ୍ନୀମାନେ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ। ୭୦୦ରୁ ଅଧିକ ସେବା ନିବୃତ୍ତ ସୈନିକଙ୍କ ସମେତ ସେମାନଙ୍କ ପତ୍ନୀ ଓ ମା’ମାନେ ୩ଦିନିଆ କାର୍ଯ୍ୟକ୍ରମରେ ସାମିଲ୍‌ ହୋଇଥିଲେ।

ସମ୍ବନ୍ଧିତ ଖବର