୭ ନେତାଙ୍କୁ ନୂଆ ନିଯୁକ୍ତି 

ଯୋଜନା ବୋର୍ଡରେ ଆଉ ତିନି ନୂଆ ସଦସ୍ୟ

ଚାରି ନିଗମର ନୂଆ ଅଧ୍ୟକ୍ଷ

ଭୁବନେଶ୍ୱର : ବିଜେଡିର ୭ ଜଣ ନେତାଙ୍କୁ ନୂଆ ନିଯୁକ୍ତି ମିଳିଛି। ୩ ଜଣଙ୍କୁ ଯୋଜନା ବୋର୍ଡର ସଦସ୍ୟ କରାଯାଇଥିଲା ବେଳେ ଆଉ ଚାରି ଜଣଙ୍କୁ ନିଗମ ଅଧ୍ୟକ୍ଷ ପଦବି ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ନିଯୁକ୍ତି ଦେଇଛନ୍ତି।

କ୍ଷୁଦ୍ର ଶିଳ୍ପ ନିଗମର ଅଧ୍ୟକ୍ଷ ଭାବେ ପୁରୀର ବିଜେଡି ନେତା ରାମକୃଷ୍ଣ ଦାସମହାପାତ୍ରଙ୍କୁ ନିଯୁକ୍ତି ମିଳିଛି। କୃଷି ଶିଳ୍ପ ନିଗମର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି ବରଗଡ଼ ଜିଲ୍ଲାର ପ୍ରଭାତ ଆଦିତ୍ୟ ମିଶ୍ର। କେନ୍ଦ୍ରାପଡ଼ା ଜିଲ୍ଲାର ବିଜେଡି ନେତା କୃତିବାସ ପାତ୍ର ଆପିକଲ୍‌ ଅଧ୍ୟକ୍ଷ ହୋଇଛନ୍ତି। ଦୀର୍ଘ ଦିନ ଧରି ରାଜ୍ୟ ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ ଥିବା ମୁନା ଖାନ୍‌ଙ୍କୁ ନୂଆ ନିଗମ ମିଳିଛି। ତାଙ୍କୁ କାଜୁ ଉନ୍ନୟନ ନିଗମ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି କାକଟପୁରରୁ ରବି ମଲ୍ଲିକ, ବାଲେଶ୍ୱରରୁ ଗିରିଶ ଚନ୍ଦ୍ର ଦାସ ଓ କୋରାପୁଟରୁ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ। ପୂର୍ବରୁ ରାମଚନ୍ଦ୍ର ପଣ୍ଡା ଯୋଜନା ବୋର୍ଡର ସଦସ୍ୟ ଭାବେ ନିଯୁକ୍ତି ପାଇସାରିଥିଲେ। ତାଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିଛି ଓ ସଚିବାଳୟର ମନ୍ତ୍ରୀ କରିଡର୍‌ରେ ସେ ଚାମ୍ବର୍‌ ପାଇଛନ୍ତି। ସେହିପରି ଏବେ ବୋର୍ଡର ଉପାଧ୍ୟକ୍ଷ ଅଛନ୍ତି ବିଜେଡିର ଦଳିତ ନେତା ବିଷ୍ଣୁ ଦାସ। ତାଙ୍କୁ କ୍ୟାବିନେଟ୍‌ ମନ୍ତ୍ରୀ ପାହ୍ୟା ମିଳିଛି। ବୋର୍ଡର ଉପଦେଷ୍ଟା ଭାବେ ରାଷ୍ଟ୍ର ମନ୍ତ୍ରୀ ପାହ୍ୟା ଉପଭୋଗ କରୁଛନ୍ତି ଗୁଜୁରାଟ କ୍ୟାଡର୍‌ର ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ଆର୍‌ ଏନ୍‌ ଦାସ। ସୁଜିତ କୁମାରଙ୍କୁ ଏଠାରେ ଓଏସ୍‌ଡି କରାଯାଇ ସ୍ୱତନ୍ତ୍ର ସଚିବ ପାହ୍ୟା ଦିଆଯାଇଛି।

ସମ୍ବନ୍ଧିତ ଖବର