ଜିଓଗ୍ରାଫିକ୍‌ ଚ୍ୟାନେଲ୍‌ ପକ୍ଷରୁ ସୁଟିଂ ଚାଲିଥିଲା, ବିରୁଡ଼ି ଦଂଶନରେ ୭ କ୍ରିୟୁ ମେମ୍ବର୍‌ ଘାଇଲା

ଚନ୍ଦ୍ରଗିରି : ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ବାଘମାରୀ ପଞ୍ଚାୟତର ଶିଙ୍କୁଳିପଦର ଗ୍ରାମ ନିକଟସ୍ଥ ଜଙ୍ଗଲରେ ସୌରା ଆଦିବାସୀଙ୍କ ଜୀବନଶୈଳୀ ଉପରେ ଏକ ଡକ୍ୟୁମେଣ୍ଟାରି ସୁଟିଂ ଚାଲିଥିବା ବେଳେ ବିରୁଡି ଦଂଶନରେ ଜିଓଗ୍ରାଫିକ୍‌ ଚ୍ୟାନେଲ୍‌ର ୭ ଜଣ କ୍ରିୟୁ ମେମ୍ବର ଘାଇଲା ହୋଇଛନ୍ତି। ବିରୁଡ଼ି ଆକ୍ରମଣରେ ଚ୍ୟାନେଲ୍‌ର ୫ କର୍ମଚାରୀଙ୍କ ସମେତ ସୌରା ଉନ୍ନୟନ ସଂସ୍ଥାର ୨ ଜଣ କର୍ମଚାରୀ ଆହତ ହୋଇଥିବା ଜଣାପଡ଼ିଛି।

ସୂଚନା ଅ ଚନ୍ଦ୍ରଗିରି ସ୍ଥିତ ସୌରା ଉନ୍ନୟନ ସଂସ୍ଥା ପକ୍ଷରୁ ନ୍ୟାସନାଲ୍ ଜିଓଗ୍ରାଫିକ୍‌ ଚାନେଲର କିଛି କର୍ମଚାରୀ ଦିଲ୍ଲୀ ଏବଂ ଜେନିଭାରୁ ଆସି ସୌରା ଆଦିବାସୀଙ୍କ ଜୀବନଶୈଳୀ ଓ ବାଉଁଶ କରଡ଼ି ସଂଗ୍ରହ ଓ ଏଥିରୁ ଖାଦ୍ୟ ପ୍ରସ୍ତୁତି ପ୍ରଣାଳୀ ଉପରେ ଏକ ଡକ୍ୟୁମେଣ୍ଟାରି ପାଇଁ ଶିଙ୍କୁଳିପଦର ଗ୍ରାମ ନିକଟସ୍ଥ ଜଙ୍ଗଲରେ ଥିବ‌େ ଏକ ବାଉଁଶବୁଦା ନିକଟରେ ସୁଟିଂ କରୁଥିଲେ। ଏହି ସମୟରେ ବାଉଁଶ ବୁଦା କୋରଡ଼ରେ ବସା ବାନ୍ଧିଥିବା ବାଘୁଆ ବିରୁଡ଼ି ହଠାତ୍ ଦଳ ଦଳ ହୋଇ କ୍ରିୟୁ ମେମ୍ବରଙ୍କୁ ଦଂଶନ କରିଥିଲେ। ପ୍ରାଣ ବିକଳରେ ଯିଏ ଯୁଆଡ଼େ ଦୌଡ଼ିଥିଲେ। କିଛି ସମୟ ପରେ ବିରୁଡ଼ି ବସାକୁ ଫେରିଯିବା ପରେ ସ୍ଥାନୀୟ ଲୋକେ ଲହୁଲୁହାଣ ଅବସ୍ଥାରେ ପଡ଼ିଥିବା ଆହତଙ୍କୁ ଉଦ୍ଧାର କରି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।

ଆହତଙ୍କ ମଧ୍ୟରେ ଜେନିଭାରୁ ଆସିଥିବା ମାରିଆ ଡେନ୍‌ସି ବାଲ୍‌ଦୁଜି(୩୨) ନାମକ ଜଣେ ବିଦେଶିନୀ ରହିଛନ୍ତି। ଅନ୍ୟ ଆହତମାନେ ହେଲେ ନିରହିଲ୍ ଚୌଧୁରୀ(୩୧), ଅଚିତ୍ ମନୋଜ କାଞ୍ଚନ(୨୮), ରାକେଶ ରାବତ୍(୨୮), ଆଶିଷ ସିଂ ଗୌର (୨୩), ସୁନିଲ ସେଠୀ(୨୭), ଭୁବେନେଶ୍ବରର ଅଭିଜିତ୍ ପଟ୍ଟନାୟକ (୨୮) ଓ ସୌରା ଉନ୍ନୟନ ସଂସ୍ଥାରେ କାର୍ଯ୍ୟରତ ମହିଳା କର୍ମଚାରୀ ଅଛନ୍ତି। ଖବର ପାଇ ସୌରା ଉନ୍ନୟନ ସଂସ୍ଥାର ସ୍ବତନ୍ତ୍ର ପଦାଧିକାରୀ ବନମାଳୀ ଭୂୟାଁ ତୁରନ୍ତ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଆହତଙ୍କ ସ୍ବାସ୍ଥ୍ୟବସ୍ଥା ବୁଝିବା ସହ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ଚିକିତ୍ସା ପରେ ସମସ୍ତ ଆହତଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଥିବା ଡାକ୍ତର ଉଲ୍ଲାସ ରାଉତ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର