ସରକାରୀ ଅବହେଳା: ମିଟ୍‌କୁନ୍ଦୁରୀ-ଲହଣ୍ଡା ସେତୁ ନିର୍ମାଣରେ ବିଳମ୍ବ, ତେଜିଲା ଅସନ୍ତୋଷ

୧୦ରୁ ଅଧିକ ଗ୍ରାମବାସୀଙ୍କ ମେଳି, ଦାବି ପୂରଣ ନ ହେଲେ ଆନ୍ଦୋଳନ ନିଷ୍ପତ୍ତି

ରାଉରକେଲା: ଛ’ ବର୍ଷ ହେଲା ମିଟ୍‌କୁନ୍ଦୁରୀ-ଲହଣ୍ଡା ସେତୁ ନିର୍ମାଣ ସଂପନ୍ନ ହେଉନଥିବାରୁ ସାଧାରଣରେ ଜନଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ଆଜି ଏହାର ଝଲକ୍‌ ଦେଖିବାକୁ ମିଳିଛି। ଜନଆନ୍ଦୋଳନ ପାଇଁ ଅଞ୍ଚଳବାସୀ ପ୍ରସ୍ତୁତ ହେଲେଣି। କୁଆରମୁଣ୍ଡା ବ୍ଳକ ଅନ୍ତର୍ଗତ ଝାରବେଡ଼ା ପଞ୍ଚାୟତର ରିଉଁ ଗ୍ରାମରେ ଆଜି ଅନୁଷ୍ଠିତ ବୈଠକରେ ଆଖପାଖ ପ୍ରାୟ ୧୦ଟି ଗ୍ରାମର ସରପଞ୍ଚ, ସମିତି ସଭ୍ୟ, ଗ୍ରାମବାସୀ ଜମା ହୋଇଥିଲେ। ଖୁବଶୀଘ୍ର ଜିଲ୍ଲାପାଳଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ ସହ ପ୍ରକଳ୍ପ ସଂପୂର୍ଣ୍ଣ ପାଇଁ ସମୟ ନିର୍ଦ୍ଧାରଣ ପାଇଁ ଦାବି କରିବେ। ଦାବିପୂରଣ ନ ହେଲେ ଦୁର୍ବାର ଆନ୍ଦୋଳନ ଚେତାବନୀ ଦିଆଯାଇଛି।

ରବିବାର ପୂର୍ବାହ୍ନରେ ରିଉଁ ପୂଜା କମିଟି ସଭାପତି ବୁଧରାମ କୁମ୍ଭାରଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ କମିଟିର ସାଧାରଣ ସମ୍ପାଦକ ସୁଶାନ୍ତ ତ୍ରିପାଠୀ, ଝାରବେଡ଼ାର ପୂର୍ବତନ ସରପଞ୍ଚ ମହେଶ୍ୱର ଟପ୍ପୋ, ଜିଲ୍ଲା ସରପଞ୍ଚ ସଂଘ ଉପସଭାପତି ଅଜିତ ତିର୍କୀ, ସମାଜସେବୀ ମୀନକେତନ ସାହୁଙ୍କ ସମେତ କଚାରୁ, ଝାରବେଡ଼ା, ମେନମେନା, ଅଙ୍କୁରପଲ୍ଲୀ, ଝୀରପାଣି ଗ୍ରାମ ପଞ୍ଚାୟତର ସରପଞ୍ଚ ଉପସ୍ଥିତ ଥିଲେ। ଏହାସହ କନ୍ଦରକେଲା, କରମାବାହାଲ, କାରିଛାପଲ, କଦଳିବାହାଲ, ଟାଙ୍ଗରାଣୀ, ଲହଣ୍ଡା, ହାତିବାରୀ, ବରେଇଗଡ଼ା ଆଦି ଅଞ୍ଚଳର ଗ୍ରାମବାସୀ ଯୋଗଦେଇଥିଲେ। ଏହି ପ୍ରକଳ୍ପ ପାଇଁ ଉପଯୁକ୍ତ କ୍ଷତିପୂରଣ ଦିଆଯାଉନି। ଗତ ୬ ବର୍ଷ ହେଲା କ୍ଷତିପୂରଣ ପାଇଁ ପ୍ରତିଶ୍ରୁତି ଦିଆଯାଉଛି; କିନ୍ତୁ ଏହା ବାସ୍ତବତାରେ ପରିଣତ ହେଉନି। ଫଳରେ ଜମି ଅଧିଗ୍ରହଣ ହୋଇପାରୁନଥିବାରୁ ସେତୁ ନିର୍ମାଣ ଅଧପନ୍ତରିଆ ହୋଇ ପଡ଼ିରହିଥିବା ଅଭିଯୋଗ କରିଥିଲେ। ଦସ୍ତଖତ ଅଭିଯାନ ଆରମ୍ଭ କରାଯିବ। ଅଞ୍ଚଳର ହଜାର ହଜାର ଜନସାଧାରଣଙ୍କ ଦସ୍ତଖତ ସମ୍ବଳିତ ସ୍ମାରକ ପତ୍ର ଜିଲ୍ଲାପାଳଙ୍କକୁ ଦିଆଯିବ। ତଥାପି ଦାବି ପୂରଣ ନହେଲେ ରାଜରାସ୍ତାକୁ ଓହ୍ଲାଇବେ। ଜିଲ୍ଲାର ସମସ୍ତ ସରପଞ୍ଚଙ୍କ ସହ ମିଶି ଏହି ନ୍ୟାଯ୍ୟ ଲଢ଼େଇ ଆରମ୍ଭ ହେବବୋଲି ‌ନିଷ୍ପତ୍ତି ନିଆଯାଇଛି।

ପ୍ରକୃତରେ ଏହି ପ୍ରକଳ୍ପ ସମ୍ପନ୍ନ କରିବାରେ ଜିଲ୍ଲା ପ୍ରଶାସନର ଅବହେଳା ଓ ଆନ୍ତରିକତାର ଅଭାବ ସ୍ପଷ୍ଟ ପରିଲକ୍ଷିତ ହୁଏ। ନିର୍ମାଣକାର୍ଯ୍ୟ ଆରମ୍ଭ ହେବାର ୬ ବର୍ଷ ବିତିବା ସତ୍ତ୍ବେ ବ୍ରିଜ୍‌ ସମ୍ପନ୍ନ ନ ହେବା; ବିଡ଼ମ୍ବନା ବ୍ୟତିତ ଅନ୍ୟ କିଛି ହୋଇନପାରେ। ସହର ଉପକଣ୍ଠରେ ପ୍ରବାହିତ ଦେଓ ନଦୀରେ ମିଟ୍‌କୁନ୍ଦୁରୀ-ଲହଣ୍ଡା ବ୍ରିଜ୍‌ ନିର୍ମାଣ କାର୍ଯ୍ୟ ଗତ ୨୦୧୭-୧୮ ମସିହାରେ ଆରମ୍ଭ ହୋଇଥିଲ‌ା। ପ୍ରକଳ୍ପ ଶେଷ କରିବାକୁ ୨୦୨୦ ତାରିଖ ଧାର୍ଯ୍ୟ ହୋଇଥିଲା। ତେବେ ଅବଧିକୁ ପାଖାପାଖି ୩ ବର୍ଷ ବିତିଯାଇଥିଲେ ସୁଦ୍ଧା ନିର୍ମାଣ ଅସଂପୂର୍ଣ୍ଣ ଥିବାରୁ କୁଆରମୁଣ୍ଡା ଓ ନୂଆଗାଁ ବ୍ଲକର ପାଖାପାଖି ୨୦ରୁ ଉର୍ଦ୍ଧ୍ବ ଗ୍ରାମର ଜନସାଧାରଣ, ସ୍କୁଲ, କଲେଜ ଛାତ୍ରଛାତ୍ରୀ, କର୍ମଜୀବୀ, ଦିନ ମଜୁରିଆ, ପରିବା ବିକାଳି ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏମାନେ ପାଖାପାଖି ୪୦ କିଲୋମିଟର ବୁଲି ରାଉରକେଲାକୁ ଆସୁଛନ୍ତି। ରାଉରକେଲାକୁ ନ ଆସିଲେ ଘରେ ଚୂଳି ଜଳିବା କଷ୍ଟକର। ଏଣୁ ଅସ୍ଥାୟୀ ପୋଲ ତିଆରି ଜୀବନକୁ ବାଜି ଲଗାଇ ନଦୀ ପାର୍‌ ହେଉଥିବା ଦେଖିବାକୁ ମିଳୁଛି।

ସମ୍ବନ୍ଧିତ ଖବର