ବଜ୍ରପାତ: ଚାଷଜମିରେ ଟଳିପଡ଼ିଲେ ୬ ଚାଷୀ

ଅନ୍ୟ ଜଣେ ବି ମୃତ, ସମୁଦାୟ ମୃତ୍ୟୁ ୭

ଗଁଦିଆ/ପର୍ଜଙ୍ଗ/କାମାକ୍ଷାନଗର/ ପଣ୍ଡୁଆ/ଅନୁଗୁଳ/ ହାଟଡିହି/ଚମ୍ପୁଆ : ଶୁକ୍ରବାର ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୬ ଚାଷୀଙ୍କ ସମେତ ୭ଜଣଙ୍କର ମୃତ୍ୟୁ ଘଟିଛି। ୬ଜଣ ଯାକ ଚାଷଜମିରେ କାର୍ଯ୍ୟରତ ଥିବାବେଳେ ଏହି ଅଘଟଣ ଘଟିଛି।

ମୃତକମାନଙ୍କ ମଧ୍ୟରେ ରହିଛନ୍ତି ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ମଠତେନ୍ତୁଳିଆ ପଞ୍ଚାୟତ ଅନ୍ତର୍ଗତ ନୀଳକଣ୍ଠପୁର ଗ୍ରାମ ଧନେଶ୍ୱର ଖିଲାର (୫୫)ଙ୍କ ମୃତ୍ୟୁ ହୋଇଯାଇଛି, ପର୍ଜଙ୍ଗ ଥାନା କୁଆଳୋ ଗ୍ରାମ ହରିଜନ ସାହିର ବିଭୂତି ନାଏକ (୪୫) ଓ କାମାକ୍ଷାନଗର ବ୍ଲକ୍‌ ତୁମୁସିଙ୍ଗା ଥାନା ଅନ୍ତର୍ଗତ ରାୟନୃସିଂହପୁର ଗାଁର ମହେଶ୍ୱର ସେଠୀ (୬୫)। ସମସ୍ତେ ଚାଷଜମିରେ ଥିବାବେଳେ ବଜ୍ରପାତ ହୋଇଥିଲା। ଗୁରୁତର ଅବସ୍ଥାରେ ପରିବାର ଲୋକେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ସେମାନଙ୍କର ମୃତ୍ୟୁ ହୋଇଥିଲା।

ସେହିଭଳି, ବିଲରେ କାମ କରୁଥିବାବେଳେ ବଜ୍ରପାତ ହେବାରୁ କେନ୍ଦୁଝର ଜିଲ୍ଲାର ୩ଜଣ ଚାଷୀ ପ୍ରାଣ ହରାଇଛନ୍ତି। ସେମାନଙ୍କ ମଧ୍ୟରୁ ୨ଜଣ ହେଲେ, ହାଟଡିହି ବ୍ଲକ୍‌ ନନ୍ଦିପଦା ଥାନା ସମଣା ପଞ୍ଚାୟତ ବହାରିପୁର ଗ୍ରାମର ନୃସିଂହ ଜେନା (୫୦) ଓ କାହ୍ନୁ ଜେନା (୪୮)। ଉଭୟ ବିଲରେ କାମ କରୁଥିବା ବେଳେ ଦିନ ପ୍ରାୟ ଗୋଟାଏ ବେଳେ ବଜ୍ରପାତ ହୋଇଥିଲା। ବଜ୍ରାଘାତରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଛି। ସେହିଭଳି, ଚମ୍ପୁଆ ଥାନା ଅଧୀନ ରରୁଆଁଗୋଡ଼ା ଗ୍ରାମର ଯତୀନ୍ଦ୍ର ମହାନ୍ତ (୪୫) ବିଲରେ କାମ କରୁଥିବା ବେଳେ ବଜ୍ରାଘାତର ଶିକାର ହୋଇଥିଲେ।

ଅନ୍ୟପକ୍ଷରେ, ଅନୁଗୁଳ ଜିଲ୍ଲା ପୁରୁଣାକୋଟ୍ ଥାନା ଅଞ୍ଚଳ ଅନ୍ତର୍ଗତ ଖଣ୍ଡକୋଇଲିର ଟୁନା ଚିର୍‌ଗୁଣି ଆଜି ବଜ୍ରପାତରେ ପ୍ରାଣ ହରାଇଛନ୍ତି। ବଜ୍ରପାତରେ ଗୁରୁତର ହେବାରୁ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର