ଶଙ୍କରାଚାର୍ଯ୍ୟଙ୍କ ଶରଣ ପଶିଲେ ସେବାୟତ

ପୁରୀ : ଜଗତଗୁରୁ ଶଙ୍କରାଚାର୍ଯ୍ୟ ସନାତନ ଧର୍ମର ପ୍ରାଣ ପ୍ରତିଷ୍ଠାତା। ହଜାର ହଜାର ବର୍ଷ ଧରି ଶଙ୍କରାଚାର୍ଯ୍ୟ ଶାସ୍ତ୍ରାନୁମୋଦିତ ଧର୍ମର ପ୍ରତିପାଳନ କରି ଆସୁଛନ୍ତି। ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥ ଧର୍ମ, ସଂସ୍କୃତି, ପରମ୍ପରାକୁ ବଞ୍ଚାଇ ରଖିଛନ୍ତି। ତାଙ୍କୁ ଅଣଦେଖା ଆଜି ବିପତ୍ତି ଡାକିଆଣିଛି। ସେବାୟତମାନେ ଶଙ୍କରାଚାର୍ଯ୍ୟଙ୍କୁ ଅଣଦେଖାର ପରିଣାମ ଭୋଗୁଛନ୍ତି। ବଂଶାନୁକ୍ରମିକ ସେବା ବନ୍ଦ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ସେବାୟତମାନେ ଶରଣ ପଶିବା ପରେ ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟ ଆଜି ଏମିତି କିଛି ବିଷୋଦ୍‌ଗାର ଢ଼ାଳିଛନ୍ତି।

ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ରାଜ୍ୟ ସରକାର ଗଠନ କରିଥିବା ବିଚାର ବିଭାଗୀୟ ତଦନ୍ତ କମିସନ୍‌ ଆସନ୍ତା ୩୦ ତାରିଖରେ ପୁରୀ ଆସୁଛନ୍ତି। ସେପଟେ ଶ୍ରୀମନ୍ଦିରରେ ବଂଶାନୁକ୍ରମିକ ସେବା ବନ୍ଦ, ଅଣହିନ୍ଦୁ ପ୍ରବେଶ, ଦାନଦକ୍ଷିଣା ଆଦାୟ ବନ୍ଦ ଆଦି ପ୍ରସଙ୍ଗରେ ସୁପ୍ରିମ୍‌କୋର୍ଟଙ୍କ ଦ୍ଵାରା ନିଯୁକ୍ତ ଆମିକସ୍‌କ୍ୟୁରି ମଧ୍ୟ ନିକଟରେ ପୁରୀ ଆସୁଛନ୍ତି। ସେବାୟତଙ୍କ ପାଇଁ ଏହା ବିପତ୍ତି ଆଣି ଦେଇଥିବା ବେଳେ ଆଜି ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ସମେତ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ, ବିଭିନ୍ନ ନିଯୋଗର ସଭାପତି, ସଂପାଦକ, ସେବାୟତମାନେ ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ଶରଣ ପଶିବା ସହ ଏହା ଉପରେ ଆବଶ୍ୟକ ପରାମର୍ଶ ଲୋଡ଼ିଥିଲେ। ଏହି ଅବସରରେ ପୂର୍ବତନ ପରିଚାଳନା କମିଟି ସଦସ୍ୟ ରବୀନ୍ଦ୍ର ପ୍ରତିହାରୀ ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମ୍‌କୋର୍ଟଙ୍କ ନିକଟରେ ଦାଖଲ ପ୍ରସ୍ତାବ ଉପରେ ଜଗତ୍‌ଗୁରୁଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କହିଥିଲେ, ବଂଶାନୁକ୍ରମିକ ସେବା ବନ୍ଦ ହୋଇଗଲେ ଶ୍ରୀମନ୍ଦିର ପରମ୍ପରା ବନ୍ଦ ହୋଇଯିବ। ଶ୍ରୀମନ୍ଦିରରେ ଅଣହିନ୍ଦୁଙ୍କ ଉପରେ ଅଙ୍କୁଶ କାହିଁ କେଉଁ ଯୁଗରୁ ରହି ଆସିଛି। ଇଂରେଜ ଶାସନ ଅମଳରେ ବି ଏହା ଅକ୍ଷୁଣ୍ଣ ଥିଲା। ଏହା ହେଲେ ଶ୍ରୀମନ୍ଦିର ପରମ୍ପରା କ୍ଷୁଣ୍ଣ ହେବ। ଶ୍ରୀମନ୍ଦିର ଆଇନରେ ବି ଅଣହିନ୍ଦୁ ପ୍ରବେଶ ନିଷେଧ ଉପରେ ଉଲ୍ଲେଖ ରହିଛି। ଦାନଦକ୍ଷିଣା ଉପରେ ଭକ୍ତଙ୍କୁ ଯେଉଁ ଦୁର୍ବ୍ୟବହାର ଅଭିଯୋଗ ଉଠିଛି ତାହା ଭିତ୍ତିହୀନ। ଗରାବଡ଼ୁ ନିଯୋଗ ସଂପାଦକ ରଜନ ପ୍ରତିହାରୀ କହିଥିଲେ, ଦାନଦକ୍ଷିଣା ଏବଂ ବଂଶାନୁକ୍ରମିକ ସେବା ବନ୍ଦ ହୋଇଗଲେ ସେବାୟତ ପରିବାର ବଞ୍ଚିବା, ଚଳିବା କଷ୍ଟକର ହୋଇପଡ଼ିବ। ଏହା ଉପରେ ସୁପ୍ରିମ୍‌କୋର୍ଟରେ ପକ୍ଷ ରଖିବାକୁ ସେ ଶଙ୍କରାଚାର୍ଯ୍ୟଙ୍କୁ ଅନୁରୋଧ କରିଥିଲେ।

ପୂର୍ବତନ ପରିଚାଳନା କମିଟି ସଦସ୍ୟ ବୈଦ୍ୟନାଥ ମହାସୁଆର, ସୌମେନ୍ଦ୍ର ମୁଦୁଲି, ମା ସୁଭଦ୍ରାଙ୍କ ବାଡ଼ଗ୍ରାହୀ ରାମଚନ୍ଦ୍ର ଦାସ ମହାପାତ୍ର, ସୁଆର-ମହାସୁଆର ନିଯୋଗର ଦାମୋଦର ମହାସୁଆର, ପୂର୍ବତନ ପରିଚାଳନା କମିଟି ସଦସ୍ୟ ଭଗବାନ ମହାସୁଆର, ପୁଷ୍ପାଳକ ନିଯୋଗ ସଭାପତି ରାମଚନ୍ଦ୍ର ସିଂଘାରି ପ୍ରମୁଖ ସୁପ୍ରିମ୍‌କୋର୍ଟରେ ଦାଖଲ ପ୍ରସ୍ତାବ ଉପରେ ମତ ରଖିଥିଲେ। ଆମିକସ୍‌କ୍ୟୁରି ପୁରୀ ଆସିଲେ ତାଙ୍କୁ ଗୋବର୍ଦ୍ଧନ ପୀଠକୁ ଡକାଯାଇ ଏହା ଉପରେ ବିସ୍ତୃତ ଆଲୋଚନା କରାଯାଉ ବୋଲି ସେବାୟତମାନେ ମତ ଦେଇଥିଲେ। ଏହି ଅବସରରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ବି ନିଜ ପକ୍ଷ ରଖିଥିଲେ। ୧୯୭୯ ମସିହାରେ ଶ୍ରୀମନ୍ଦିର ସଂସ୍କାର ଉପରେ ଗଠିତ କମିଟି ଓ ପରବର୍ତୀ ସମୟରେ ଗଠିତ କମିଟି ଯେଉଁ ସବୁ ରିପୋର୍ଟ ଦେଇଥିଲେ ସେଥିରେ ବଂଶାନୁକ୍ରମିକ ସେବାକୁ ଦାୟୀ କରାଯାଇଥିଲା। ବଂଶାନୁକ୍ରମିକ ସେବା ଯୋଗୁ ଶ୍ରୀମନ୍ଦିରରେ ବିଭ୍ରାଟ ସୃଷ୍ଟି ହେଉଥିବା ଦୁଇ କମିଟି ରିପୋର୍ଟ ଦେଇଥିଲେ। ଏହି ରିପୋର୍ଟକୁ ଅଧାର କରି ଜିଲ୍ଲା ଜଜ୍‌ ସୁପ୍ରିମ୍‌କୋର୍ଟଙ୍କୁ ବଂଶାନୁକ୍ରମିକ ସେବା ହଟାଇବାକୁ ପ୍ରସ୍ତାବ ଦେଇଥିବା ଗଜପତି କହିଥିଲେ। ଏଣୁ ଶ୍ରୀମନ୍ଦିର ପରମ୍ପରାର ସୁରକ୍ଷା ଓ ସେବାୟତଙ୍କ ପେଟପାଟଣା କଥାକୁ ଚିନ୍ତା କରି ମାର୍ଗଦର୍ଶନ କରିବାକୁ ସେ ଶଙ୍କରାଚାର୍ଯ୍ୟଙ୍କୁ ଅନୁରୋଧ କରିଥିଲେ।

ଗଜପତି ମହାରାଜ ଓ ସେବାୟତଙ୍କଠାରୁ ସମସ୍ତ ବିଷୟ ଶୁଣିବା ପରେ ଶଙ୍କରାଚାର୍ଯ୍ୟ କହିଥିଲେ, ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ ସମ୍ପୂର୍ଣ୍ଣ ଶାସ୍ତ୍ର ବିରୋଧୀ। ଯେଉଁ ଅଣହିନ୍ଦୁମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଚାହୁଁଛନ୍ତି ସେମାନେ ପତିତପାବନଙ୍କୁ ଦର୍ଶନ କରିପାରିବେ। ସେବାୟତଙ୍କ ବଂଶାନୁକ୍ରମିକ ସେବା ଉଚ୍ଛେଦ ବି ଠିକ୍‌ ନୁହେଁ। ବଂଶାନୁକ୍ରମିକ ସେବାରୁ ବଞ୍ଚିତ କରିବା ଅପେକ୍ଷା ସେବାୟତଙ୍କୁ ସଂସ୍କାର ଦେବା, ପରମ୍ପରା ବିଷୟରେ ଅବଗତ କରିବା ଉପରେ ଗୁରୁତ୍ଵ ଦେବା ଉଚିତ୍‌। ଯେଉଁମାନଙ୍କ ପାଇଁ ଆଜି ଏହି ପରିସ୍ଥିତି ଉପୁଜିଛି ସେମାନଙ୍କୁ ଚିହ୍ନଟ କରିବାକୁ ବି ଶଙ୍କରାଚାର୍ଯ୍ୟ ପରାମର୍ଶ ଦେଇଥିଲେ। ଯେଉଁମାନେ ତାଙ୍କ ପରାମର୍ଶକୁ ହେୟଜ୍ଞାନ କରୁଥିଲେ ସେମାନେ ଆଜି ବିପତ୍ତି ଆସିଛି ବୋଲି ପରାମର୍ଶ ଲୋଡୁଛନ୍ତି। ତଥାପି ସେ ଶ୍ରୀମନ୍ଦିର ପରମ୍ପରାର ସୁରକ୍ଷା ପାଇଁ ସେବାୟତଙ୍କ ସହ ଅଛନ୍ତି ବୋଲି ଶଙ୍କରାଚାର୍ଯ୍ୟ କହିଥିଲେ। ଏହି ଅବସରରେ ଗଜପତିଙ୍କ ପରାମର୍ଶକ୍ରମେ ସୁପ୍ରିମ୍‌କୋର୍ଟଙ୍କ ପ୍ରସ୍ତାବ ଉପରେ ଏକ ଲିଗାଲ୍‌ ସେଲ୍‌ ଗଠନ କରାଯାଇଥିଲା। ଯେଉଁଥିରେ ରବିନାରାୟଣ ପ୍ରତିହାରୀ, ଲୋକନାଥ ସୁଆର, ହରେକୃଷ୍ଣ ପ୍ରତିହାରୀ, ବାବନ ମହାସୁଆର, ଗୋପୀନାଥ ମହାସୁଆର ପ୍ରମୁଖ ସଦସ୍ୟ ରହିଛନ୍ତି।

ସମ୍ବନ୍ଧିତ ଖବର