ପ୍ରତିଦିନ କୋଭିଡ୍‌ ରୋଗୀଙ୍କ ସ୍ଥିତି ପରିବାରକୁ ଜଣାଅ, ସରକାରୀ ଓ‌ ଘରୋଇ ହସ୍ପିଟାଲକୁ ସ୍ବାସ୍ଥ୍ୟ ବିଭାଗର ନିର୍ଦେଶ

କୋଭିଡ୍‌ ହସ୍ପିଟାଲରେ ତୁରନ୍ତ ହେଲ୍‌ପ ଡେସ୍କ ପ୍ରତିଷ୍ଠା କର

ଭୁବନେଶ୍ବର: କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ପ୍ରତ୍ୟେକ ଦିନ ଅତିକମ୍‌ରେ ଥରେ ତାଙ୍କ ପରିବାର/ଆଟେଣ୍ଡାଣ୍ଟଙ୍କୁ ଜଣାଅ। ଏସ୍‌ଏମ୍‌ଏସ କିମ୍ବା ହ୍ବାଟ୍‌ସଆପ୍ ଜରିଆରେ ରୋଗୀଙ୍କ ସ୍ବର କିମ୍ବା ଛବି ସହ ଜଣାଇବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଏଥିପାଇଁ କୋଭିଡ୍‌ ହସ୍ପିଟାଲରେ ଟୋଲ ଫ୍ରି ନମ୍ବର ଜାରି କରାଯିବା ଜରୁରୀ। ଏହି ଟୋଲ ଫ୍ରି ନମ୍ବର ଯେଭଳି ୨୪ଘଣ୍ଟା କାର୍ଯ୍ୟ କରିବ ତାହାର ବ୍ୟବସ୍ଥା କରାଯିବା ଉଚିତ୍। ଏସବୁରେ ବିଫଳ ହେଲେ ସଂପୃକ୍ତ ହସ୍ପିଟାଲ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି।

କରୋନା ରୋଗୀଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ୍‌ ହସ୍ପିଟାଲ ପ୍ରତିଷ୍ଠା କରାଯାଇଛି। ଏହାସହ ୫ଟି ମ୍ୟୁନସିପାଲିଟିରେ ୩୦ରୁ ଅଧିକ ଶଯ୍ୟା ଥିବା ଘରୋଇ ହସ୍ପିଟାଲରେ ୫୦ ପ୍ରତିଶତ ଶଯ୍ୟା କରୋନା ରୋଗୀଙ୍କ ପାଇଁ ସଂରକ୍ଷିତ ରଖିବା ଲାଗି ସରକାରଙ୍କ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଏହାସହ ଅନ୍ୟ ଜିଲ୍ଲାରେ ୧୦ ପ୍ରତିଶତ ଶଯ୍ୟା ସଂରକ୍ଷିତ ରଖିବା
ଲାଗି କୁହାଯାଉଛି। ତେବେ ଏସବୁ ହସ୍ପିଟାଲରେ ଚିକିତ୍ସିତ ହେଉଥିବା କରୋନା ସଂକ୍ରମିତଙ୍କ ସ୍ଥିତି ସଂପର୍କରେ ସେମାନଙ୍କ ପରିବାରବର୍ଗ ଜାଣିପାରୁ ନାହାନ୍ତି। ଯାହାକୁ ନେଇ ପରିବାରବର୍ଗ ସବୁବେଳେ ଚିନ୍ତିତ ହେଉଛନ୍ତି। ଏଥିପାଇଁ ଉଭୟ ସରକାରୀ/ଘରୋଇ କୋଭିଡ୍‌ ହସ୍ପିଟାଲରେ ତୁରନ୍ତ ୨୪ଘଣ୍ଟିଆ ହେଲ୍‌ପ ଡେସ୍କ ପ୍ରତିଷ୍ଠା କରିବା ଲାଗି କୁହାଯାଇଛି। ‌ଗୋଟିଏ ସପ୍ତାହ ଭିତରେ ହେଲ୍‌ପ ଡେସ୍କ ପ୍ରତିଷ୍ଠା କରିବା ପାଇଁ ନିର୍ଦେଶ ଦିଆଯାଇଛି। ହେଲ୍‌ପ ଡେସ୍କକୁ ଆସିଥିବା ସମସ୍ତ କଲ୍‌କୁ ଯେପରି ଗ୍ରହଣ କରାଯିବ ସେଥିପାଇଁ ଆବଶ୍ୟକ ସଂଖ୍ୟକ କର୍ମଚାରୀଙ୍କୁ ନିୟୋଜିତ କରାଯିବା ଦରକାର। ଏହାସହ କୋଭିଡ୍‌ ହସ୍ପିଟାଲ ବାହାରେ ଏକ କନଫରେନ୍‌ସ ରୁମ୍‌ ମଧ୍ୟ ପ୍ରତିଷ୍ଠା କରିବା ଲାଗି ବିଭାଗ ନିର୍ଦେଶ ଦେଇଛି। ଏଥିରେ ଏକ ଟିଭି ସହିତ କ୍ୟାମେରାକୁ କୋଭିଡ୍‌ ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା ସିସିଟିଭି ସହିତ ‌ସଂଯୋଗ କରାଯାଉ। ଯାହାଫଳରେ ସଂପୃକ୍ତ ରୋଗୀଙ୍କ ଆଟେଣ୍ଡାଣ୍ଟ ରୋଗୀଙ୍କୁ ଦେଖିପାରିବା ସହିତ କଥା ମଧ୍ୟ ହୋଇପାରିବେ। ରୋଗୀ ଆଡମିସିନ୍ ହେବା ସମୟ‌ରେ ହିଁ ରୋଗୀଙ୍କ ସବିଶେଷ ତଥ୍ୟ ସଂଗ୍ରହ କରାଯିବା ଜରୁରୀ। ଯଦି ‌ହସ୍ପିଟାଲଗୁଡ଼ିକ ହେଲ୍‌ପ ଡେସ୍କ ପ୍ରତିଷ୍ଠା କିମ୍ବା ଏହାକୁ କାର୍ଯ୍ୟକାରୀ କରିବାରେ ବିଫଳ ହୁଅନ୍ତି ଏହାକୁ ଏକ ଅବହେଳା ଭାବେ ବିଚାର କରାଯିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର