ସାକ୍ଷୀଗୋପାଳ : ସାକ୍ଷୀଗୋପାଳ ମନ୍ଦିର ସେବାୟତ ସଂଘ ପକ୍ଷରୁ ଆଜି ଅପରାହ୍ଣରେ ମନ୍ଦିର ସିଂହଦ୍ୱାର ନିକଟରେ ଧାରଣା ଦିଆଯାଇଛି। ଫଳରେ ମନ୍ଦିରର ଦେବନୀତି ବନ୍ଦ ରହିଛି। ଓଡ଼ିଆ ବିଶ୍ୱବିଦ୍ୟାଳୟକୁ ଦେବୋତ୍ତର ବିଭାଗ ତରଫରୁ ରାଧାକୁଣ୍ଡ ତୀର୍ଥ ପୁଷ୍କରିଣୀ ଓ ସେବାୟତ ଶ୍ମଶାନ ହସ୍ତାନ୍ତର କରାଯାଇଛି। ଏଥିପାଇଁ ଆଜି ସେବାୟତ ଶ୍ମଶାନ ଉଚ୍ଛେଦ ଆରମ୍ଭ ହୋଇଥିଲା। କିନ୍ତୁ ଏହାକୁ ବିରୋଧ କରି ସେବାୟତମାନେ ଧାରଣାରେ ବସିଥିଲେ। ଓଡ଼ିଆ ବିଶ୍ୱବିଦ୍ୟାଳୟ ନିର୍ମାଣ କରୁଥିବା ଓଡ଼ିଶା ସେତୁ ନିର୍ମାଣ ନିଗମ କର୍ତ୍ତୃପକ୍ଷ ମନ୍ଦିର ପ୍ରଶାସନ କିମ୍ବା ତହସିଲ୍ଦାରଙ୍କୁ ଅବଗତ ନ କରି ଶ୍ମଶାନ ଉଚ୍ଛେଦ କରିଥିବା ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱବାସୀ ତ୍ରିପାଠୀ ସତ୍ୟବାଦୀ ଥାନାରେ ଅଭିଯୋଗ କରିଥିଲେ। ତହସିଲ୍ଦାର ଜୟନ୍ତ କୁମାର ଜୟସିଂ ଧାରଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିଥିଲେ। ରଥଯାତ୍ରା ଶେଷ ପର୍ଯ୍ୟନ୍ତ ଆନ୍ଦୋଳନକୁ ସ୍ଥଗିତ ରଖିବା ପାଇଁ ସେ ସେବାୟତମାନଙ୍କୁ ଅନୁରୋଧ କରିଥିଲେ। ତେବେ ଖବର ଲେଖା ହେବା ସୁଦ୍ଧା ସେବାୟତଙ୍କ ଆନ୍ଦୋଳନ ଚାଲୁ ରହିଛି। ଫଳରେ ମନ୍ଦିରରେ ଠାକୁରଙ୍କ ଦେବନୀତି ହୋଇପାରିନାହିଁ। ସନ୍ଧ୍ୟା ଆଳତି ପରେ ପହଡ଼ ନ ହୋଇ ଠାକୁର ଓପାସ ଓ ଅନିଦ୍ରା ରହିଛନ୍ତି।
ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ତ୍ରିପାଠୀଙ୍କ ଅଭିଯୋଗ ସମ୍ପର୍କରେ ସତ୍ୟବାଦୀ ଥାନା ଆଇଆଇସି ବିଜୟ କେତନ ବେହେରାଙ୍କ ସହିତ ଯୋଗାଯୋଗ କରାଯାଇଥିବା ବେଳେ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି କହିଛନ୍ତି। ନୂତନ ଶ୍ମଶାନ ନିର୍ମାଣ ନିମନ୍ତେ ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟସିଂଙ୍କୁ ପଚାରିବାରେ ସେ କହିଥିଲେ ଯେ, ଓଡ଼ିଶା ସେତୁ ନିର୍ମାଣ ନିଗମ ତରଫରୁ ସତ୍ୟବାଦୀ ବିଡିଓଙ୍କୁ ୬ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ମନ୍ଦିର ପ୍ରଶାସନ ତରଫରୁ ପ୍ରଦତ୍ତ ଜମିରେ ଶ୍ମଶାନ ନିର୍ମାଣ ଆରମ୍ଭ ହୋଇଥିଲା। ପରେ ଦେବୋତ୍ତର ବିଭାଗ ତରଫରୁ ସେହି ସ୍ଥାନରେ ଶ୍ମଶାନ ନିର୍ମାଣକୁ ବିରୋଧ କରାଯାଇଥିଲା। ଫଳରେ ନୂତନ ଶ୍ମଶାନ ନିର୍ମାଣ ବନ୍ଦ ରହିଛି। ସେବାୟତଙ୍କ ଆନ୍ଦୋଳନ ସମ୍ପର୍କରେ ସେବାୟତ ସଂଘ ସଭାପତି ଶ୍ରୀବତ୍ସ ମହାପାତ୍ରଙ୍କୁ ପଚାରିବାରୁ ଦାବି ପୂରଣ ହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲୁ ରହିବ ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/sakhigopal.jpg)