ଅଶ୍ଲୀଳ ଭିଡିଓ ଭାଇରାଲ୍‌ ପରେ କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା: ୨ ବର୍ଷ ପରେ ପ୍ରେମିକ ସହ ୭ ଅଭିଯୁକ୍ତ ଗିରଫ

ବାରିପଦା: ସୋସିଆଲ୍‌ ମିଡିଆରେ ଅଶ୍ଲୀଳ ଫଟୋ ଭାଇରାଲ୍‌ ହେବା ପରେ ଲୋକଲଜ୍ୟା ସହିନପାରି ନାବାଳିକା ପ୍ରେମିକା କରିଥିଲେ ଆତ୍ମହତ୍ୟା। ବିଳମ୍ବରେ ହେଲେ ମଧ୍ୟ ଘଟଣାର ୨ ବର୍ଷ ପରେ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ମୟୂରଭଞ୍ଜ ଜିଲ୍ଲା ପୁଲିସର ସ୍ବତନ୍ତ୍ର ଟିମ୍‌। ସେମାନେ ହେଲେ ମୁଖ୍ୟ ଅଭିଯୁକ୍ତ ବାଲେଶ୍ବର ଜିଲ୍ଲା ବସ୍ତା ଅଞ୍ଚଳର ଅବିନାଶ ରାଉତ, କପ୍ତିପଦା ଥାନା ଅଞ୍ଚଳର ରଞ୍ଜିତ କୁମାର ନାୟକ (୩୫), ଉଦଳା ଥାନା ଅଞ୍ଚଳର ସୌରଭ ଶଙ୍କର ପରିଡ଼ା (୨୫), ରଞ୍ଜିତ କୁମାର ବେରା (୨୮), ହିମାଂଶୁ ମହାରଣା (୨୪), ଗଜେନ୍ଦ୍ର ମହାନ୍ତି (୩୧) ଓ ବାଲେଶ୍ବର ଜିଲ୍ଲା ଚାନ୍ଦିପୁର ଥାନା ଅଞ୍ଚଳର ଶଶିକାନ୍ତ ମହାନ୍ତି (୪୫)। ଏହି ଯୁବକମାନେ ଏକ ହ୍ୱାଟସ୍‌ଆପ୍‌ ଗ୍ରୁପ୍‌ କରି ଝିଅମାନଙ୍କୁ ପ୍ରେମଜାଲରେ ଫସାଇବା ପରେ ବ୍ଲାକ୍‌ମେଲିଂ କରି ସେମାନଙ୍କ ସହିତ ଶାରୀରିକ ସମ୍ପର୍କ ରଖୁଥିଲେ ବୋଲି ମୟୂରଭଞ୍ଜ ଏସ୍‌ପି ରିଷିକେଶ ଡି ଖିଲାରୀ ରବିବାର ଦିନ ବାରିପଦା ସଦର ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଅନ୍ୟ ଜଣେ ଅଭିଯୁକ୍ତକୁ ଧରିବା ଲାଗି ପୁଲିସର ଏକ ଟିମ୍ ହାଇଦ୍ରାବାଦ ଯାଇଛି ବୋଲି ସେ ସୂଚନା ଦେଇଛନ୍ତି।

ଶୁଳିଆପଦା ଥାନା ଅଞ୍ଚଳର ଜଣେ ଯୁକ୍ତ ଦୁଇ ଛାତ୍ରୀଙ୍କ ସହ ବାଲେଶ୍ୱର ବସ୍ତା ଅଞ୍ଚଳର ଅବିନାଶ ରାଉତଙ୍କର ସୋସିଆଲ ମିଡିଆ ମାଧ୍ୟମରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ସମ୍ପର୍କ କ୍ରମେ ନିବିଡ଼ ହେବାରୁ ଅବିନାଶ କଥାବାର୍ତ୍ତା ବାହାନାରେ ଭିଡିଓ କଲ୍‌ କରି ଛାତ୍ରୀଙ୍କର ଅଶ୍ଲୀଳ ଫଟୋ ଉଠାଇ ନେଇଥିଲା। ହେଲେ ଏହି ଚାଲ୍‌କୁ ବୁଝିପାରିନଥିଲେ ପ୍ରେମିକା। ୨୦୨୦ ମସିହା ଜୁଲାଇ ମାସରେ ପ୍ରେମିକାଙ୍କର ଆପତ୍ତିଜନକ ଫଟୋଗୁଡ଼ିକୁ ଅବିନାଶ ହ୍ୱାଟସ୍‌ଆପ୍‌ ଗ୍ରୁପ୍‌ରେ ଭାଇରାଲ୍‌ କରିବା ପରେ ଗ୍ରୁପ୍‌ରେ ଥିବା ଅନ୍ୟ ଯୁବକମାନେ ସଂପୃକ୍ତ ଛାତ୍ରୀଙ୍କ ସହିତ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ। ଏଥିରେ ରାଜି ନ ହେବାରୁ ଗ୍ରୁପ୍‌ର ଆଡମିନ୍ ସମେତ ଅନ୍ୟମାନେ ଛାତ୍ରୀଙ୍କ ନଗ୍ନ ଫଟୋକୁ ମୋବାଇଲରେ ଭାଇରାଲ୍‌ କରିଥିଲେ। ଏମିତିକି ମୁଖ୍ୟ ଅଭିଯୁକ୍ତ ଅବିନାଶ ଛାତ୍ରୀଙ୍କ ଭାଇ ମୋବାଇଲକୁ ସେହି ଫଟୋଗୁଡ଼ିକ ପଠାଇ ବ୍ଲାକ୍‌ମେଲିଂ ଆରମ୍ଭ କରିଥିଲା। ଏଥିରେ ନାବାଳିକା ଛାତ୍ରୀଜଣକ ମାନସିକ ଭାରସାମ୍ୟ ହରାଇ ୨୦୨୦ ମସିହା ଅଗଷ୍ଟ ମାସରେ ବିଷ ପିଇ ଆତ୍ମହତ୍ୟା କରିଥିଲେ। ଏ ସଂକ୍ରାନ୍ତରେ ଛାତ୍ରୀଙ୍କ ଭାଇ ଶୁଳିଆପଦା ଥାନାରେ ୨୦୨୦ ଅଗଷ୍ଟ ୨୪ ତାରିଖରେ ଏତଲା ଦେଇଥିଲେ।

ଅଭିଯୁକ୍ତଙ୍କ ସଂପର୍କରେ ସମସ୍ତ ତଥ୍ୟପ୍ରମାଣ ଦେବା ପରେ ମଧ୍ୟ ପୁଲିସ ଏହାକୁ ଗୁରୁତ୍ୱର ସହିତ ନେଲାନାହିଁ। ତେବେ ଏଭଳି ଏକ ସଙ୍ଗିନ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ଅଭିଯୁକ୍ତଙ୍କୁ ତତ୍କାଳୀନ ଶୁଳିଆପଦା ଥାନା ଅଧିକାରୀ ଛାଡ଼ି ଦେଇଥିବା ନାବାଳିକା ଛାତ୍ରୀଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ। ଶେଷରେ ନିରାଶ ହୋଇ ପୀଡ଼ିତାଙ୍କ ପରିବାର ଏସ୍‌ପିଙ୍କୁ ଜଣାଇବା ପରେ ତଦନ୍ତ ଆଗକୁ ବଢ଼ିଥିଲା। ଅଭିଯୁକ୍ତଙ୍କୁ ଧରିବା ଲାଗି ବଛା ବଛା ପୁଲିସ ଅଧିକାରୀଙ୍କୁ ନେଇ ସ୍ବତନ୍ତ୍ର ଟିମ୍ ଗଠନ କରିଥିଲେ ଏସ୍‌ପି ଶ୍ରୀ ଖିଲାରୀ। ମୋବାଇଲ କଲ୍‌ ଡିଟେଲ୍‌ ଆଧାରରେ ପୁଲିସ ମୁଖ୍ୟ ଅଭିଯୁକ୍ତ ଅବିନାଶକୁ ଧରିବା ପରେ ଅନ୍ୟମାନଙ୍କ ପାଖରେ ପହଞ୍ଚିଥିଲା। ସାମ୍ବାଦିକ ସମ୍ମିଳନୀରେ ସଦର ଏସ୍‌ଡିପିଓ କେ.କେ.ହରିପ୍ରସାଦ, ଥାନା ଆଇଆଇସି ଉପସ୍ଥିତ ଥି‌େଲ।

ସମ୍ବନ୍ଧିତ ଖବର