କୁଆଡେ ଗଲା ସେବାୟତଙ୍କ ସତ୍ୟପାଠ?

ସେବାୟତ ଲିଗାଲ୍‌ ସେଲ୍‌ କମିଟିର ଉଦ୍‌ବେଗ

ପୁରୀ : ମାନ୍ୟବର ସୁପ୍ରିମକୋର୍ଟରେ ପକ୍ଷ ରଖିବା ଓ ତଥ୍ୟ ପ୍ରମାଣ ଯୋଗାଡ କରିବା ପାଇଁ ଗଠିତ ହୋଇଥିବା ୫ ଜଣିଆ ଲିଗାଲ ସେଲ୍‌ କମିଟି (ଆଇନ ପରାମର୍ଶଦାତା) କମିଟିର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସେବାୟତଙ୍କ ପକ୍ଷରୁ କି ପ୍ରକାର ତଥ୍ୟ ପ୍ରମାଣ ମାନ୍ୟବର ସୁପ୍ରିମକୋର୍ଟରେ ଉପସ୍ଥାପନ କରାଯିବ ସେ ସଂପର୍କରେ ଆଲୋଚନା କରାଯାଇଥିଲା। ସେବାୟତଙ୍କ ପକ୍ଷରୁ ସତ୍ୟପାଠ କରିଥିବା କିଛି ବରିଷ୍ଠ ଆଇନଜୀବୀ ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ବୈଠକରେ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିକଟରେ ଦାଖଲ ହୋଇଥିବା କିଛି ରିପୋର୍ଟକୁ ନେଇ ଆଲୋଚନା ହୋଇଥିଲା। ଜିଲ୍ଲା ଜଜ୍‌ ସତ୍ୟପାଠ ଦାଖଲ ପାଇଁ ଆହ୍ଵାନ କରିବା ପରେ ବିଭିନ୍ନ ନିଯୋଗ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଥିଲା। ସେବାୟତ ଓ ବିଭିନ୍ନ ନିଯୋଗ ପକ୍ଷରୁ ଦାଖଲ ହୋଇଥିବା ସତ୍ୟପାଠକୁ ବିଚାରକୁ ନିଆଯାଇନଥିବା ପ୍ରତିନିଧିମାନେ ବୈଠକରେ ଆପତ୍ତି ଉଠାଇଥିଲେ। ପୂର୍ବ ପ୍ରସ୍ତୁତ ରିପୋର୍ଟ ଦାଖଲ ହୋଇଥିବା କଥା ମଧ୍ୟ କହିଥିଲେ। ଖୁବଶୀଘ୍ର ସେବାୟତଙ୍କ ପକ୍ଷରୁ ରବୀନ୍ଦ୍ରନାଥ ପ୍ରତିହାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କମିଟି ତଥ୍ୟ ପ୍ରମାଣ ଯୋଗାଡ  କରି ମାନ୍ୟବର ସୁପ୍ରିମକୋର୍ଟରେ ଦାଖଲ କରିବ। ବୈଠକରେ ଆସନ୍ତା ୧୦ ତାରିଖରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ଜନଶୁଣାଣି ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଶ୍ରୀମନ୍ଦିର ମାମଲା ସୁପ୍ରିମକୋର୍ଟରେ ବିଚାରଧୀନ ଥିବା ଓ ଏ ନେଇ ଦୁଇ ଥର ଅନ୍ତରୀଣ ଆଦେଶ ଆସିଥିବା ବେଳେ ଏବେ ହଠାତ୍‌ ଜନଶୁଣାଣିର କି ଆବଶ୍ୟକତା ରହିଛି ବୋଲି କିଛି ପ୍ରତିନିଧି କହିଥିଲେ। ସେବାୟତଙ୍କ ପକ୍ଷରୁ ବିଭିନ୍ନ ଆଇନଗତ ଦିଗ ଓ ତଥ୍ୟ ପ୍ରମାଣ ଯୋଗାଡ କରିବାକୁ ବରିଷ୍ଠ ସେବାୟତ ତଥା ଆଇନଜୀବୀ ରବୀନ୍ଦ୍ର ପ୍ରତିହାରୀଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇଛି। ଆଜିର ବୈଠକରେ କମିଟି ପକ୍ଷରୁ ବୈଦ୍ୟନାଥ ମହାପାତ୍ର, ମାଧବ ପୂଜାପଣ୍ଡା, ମାଧବ ମହାପାତ୍ର, ରାମଦାସ ମହାପାତ୍ର, ଲୋକନାଥ ସୁଆର, ମନୋରଂଜନ ପୁଷ୍ପାଳକ, ବିନାୟକ ଦାସମହାପାତ୍ର, ତଳୁଛ ନୀଳକଣ୍ଠ ମହପାତ୍ର, ରଜତ ପ୍ରତିହାରୀ, ଆଇନଜୀବୀ ଶରତ ରଥ ଓ ବରିଷ୍ଠ ସେବାୟତ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର