୭ ଶିଳ୍ପୀ ପାଇଲେ ଲଳିତ କଳା ଏକାଡେମି ସମ୍ମାନ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସମ୍ମଳନୀ କକ୍ଷରେ ଆଜି ୭ଜଣ ଶିଳ୍ପୀଙ୍କୁ ଲଳିତ କଳା ଏକାଡେମି ସମ୍ମାନ ପ୍ରଦାନ କରାଯାଇଛି। ବର୍ଷ ୨୦୧୪ ଓ ୨୦୧୫ ପାଇଁ ମନୋନୀତ ହୋଇଥିବା ଏହି ଶିଳ୍ପୀମାନଙ୍କ ମଧ୍ୟରୁ ୫ଜଣଙ୍କୁ ମରଣୋତ୍ତର ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ୨ଜଣ ଶିଳ୍ପୀ ଉପସ୍ଥିତ ରହି ସମ୍ମାନ ଗ୍ରହଣ କରିଛନ୍ତି।

ବର୍ଷ ୨୦୧୪ ପାଇଁ ସ୍ବର୍ଗତ ଶରତ କୁମାର ସାହୁଙ୍କୁ ମରଣୋତ୍ତର ସମ୍ମାନ ପ୍ରଦାନ କରାଯାଇଛି। ତାଙ୍କ ସହଧର୍ମିଣୀ କମଳିନୀ ରଥଙ୍କୁ ଏହି ପୁରସ୍କାର ଦିଆଯାଇଛି। ସେହିପରି ସ୍ବର୍ଗତ ହରୀଶ ଚନ୍ଦ୍ର ସିହ୍ନାବାବୁଙ୍କ ପାଇଁ ପତ୍ନୀ ବିଳାସ କୁମାରୀ ଚୌଧୁରୀ, ସ୍ବର୍ଗତ ଦେବରାଜ ସାହୁଙ୍କ ପାଇଁ ପତ୍ନୀ ସତ୍ୟଭାମା ସାହୁ, ସ୍ବର୍ଗତ ପ୍ରମୋଦ ମହାନ୍ତିଙ୍କ ପାଇଁ ରେଣୁକା ମହାନ୍ତି ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଅନ୍ୟତମ ଶିଳ୍ପୀ ମହେନ୍ଦ୍ର ପ୍ରସାଦ ମହାପାତ୍ରଙ୍କୁ ଅଙ୍ଗବସ୍ତ୍ର, ଉପଢ଼ୌକନ, ମାନପତ୍ର ଏବଂ ୨୦ ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଥିଲା।

ସେହିପରି ବର୍ଷ ୨୦୧୫ ପାଇଁ ସ୍ବର୍ଗତା ଚିତ୍ରା ପଟ୍ଟନାୟକଙ୍କୁ ମରଣୋତ୍ତର ସମ୍ମାନ ତାଙ୍କ ସ୍ବାମୀ ସତୀଶ ଚନ୍ଦ୍ର ପଟ୍ଟନାୟକଙ୍କୁ ପ୍ରଦାନ କରାଯାଇଥିବା ବେଳେ ଶିଳ୍ପୀ ରାମହରି ଜେନା ଉତ୍ସବରେ ଉପସ୍ଥିତ ରହି ପୁରସ୍କାର ଗ୍ରହଣ କରିଥିଲେ। ତେବେ ଯୋଗ୍ୟ ବିବେଚିତ ପଦ୍ମଶ୍ରୀ କୈଳାସ ମେହେର ଓ ଶୈଳବାଳା ନାୟକ ସମ୍ବର୍ଦ୍ଧନା ଉତ୍ସବକୁ ଆସି ନଥିଲେ।
କାର୍ଯ୍ୟକ୍ରମରେ ଓଡ଼ିଆ, ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିଳ୍ପୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସମ୍ମାନିତ ଅତିଥି ଭାବେ ବିଭାଗୀୟ ନିର୍ଦ୍ଦେଶକ ରଂଜନ କୁମାର ଦାସ, ଏକାଡେମିର ସଭାପତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ଓଏସ୍‌ଡି ମନସ୍ବିନୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏକାଡେମିର ସଚିବ ଗଜେନ୍ଦ୍ର ପ୍ରସାଦ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର