୭ ଡିଗ୍ରି କଲେଜ ବନ୍ଦ, ୧୧ କଲେଜରେ ନାମଲେଖା କଟକଣା

ସେପ୍ଟେମ୍ବରରେ ହୋଇପାରେ ଯୁକ୍ତ ୩ ନାମଲେଖା

ଭୁବନେଶ୍ୱର : ସିବିଏସ୍‌ଇ ଓ ଆଇସିଏସ୍‌ଇ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇସାରିଛି। ଆସନ୍ତା ମାସକ ମଧ୍ୟରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଅଧୀନ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ପାଇବ। ତାହାକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ମାସଠାରୁ ୨୦୨୦-୨୧ ଶିକ୍ଷାବର୍ଷରେ ଯୁକ୍ତ୩ ତଥା ଡିଗ୍ରି କଲେଜରେ ନାମଲେଖା ଲାଗି ପ୍ରକ୍ରିୟା ଆରମ୍ଭ କରିବାକୁ ଉଚ୍ଚଶିକ୍ଷା ବିଭାଗ ଯୋଜନା ପ୍ରସ୍ତୁତ କରିବେ। କେବେ ବିଜ୍ଞପ୍ତି ବାହାରିବ ସେନେଇ ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ ସ୍ଥିର ହୋଇ ନ ଥିଲେ ମଧ୍ୟ କଲେଜ ଭିତ୍ତିଭୂମି, ସୁବିଧା, ସୁଯୋଗ ଆଦି ଯାଞ୍ଚ କରାଯାଇ ଚଳିତ ଶିକ୍ଷାବର୍ଷରେ ୧୧ଟି ଡିଗ୍ରି କଲେଜରେ ନାମଲେଖା ଉପରେ କଟକଣା ଜାରି ହୋଇଛି। ଏଥିସହ ୭ଟି ସେଲ୍ଫ ଫାଇନାନ୍ସିଂ କଲେଜ ଚଳିତ ଶିକ୍ଷାବର୍ଷରେ ସମ୍ପୂର୍ଣ୍ଣ ବନ୍ଦ ହୋଇଛି।

ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ ଖୋର୍ଧା ଜିଲ୍ଲାରେ ସବୁଠାରୁ ଅଧିକ କଲେଜ ବନ୍ଦ ହୋଇଛି। ଆଞ୍ଚଳିକ ଶିକ୍ଷା କାର୍ଯ୍ୟାଳୟ(ଆରଡିଇ)ର ଜୁନ୍‌ ୫ ତାରିଖ ନିର୍ଦେଶ ଅନୁଯାୟୀ ଭୁବନେଶ୍ବରସ୍ଥିତ ଜ୍ଞାନ ଭାରତୀ ଡିଗ୍ରି କଲେଜ, ଜୁଲାଇ ୯ରେ ଆରଡିଇର ଚିଠି ଆଧାରରେ ଚନ୍ଦକାସ୍ଥିତ ସାଇ ଇଣ୍ଟରନ୍ୟାସନାଲ କଲେଜ ଅଫ୍‌ କମର୍ସ ଆଣ୍ଡ୍‌ ଇକୋନୋମିକ୍ସ, ଜୁନ୍‌ ୧୨ର ଚିଠି ଆଧାରରେ ମଞ୍ଚେଶ୍ବରଠାରେ ଥିବା ରୟାଲ କଲେଜ ଅଫ୍‌ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ବନ୍ଦ ହୋଇଛି। ଉଚ୍ଚଶିକ୍ଷା ବିଭାଗର ନିର୍ଦେଶକ୍ରମେ ଖୋର୍ଧା ଜିଲ୍ଲା ଜଟଣୀସ୍ଥିତ ନ୍ୟୁଟନ୍‌ କଲେଜ ଅଫ୍‌ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି, ସୋନପୁରସ୍ଥିତ ସୁକାନ୍ତି ଡିଗ୍ରି କଲେଜ, ସୁନ୍ଦରଗଡ଼ ଜିଲ୍ଲା ବିର୍ସାସ୍ଥିତ ଡ. ଆମ୍ବେଦକର ମେମୋରିଆଲ ଡିଗ୍ରି କଲେଜ, ଯାଜପୁର ଜିଲ୍ଲାର ବ୍ୟାସନଗରରେ ଥିବା ଏକ୍ସଲାଇଜର ଯୁକ୍ତ୩ ସାଇନ୍ସ ଆବାସିକ କଲେଜକୁ ୨୦୨୦-୨୧ ଶିକ୍ଷାବର୍ଷ ଲାଗି ବନ୍ଦ କରାଯାଇଛି।

ସେହିପରି ଗଞ୍ଜାମର ଦୁଇଟି ସେଲ୍ଫ ଫାଇନାନ୍ସ କଲେଜ ଯଥା ରଙ୍ଗେଇଲୁଣ୍ଡାସ୍ଥିତ ବିଜ୍ଞାନ ଡିଗ୍ରି କଲେଜ, ବେଦବ୍ୟାସ ଆବାସିକ ଡିଗ୍ରି କଲେଜ, ଯାଜପୁରଠାରେ ଥିବା ଆପେକ୍ସ ଆବାସିକ ଡିଗ୍ରି କଲେଜ, କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁରସ୍ଥିତ ଅଣଅନୁଦାନପ୍ରାପ୍ତ ଦୁଇଟି ସଂସ୍କୃତି ଡିଗ୍ରି କଲେଜ ଯଥା କ୍ଷେତ୍ରପାଳ ସଂସ୍କୃତ ଡିଗ୍ରି କଲେଜ, ଶ୍ରୀରାମ ସଂସ୍କୃତ ଡିଗ୍ରି କଲେଜରେ ୨୦୨୦-୨୧ ଶିକ୍ଷାବର୍ଷରେ ନାମଲେଖା ଉପରେ କଟକଣା ଜାରି ହୋଇଛି। ଭୁବନେଶ୍ବରର ପଳାସୁଣୀଠାରେ ଥିବା ଗୌରବ କଲେଜ ଅଫ୍‌ କମର୍ସ, ସାଇନ୍ସ ଆଣ୍ଡ ମ୍ୟାନେଜ୍‌ମେଣ୍ଟ, ବାଲୁଗାଁସ୍ଥିତ କାଳିଜାଇ ଡିଗ୍ରି କଲେଜ, ପୁରୀ ଜିଲ୍ଲା ପିପିଲିସ୍ଥିତ ପ୍ରାଚୀ ମହାବିଦ୍ୟାଳୟ ଫର୍‌ ଡିଜାବୁଲ୍‌, ସମ୍ବଲପୁରସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଆଡଭାନ୍ସଡ୍‌ ଷ୍ଟଡିଜ୍‌ ଇନ୍‌ କମର୍ସ, ସୁନ୍ଦରଗଡ଼ ଜିଲ୍ଲାର ଚନ୍ଦ୍ର ସୁଷମା ଡିଗ୍ରି କଲେଜ, ଭେନସ୍‌ ଡିଗ୍ରି କଲେଜରେ ମଧ୍ୟ ନାମଲେଖା କଟକଣା ଜାରି ହୋଇଛି।

ଉଚ୍ଚଶିକ୍ଷା ବିଭାଗର ଜଣେ ଅଧିକାରୀଙ୍କ କହିବାନୁଯାୟୀ ବନ୍ଦ ହୋଇଥିବା ୭ଟି କଲେଜ ନିଜ ଆଡ଼ୁ ଆବେଦନ କରିଥିଲେ। ବିଭିନ୍ନ କାରଣ ଲାଗି ସେମାନେ ଏଥର ନାମଲେଖା କରିବେ ନାହିଁ ବୋଲି ଜଣାଇବା ପରେ ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ତେ‌ବେ ନାମଲେଖା ଲାଗି କଟକଣା ଜାରି ହୋଇଥିବା ୧୧ଟି କଲେଜ ବିଷୟରେ ବିଚାର କରାଯାଇପାରେ। ଯଦି ସେମାନେ ଆବଶ୍ୟକୀୟ ଡକ୍ୟୁମେଣ୍ଟ ଦାଖଲ କରିପାରିବେ ତେବେ ସେମାନଙ୍କୁ ନାମଲେଖା ଲାଗି ଅନୁମତି ଦିଆଯାଇପାରେ। ‌ତେବେ ‌ସେମାନଙ୍କ ମଧ୍ୟରୁ କିଛି କଲେଜ ଏଥର ନାମଲେଖାଇବାକୁ ଆଗ୍ରହ ଦେଖାଉ ନାହାନ୍ତି।

ସମ୍ବନ୍ଧିତ ଖବର