ଅନୁଗୁଳ: ଅନୁଗୁଳ ଜିଲ୍ଲା ସାତକୋଶିଆରେ ଶିକାର ସହ ଅନ୍ୟାନ୍ୟ କାରଣ ପାଇଁ ବନ୍ୟପ୍ରାଣୀ ବିପଦରେ। ଏଠାରେ ଶମ୍ବରଙ୍କ ସଂଖ୍ୟା କମିବାରେ ଲାଗିଛି। ଶମ୍ବର ବଂଶବୃଦ୍ଧି ପାଇଁ ଏଠାରେ ଏକ ଶମ୍ବର ପ୍ରଜନନ କେନ୍ଦ୍ର କରିବାକୁ କର୍ତ୍ତୃପକ୍ଷ ପ୍ରସ୍ତାବ ଦେଇଥିବା ବେଳେ ତାହା ମଞ୍ଜୁର ହେଉ ନଥିବା ଜଣାପଡ଼ିଛି। ସୂଚନା ମୁତାବକ, ସାତକୋଶିଆ ଅଭୟାରଣ୍ୟରେ ବିଭିନ୍ନ ଲୁପ୍ତପ୍ରାୟ ବନ୍ୟପ୍ରାଣୀଙ୍କ ମଧ୍ୟରୁ ଶମ୍ବର ଅନ୍ୟତମ। ଶମ୍ବର ମୃଗ ଜାତୀୟ ବନ୍ୟପ୍ରାଣୀ ହୋଇଥିବା ବେଳେ ଘାସପତ୍ର ଓ ଜଙ୍ଗଲୀ ଫଳ ଏମାନଙ୍କ ଖାଦ୍ୟ। ଏମାନେ ଦିନ ବେଳେ ଘଞ୍ଚ ଜଙ୍ଗଲରେ ଲୁଚି ରହିବା ସହ ରାତିରେ ବୁଲିଥା’ନ୍ତି। ଏମାନଙ୍କର ଓଜନ ପ୍ରାୟ ୩ କ୍ବିଣ୍ଟାଲ୍ ହୋଇଥାଏ। ଏହି ବିରଳ ଶମ୍ବର ସାତକୋଶିଆରେ ଦିନେ ବହୁଳ ସଂଖ୍ୟାରେ ଦେଖାଯାଉଥିଲେ। ଗୋଟିଏ ଶମ୍ବର ଶିକାର କଲେ କ୍ବିଣ୍ଟାଲ୍ ଓଜନର ମାଂସ ମିଳୁଥିବାରୁ ଶିକାରୀଙ୍କ ଲୋଲୁପ ଦୃଷ୍ଟି ଏମାନଙ୍କ ଉପରେ ପଡ଼ୁଛି। ଫଳରେ ଶମ୍ବର ବଂଶ ବିପଦରେ ପଡ଼ିଛି। ଏହି ବିଲୁପ୍ତ ଶମ୍ବରଙ୍କ ବଂଶବୃଦ୍ଧି ପାଇଁ ବିଭାଗୀୟ କର୍ତ୍ତୃପକ୍ଷ ତିନିବର୍ଷ ହେବ ଅଣ୍ଟା ଭିଡ଼ିଥିଲେ। ସାତକୋଶିଆର ରାଇଗୁଡ଼ାଠାରେ ଶମ୍ବର ପ୍ରଜନନ କେନ୍ଦ୍ର ଖୋଲିବାକୁ ପ୍ରସ୍ତାବ ଦେଇଥିଲେ।
ରାଇଗୁଡ଼ାରେ ପୂର୍ବରୁ ସୁନ୍ଦରୀ ବାଘ ପାଇଁ ଯେଉଁ ଏନ୍କ୍ଲୋଜର୍ ନିର୍ମାଣ କରାଯାଇଥିଲା, ସେହି ସ୍ଥାନକୁ ଶମ୍ବର ପ୍ରଜନନ କେନ୍ଦ୍ର ଭାବରେ ବ୍ୟବହାର କରାଯିବାକୁ ଯୋଜନା କରାଯାଇଥିଲା। ସେହିପରି ଡେବ୍ରିଗଡ଼ ଅଭୟାରଣ୍ୟରୁ ଶମ୍ବର ଆଣିବାକୁ ସାତକୋଶିଆ କର୍ତ୍ତୃପକ୍ଷ ଯୋଜନା କରିଥିଲେ। କିନ୍ତୁ, ଏ ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ସବୁଜ ସଙ୍କେତ ମିଳି ନଥିବାରୁ ତାହା ଅନିଶ୍ଚିତତା ଘେରରେ ରହିଛି। ମହାବଳ ବାଘ ଅଧିକ ଶମ୍ବର ଶିକାର କରିଥାଏ। ଆଗକୁ ମହାବଳ ବାଘ ଅଣାଯିବାର ଯୋଜନା ରହିଥିବାରୁ ଶମ୍ବର ସଂଖ୍ୟା ବୃଦ୍ଧି ନିମନ୍ତେ କର୍ତ୍ତୃପକ୍ଷ ପ୍ରଜନନ କେନ୍ଦ୍ର କରିବା ଦିଗରେ ଆଗଭର ହେଉଥିବା ଜଣାପଡ଼ିଛି। ଏ ସମ୍ପର୍କରେ ସାତକୋଶିଆ ଡିଏଫ୍ଓ ସରୋଜ କୁମାର ପଣ୍ଡା କହିଛନ୍ତି, ସାତକୋଶିଆରେ ଏକ ଶମ୍ବର ପ୍ରଜନନ କେନ୍ଦ୍ର ପାଇଁ ପ୍ରସ୍ତାବ ଯାଇଥିଲେ ମଧ୍ୟ ତାହା ମଞ୍ଜୁର ହୋଇନାହିଁ। ଫଳରେ ପ୍ରଜନନ କେନ୍ଦ୍ରର ଭବିଷ୍ୟତ ଉପରେ ଆଗୁଆ କିଛି କହି ହେବ ନାହିଁ।