ଭୁବନେଶ୍ବର : ମାଲକାନଗିରିର ବିଚ୍ଛିନାଞ୍ଚଳ ତଥା ସ୍ବାଭିମାନ ଅଞ୍ଚଳକୁ ସଂଯୋଗ କରିବା ପାଇଁ ରାଜ୍ୟ ସରକାର ୨୦୧୮-୧୯ରୁ ‘ସାମାଜିକ ଅର୍ଥନୈତିକ ପରିବର୍ତ୍ତନ ଏବଂ ଉନ୍ନତି’ (ସେତୁ) ଯୋଜନା ଆରମ୍ଭ କରିଛନ୍ତି। ହେଲେ ୪ବର୍ଷରେ ମାତ୍ର ୪ଟି ପ୍ରକଳ୍ପ ଆରମ୍ଭ ହୋଇଛି। ଗୋଟିଏ ବି ସରିନି, ସବୁ ଅଧପନ୍ତରା। ଏପରିକି ଧାର୍ଯ୍ୟ ସମୟରେ କାମ ସରୁନଥିବାରୁ ୩ବର୍ଷରେ ପୂର୍ତ୍ତ ବିଭାଗ ୧୫କୋଟି ୪୬ଲକ୍ଷ ଟଙ୍କା ଫେରାଇ ସାରିଲାଣି। ନିର୍ମାଣାଧୀନ ବ୍ରିଜ୍ କାମ କେବେ ସରିବ ସେନେଇ କର୍ତ୍ତୃପକ୍ଷଙ୍କ ପାଖରେ ଉତ୍ତର ବି ନାହିଁ।
ପୂର୍ତ୍ତ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ସେତୁ ଯୋଜନା ପାଇଁ ୨୦୧୯-୨୦ରୁ ୨୦୨୨-୨୩ ପର୍ଯ୍ୟନ୍ତ ୪ବର୍ଷରେ ପୂର୍ତ୍ତ ବିଭାଗକୁ ୨୮.୬୫କୋଟି ଟଙ୍କା ଆବଣ୍ଟନ ହୋଇଥିଲେ ହେଁ ଏପର୍ଯ୍ୟନ୍ତ ମାତ୍ର ୧୧କୋଟି ୧୮ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ୨୦୧୯-୨୦ରୁ ଚିତ୍ରକୋଣ୍ଡା ବ୍ଲକର ମାଳିଗୁଡ଼ା ନଦୀ ଉପରେ ମୁତାମ୍ବା, ମାଳିଗୁଡ଼ା, ଦୋଳିଆମ୍ବକୁ ସଂଯୋଗ କରିବା ପାଇଁ ନିର୍ମାଣ ହେଉଥିବା ବ୍ରିଜ୍ ପାଇଁ ୧୧କୋଟି ୪ଲକ୍ଷ ୪୮ହଜାର, କୁନିଗୋଡ଼ା ଠାରେ ରୁମା ନଦୀରେ ପେପରମେଟିଆ, କୁନିଗୁଡ଼ା, ପାଲୁଗନ୍ଧକୁ ସଂଯୋଗ କରିବା ପାଇଁ ୮କୋଟି ୬୪ଲକ୍ଷ ୯ହଜାର, ଜୁଡାମ୍ବୋ, ବନ୍ଧୁଗୁଡ଼ା ଏବଂ ଗଜଲମାମୁଣ୍ଡିକୁ ସଂଯୋଗ କରିବା ପାଇଁ ଏକ ନାଳ ଉପରେ ବ୍ରିଜ୍ ନିର୍ମାଣ ପାଇଁ ୬କୋଟି ୭୩ଲକ୍ଷ ୬୭ହଜାର, ପେପରମେଟଲା, ଡୋଳିଆମ୍ବ, ମାଲିଗୁଡ଼ାକୁ ସଂଯୋଗ କରିବା ପାଇଁ ନିର୍ମାଣ ହେଉଥିବା ବ୍ରିଜ୍ ପାଇଁ ୬କୋଟି ୨୧ଲକ୍ଷ ୯୫ହଜାର ଟଙ୍କା ଆବଶ୍ୟକ। ଏହିପରି ୪ଟି ବ୍ରିଜ୍ ପାଇଁ ୩୨କୋଟି ୬୪ଲକ୍ଷ ୧୯ହଜାର ଟଙ୍କା ଆବଶ୍ୟକ ଥିବାବେଳେ ଏହି ସବୁ ପ୍ରକଳ୍ପକୁ ୨୦୧୯-୨୦ରେ ୨କୋଟି, ୨୦୨୦-୨୧ରେ ୧୨କୋଟି, ୨୦୨୧-୨୨ରେ ୧୦କୋଟି ୫୦ଲକ୍ଷ ଏବଂ ୨୦୨୨-୨୩ରେ ୪କୋଟି ୧୫ଲକ୍ଷ ୭୫ହଜାର ଟଙ୍କା ଆବଣ୍ଟନ ହୋଇଛି। ଗତ ୪ବର୍ଷରେ ଏହିପରି ମୋଟ୍ ୨୮କୋଟି ୬୫ଲକ୍ଷ ୭୫ହଜାର ଟଙ୍କା ଆବଣ୍ଟନ ହୋଇଥିବାବେଳେ ଏଥିରୁ ମାତ୍ର ୧୧କୋଟି ୧୮ଲକ୍ଷ ୬୩ହଜାର ଟଙ୍କା ଖର୍ଚ୍ଚ ହୋଇଛି।
ବିଭାଗୀୟ ଅଧିକାରୀମାନେ ଅର୍ଥ ଖର୍ଚ୍ଚ କରିନପାରିବାରୁ ୨୦୧୯-୨୦ରେ ସଂପୂର୍ଣ୍ଣ ୨କୋଟି ଟଙ୍କା ଫେରାଇଦେଇଥିଲେ। ୨୦୨୦-୨୧ରେ ମିଳିଥିବା ୧୨କୋଟିରୁ ୨କୋଟି ୬୯ଲକ୍ଷ ୨୦ହଜାର ଟଙ୍କା ଖର୍ଚ୍ଚ କରିଥିବାବେଳେ ୯କୋଟି ୩୦ଲକ୍ଷ ୭୧ହଜାର ଟଙ୍କା ଫେରାଇଥିଲେ। ୨୦୨୧-୨୨ରେ ୧୦କୋଟି ୫୦ଲକ୍ଷ ମିଳିଥିବାବେଳେ ୬କୋଟି ୩୪ଲକ୍ଷ ୨୫ହଜାର ଟଙ୍କା ଖର୍ଚ୍ଚ କରିଥିବାବେଳେ ୪କୋଟି ୧୫ଲକ୍ଷ ୭୫ହଜାର ଟଙ୍କା ଫେରାଇଥିଲେ। ଏହିପରି ୧୫କୋଟି ୪୬ଲକ୍ଷ ୪୬ହଜାର ଟଙ୍କା ଫେରାଇଛନ୍ତି।
ସୂଚନାଯୋଗ୍ୟ ଯେ, ୨୦୧୮ ମସିହାରେ ମୁଖ୍ୟମନ୍ତ୍ରୀ ମାଲକାନଗିରିର ବିଚ୍ଛିନାଞ୍ଚଳର ଯୋଗାଯୋଗ ଏବଂ ଅନ୍ୟାନ୍ୟ ଭିତ୍ତିଭୂମିର ଉନ୍ନତୀକରଣ ପାଇଁ ଏହି ‘ସେତୁ’ ଯୋଜନା ଘୋଷଣା କରିଥିଲେ। ଏହାପରେ ଏହି ଅଞ୍ଚଳର ବିକାଶ ପାଇଁ ୧୬୦କୋଟିର ଯୋଜନା ଘୋଷଣା ହେଲାଣି। କିନ୍ତୁ ଏବେ ବି ବିଚ୍ଛିନାଞ୍ଚଳକୁ ସଂଯୋଗ ପାଇଁ ବ୍ରିଜ୍ ନିର୍ମାଣ ହୋଇପାରୁନି।