ଶ୍ରୀଜିଉଙ୍କ ଆଗରେ ସେବାୟତ, ଶ୍ରୀମୁଖ ଦର୍ଶନରୁ ବଞ୍ଚିତ ହେଲେ ଭକ୍ତ

ବ୍ୟବସ୍ଥାବଳି ମାନିଲେନି, ରଥ ଉପରେ ଚଢ଼ିଲେ ସଂଖ୍ୟାଧିକ

ପୁରୀ : ରଥଯାତ୍ରା ଭକ୍ତଙ୍କର। ଦୁଇବର୍ଷ ଧରି ମହାପ୍ରଭୁଙ୍କ ରଥଯାତ୍ରା ଦେଖି ନଥିବାରୁ ଅଧିକ ଭକ୍ତ ବି ବଡ଼ଦାଣ୍ଡରେ ଭିଡ଼ ଲଗାଇଥିଲେ। କିନ୍ତୁ ଶ୍ରୀଜିଉଙ୍କ ଆଗରେ ସେବାୟତମାନେ ଛିଡ଼ା ହୋଇଥିବାରୁ ଶ୍ରୀମୁଖ ଦର୍ଶନରୁ ବଞ୍ଚିତ ହୋଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଭକ୍ତ। ସେପଟେ ସଂଖ୍ୟାଠାରୁ ବି ଅଧିକ ସେବାୟତ ରଥ ଉପରେ ଚଢ଼ି ରଥଯାତ୍ରା ବ୍ୟବସ୍ଥାବଳୀକୁ ଭାଙ୍ଗିବାକୁ ବି ପଛାଇ ନାହାନ୍ତି। ଗଜପତିଙ୍କ ଅନୁରୋଧକୁ ବି ମାନିନାହାନ୍ତି।

ସ୍ନାନଯାତ୍ରା, ରଥଯାତ୍ରା ଓ ବାହୁଡ଼ା ପାଇଁ ଶ୍ରୀମନ୍ଦିର ପ୍ରଶାସନ ସ୍ବତନ୍ତ୍ର ବ୍ୟବସ୍ଥାବଳୀ ତିଆରିଛି। ଛତିଶାନିଯୋଗ, ଶ୍ରୀମନ୍ଦିର ପରିଚାଳନା କମିଟି ବି ଏଥିରେ ସହମତି ଜଣାଇବା ପରେ ବ୍ୟବସ୍ଥାବଳୀ ଚୂଡ଼ାନ୍ତ ହୋଇଛି। ବ୍ୟବସ୍ଥାବଳୀ ଅନୁଯାୟୀ, ଛେରା ପହଁରା ପରେ ରଥ ସଂପୃକ୍ତ ସେବକ ଓ କତ୍ତର୍ବ୍ୟରତ କର୍ମଚାରୀଙ୍କୁ ମିଶାଇ ବଳଭଦ୍ରଙ୍କ ରଥରେ ୭୦ଜଣ, ଦେବୀ ସୁଭଦ୍ରାଙ୍କ ରଥରେ ୫୦ଜଣ ଓ ଶ୍ରୀଜଗନ୍ନାଥଙ୍କ ରଥରେ ୭୦ଜଣ ମଧ୍ୟରେ ରହିବେ। ତିନି ରଥର ବାଡ଼ରେ କୌଣସି ସେବକ ବସି ପାରିବେନି କି ଠିଆ ହୋଇପାରିବେନି। ତଳକୁ ଫୁଲ, ତୁଳସୀ ପକାଇ ପାରିବେନି। ସେହିଭଳି ଛେରା ପହଁରା ପୂର୍ବରୁ ଘଣ୍ଟୁଆଙ୍କୁ ରଥ ଉପରକୁ ଚଢ଼ାଇବାରେ ବାରଣ କରାଯାଇଛି। ପ୍ରତି ରଥରେ ସମାନ ସଂଖ୍ୟକ ପୁରୀ ଓ ଭଟିମୁଣ୍ଡା ଘଣ୍ଟୁଆ ରହିବେ ବୋଲି ନିଷ୍ପତ୍ତି ହୋଇଥିଲା। ତାଳଧ୍ବଜ ରଥରେ ୧୪ଜଣ, ଦେବଦଳନ ରଥରେ ୧୨ଜଣ ଓ ନନ୍ଦିଘୋଷ ରଥରେ ୧୬ଜଣ ଘଣ୍ଟୁଆ ରହିବେ ବୋଲି ନିଷ୍ପତ୍ତି ହୋଇଥିଲା। କିନ୍ତୁ ଏହି ନିୟମକୁ ମାଡ଼ି ମକଚି ଦିଆଯାଇଛି। ଶତାଧିକ ସଂଖ୍ୟକ ସେବକ ଆଜି ରଥ ଉପରେ ଚଢ଼ିଛନ୍ତି। ଠେକେରା ବାଡ଼ରେ ବି ବସିଛନ୍ତି, ତୁଳସୀ, ଫୁଲ ପକାଇଛନ୍ତି। ଯେଉଁଥିପାଇଁ ଦର୍ଶନରେ ବିଶୃଙ୍ଖଳା ଦେଖାଦେଇଛି।

ସେପଟେ ରଥଯାତ୍ରା ପୂର୍ବରୁ ଗଜପତି ମହାରାଜ ମାରମ୍ବାର ନିବେଦନ କରିଥିଲେ, ଠାକୁର ରଥଯାତ୍ରାରେ ଯିବା ସମୟରେ ଆଗରେ କେହି ସେବାୟତ ବସିବେନି। ନିୟମ ଭିତରେ ରହି କାମ କରିବେ। ବିଶୃଙ୍ଖଳା କରିବେନି। ସ୍ନାନଯାତ୍ରାରେ ବିଶୃଙ୍ଖଳା ଘଟିଥିଲା। ସ୍ନାନ ନ କରିବା ସେବାୟତ ଶ୍ରୀଜିଉଙ୍କ ସ୍ନାନ କରାଇଥିଲେ। ରଥଯାତ୍ରାରେ ସେଭଳି ପୁନରାବୃତ୍ତି ନ ଘଟୁ ବୋଲି ନିବେଦନ କରିଥିଲେ। କିନ୍ତୁ କେହି ବି ଏହି ନିୟମକୁ ମାନି ନାହାନ୍ତି। ଶ୍ରୀଜିଉଙ୍କ ଆଗରେ ଅଢ଼ୁଆଳ କରି ବସିବାରୁ ଭକ୍ତମାନେ ଦୁର୍ଲ୍ଲଭ ଦର୍ଶନରୁ ବଞ୍ଚିତ ହୋଇଛନ୍ତି।

ସମ୍ବନ୍ଧିତ ଖବର