୨୪ ଫସଲର ଋଣ ସୀମା ନିର୍ଧାରଣ

ଭୁବନେଶ୍ବର: ଚଳିତ ବର୍ଷ ଖରିଫ ଏବଂ ରବି ଋତୁରେ ବ୍ୟାଙ୍କ ପକ୍ଷରୁ ଏକର ପିଛା ସର୍ବାଧିକ ପରିମାଣ ପୁଞ୍ଜି ଲଗାଣର ସୀମା ନିର୍ଧାରଣ କରାଯାଇଛି। ଏଥିରେ ୩୦ ଜିଲ୍ଲାର ୨୪ ଫସଲ ଯଥା ଧାନ, ଚିନାବାଦାମ, କପା, ଅଦା, ହଳଦୀ, ମକା, ହରଡ଼, ଆଖୁ, ବିରି, ମୁଗ, ସୋରିଷ, ଆଳୁ, ପିଆଜ, ସୂର୍ଯ୍ୟମୁଖୀ, ମାଣ୍ଡିଆ, ଟମାଟୋ, ଲଙ୍କା, ବାଇଗଣ, ତରଭୂଜ, କୋବି ଓ ଅନ୍ୟାନ୍ୟ ପନିପରିବା ଚାଷ ପାଇଁ ଏକରପିଛା ଋଣର ସର୍ବାଧିକ ଆର୍ଥିକ ପରିମାଣ ନିର୍ଦ୍ଧାରିତ ହୋଇଛି। ରାଜ୍ୟସ୍ତରୀୟ ବୈଷୟିକ କମିଟିର ଏହି ନିଷ୍ପତ୍ତିକୁ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅନୁମୋଦନ କରିଛନ୍ତି। ଏସଂକ୍ରାନ୍ତରେ କୃଷି ଉତ୍ପାଦନ କମିସନରଙ୍କ ଅଧ୍ୟକ୍ଷତାରେ ଗଠିତ ରାଜ୍ୟସ୍ତରୀୟ ବୈଷୟିକ କମିଟିର ବୈଠକ ହୋଇଥିଲା। କୃଷି ସହିତ ମାଛଚାଷ, ପ୍ରାଣୀପାଳନ, କୁକୁଡ଼ା ଚାଷ, ଉଦ୍ୟାନ କୃଷି, ସମନ୍ୱିତ କୃଷି ମଡେଲ୍‌ ପାଇଁ ଆବଶ୍ୟକ ଚଳନ୍ତି ପୁଞ୍ଜି ଲଗାଣର ସର୍ବାଧିକ ସୀମାକୁ ନିର୍ଦ୍ଧାରିତ କରାଯାଇଛି। ନାବାର୍ଡ ଦ୍ୱାରା ଜାରି କରାଯାଇଥିବା ସଂଶୋଧିତ ମାର୍ଗଦର୍ଶିକା, ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ ଜିଲ୍ଲାସ୍ତରୀୟ ବୈଷୟିକ କମିଟିର ସୁପାରିସ, ମଜୁରି ହାର, ବିହନ, ସାର, କୀଟନାଶକ, ବୀମା ପ୍ରିମିୟମ ଆଦିକୁ ବିଚାରକୁ ନେଇ ଭିନ୍ନ ଜିଲ୍ଲାର ଭିନ୍ନ ଭିନ୍ନ ଫସଲ ପାଇଁ ଋଣ ନିର୍ଧାରଣ କରାଯାଇଛି। ଜାତୀୟକରଣ ବ୍ୟାଙ୍କ, ବାଣିଜ୍ୟିକ ବ୍ୟାଙ୍କ, ସମବାୟ ବ୍ୟାଙ୍କ, ଗ୍ରାମ୍ୟ ବ୍ୟାଙ୍କ ଆଦି ଋଣ ଲଗାଣର ସୀମା ନିର୍ଦ୍ଧାରଣକୁ ଅନୁପାଳନ କରି ଚାଷୀମାନଙ୍କୁ ଋଣ ଦିଆଯାଏ। ଏହି ହାର ମଧ୍ୟ ଫସଲବୀମା କ୍ଷତିପୂରଣ ଦେୟ ସ୍ଥିର କରିବାରେ ସହାୟକ ହୋଇଥାଏ। ରାଜ୍ୟରେ ସମବାୟ ବିଭାଗ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିକୁ ଚାଷୀମାନଙ୍କ ଅବଗତି ନିମନ୍ତେ ସମସ୍ତ ଜିଲ୍ଲାପାଳ, ନିବନ୍ଧକ, ସମବାୟ ସମିତି, ସଂପୃକ୍ତ ବିଭାଗ ଓ ନିର୍ଦ୍ଦେଶାଳୟ ଏବଂ ବ୍ୟାଙ୍କଗୁଡ଼ିକର ୱେବସାଇଟରେ ଉପଲବ୍ଧ ହେବ।

ସମ୍ବନ୍ଧିତ ଖବର