ସେବାଶ୍ରମର ଛାତ୍ରୀ ୩ ମାସର ଗର୍ଭବତୀ : ପ୍ରଧାନ ଶିକ୍ଷୟିତ୍ରୀଙ୍କ ସ୍ୱାମୀଙ୍କ ସମେତ ୩ ଅଟକ

ଡିସିପିଓଙ୍କ ଅଭିଯୋଗ କ୍ରମେ ଥାନାରେ ମାମଲା ରୁଜୁ, ଏସଡିପିଓଙ୍କ ଉପସ୍ଥିତିରେ ନାବାଳିକାଙ୍କ ବୟାନ ରେକର୍ଡ

ଜୟପୁର : ପୁଣି ସେବାଶ୍ରମରେ ଲଜ୍ଜା। ଜୟପୁର ସହର ଉପକଣ୍ଠ ଫାମ୍ପୁଣୀ ସେବାଶ୍ରମରେ ଜଣେ ଛାତ୍ରୀ ଗର୍ଭବତୀ ହୋଇଛନ୍ତି। ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ତତ୍ପରତା ପ୍ରକାଶ କରିଛି ପ୍ରଶାସନ। ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇ ନଥିବା ବେଳେ ସନ୍ଦେହରେ ୩ଜଣଙ୍କୁ ଅଟକ ରଖିଛି ପୁଲିସ। ଚକିତ କଲା ଭଳି ବିଷୟ ହେଲା ସେବାଶ୍ରମର ପ୍ରଧାନ ଶିକ୍ଷୟିତ୍ରୀଙ୍କ ସ୍ବାମୀଙ୍କୁ ଏହି ଘଟଣାରେ ପୁଲିସ ଉଠାଇ ନେଇଛି। ଅନ୍ୟପଟେ ତିନି ଦିନ ତଳେ ଛାତ୍ରୀ ଗର୍ଭବତୀ ହୋଇଥିବା ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ଜାଣି ସାରିଥିଲେ। କିନ୍ତୁ ଘଟଣାର ରଫାଦଫା କରିବାକୁ ଗୋପନୀୟତା ଅବଲମ୍ବନ କରି ଚାଲିଥିଲେ। କୌଣସି ପ୍ରକାର କଥା ପ୍ରଘଟ ହେବାରୁ ଏବେ ଏହି ଘଟଣାରେ ମୁଣ୍ଡ ପୂରାଇଛି ଶିଶୁ ମଙ୍ଗଳ କମିଟି ଏବଂ ଡିସିପିଓ।

ଛାତ୍ରୀ ଜଣକ ଗତ ୩ମାସ ହେଲା ସାନିଟାରି ନାପକିନ୍ ନେଉ ନଥିବା ନେଇ ସେବାଶ୍ରମ କର୍ତ୍ତୃପକ୍ଷ ହଷ୍ଟେଲ ରେଜିଷ୍ଟରରୁ ଜାଣିବାକୁ ପାଇଥିଲେ। ସନ୍ଦେହ ହେବାରୁ ଛାତ୍ରୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଣିଥିଲେ। ସ୍ବାସ୍ଥ୍ୟ ପରୀକ୍ଷା ପରେ ସେ ୩ମାସର ଗର୍ଭବତୀ ଥିବା ଜଣାପଡ଼ିଥିଲା। ଗତକାଲି ଏହି ଘଟଣା ସେବାଶ୍ରମ ପାଚେରି ଡେଇଁ ପଦାକୁ ଆସିଥିଲା। କିନ୍ତୁ କେହି କିଛି ସ୍ପଷ୍ଟ ଉତ୍ତର ରଖୁ ନଥିଲେ। ଆଜି ଏନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବାରୁ ପ୍ରଶାସନ ତତ୍ପରତା ପ୍ରକାଶ କରିଥିଲା। ଆଜି ସକାଳୁ ପିଏ ଆଇଟିଡିଏ ଗୋପୀନାଥ ସାରକା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୁଭଶ୍ରୀ ଦାସ, ସଡବ୍ଲୁସି ଅଧ୍ୟକ୍ଷା ଗାୟତ୍ରୀ ଦେବୀ ପ୍ରମୁଖ ସେବାଶ୍ରମରେ ପହଞ୍ଚିଥିଲେ। ଛାତ୍ରୀଙ୍କୁ ପୁଣି ‌ଡାକ୍ତରଖାନା ନେଇ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ଛାତ୍ରୀ ଜଣକ ଗର୍ଭବତୀ ରହିଥିବା ସ୍ପଷ୍ଟ ହେବାରୁ ପ୍ରଶାସନ ପକ୍ଷରୁ ଜୟପୁର ସଦର ଥାନାରେ ଏତଲା ଦିଆଯାଇଛି। ଜୟପୁର ଏସଡିପିଓଙ୍କ ଉପସ୍ଥିତିରେ ଛାତ୍ରୀଙ୍କ ବୟାନ ରେକର୍ଡ କରାଯାଇଛି।

ଅଭିଯୋଗ ମିଳିବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସେବାଶ୍ରମରେ ପହଞ୍ଚି ସହପାଠୀ ଏବଂ କର୍ତ୍ତୃପକ୍ଷଙ୍କୁ ପଚରା ଉଚୁରା କରାଯାଇଥିଲା। ଏହାପରେ ସେବାଶ୍ରମ ପ୍ରଧାନ ଶିକ୍ଷୟିତ୍ରୀ ସୁକାନ୍ତୀ ରଥଙ୍କ ସ୍ବାମୀ ଏବଂ ସ୍ଥାନୀୟ ଦୁଇ ଜଣ ଯୁବକଙ୍କୁ ଉଠାଇ ଆଣିଛି। ସେମାନଙ୍କୁ ପଚରାଉଚୁରା ଚାଲିଥିବା ବେଳେ କେଉଁ ପରିସ୍ଥିତିରେ ଛାତ୍ରୀ ଜଣକ ଗର୍ଭବତୀ ହେଲେ ସେନେଇ କିଛି ଜଣାପଡ଼ିନାହିଁ। ପୁଣି ଶୁଣିବାକୁ ମିଳୁଛି ଯେ, ଛାତ୍ରୀ ଜଣକ ଦଶହରା ଛୁଟିରେ ନିଜ ଘରକୁ ଯାଇଥିଲେ। ସାଥୀରେ ତାଙ୍କର ଫାମ୍ପୁଣୀ ଅଞ୍ଚଳର ଜଣେ ଯୁବକ ମଧ୍ୟ ଯାଇଥିଲେ। ଉକ୍ତ ଯୁବକଙ୍କ ସହ କାଳେ ଛାତ୍ରୀଙ୍କ ପ୍ରେମ ସଂପର୍କ ରହିଥିଲା ବୋଲି ପୁଲିସ ସନ୍ଦେହ କରୁଛି। ତେଣୁ ଉକ୍ତ ଯୁବକଙ୍କୁ ପଚରା ଉଚୁରା ଚାଲିଥିବା ନେଇ ପୁଲିସ କହିଛି। ଏହା ବ୍ୟତୀତ ପୁଲିସକୁ ସେବାଶ୍ରମ ସଂପର୍କରେ ଅନେକ ତଥ୍ୟ ମିଳିଥିଲେ ମଧ୍ୟ ଗଣମାଧ୍ୟମକୁ କହିବାକୁ ମନା କରି ଦେଇଛି।

ଏ ନେଇ ଡିସିପିଓ କହିଛନ୍ତି ଯେ, କାଉନସେଲିଂ ପରେ ଛାତ୍ରୀ ଜଣକ ଯୌନ ନିର୍ଯାତନାର ଶିକାର ହୋଇଥିବା ଜଣାପଡ଼ିଛି। ଏନେଇ ସଦର ଥାନାରେ ଏତଲା ଦେବାପରେ ପୁଲିସ ମାମଲା ରୁଜୁ କରି ତଦନ୍ତ କରୁଛି। ସିଡବ୍ଲୁସି ଅଧ୍ୟକ୍ଷା ଗାୟତ୍ରୀ ଦେବୀ କହିଛନ୍ତି ଯେ, ସିଡବ୍ଲୁସି ଓ ସିଡିପିଓଙ୍କ ଯୁଗ୍ମ ତଦନ୍ତ ଓ ପଚରାଉଚୁରା ପରେ ଅଭିଯୁକ୍ତ କିଏ ବୋଲି ଜାଣିଲୁ। ଆଇନ ଅନୁସାରେ ପଦକ୍ଷେପ ନିଆଯିବ। ଆସନ୍ତାକାଲି ଫୁଲ ବେଞ୍ଚ୍‌ରେ ଛାତ୍ରୀଙ୍କୁ ହାଜର କରାଯିବ। ଏହାପରେ ଆଇନଗତ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ଅନ୍ୟପଟେ ଦଶହରା ଛୁଟି ପରେ ଛାତ୍ରୀ ଜଣକ ସାନିଟାରି ନାପକିନ୍ ନେଇ ନଥିଲେ। ତେଣୁ ସ୍ବାସ୍ଥ୍ୟ ପରୀକ୍ଷା କରିବାରୁ ସେ ଗର୍ଭବତୀ ଥିବା ଜଣାବାକୁ ପାଇଲୁ ବୋଲି ପ୍ରଧାନ ଶିକ୍ଷୟିତ୍ରୀ ସୁକାନ୍ତୀ ରଥ କହିଛନ୍ତି।

ସମ୍ବନ୍ଧିତ ଖବର