କାଶୀପୁରରେ ଥମୁନି ଝାଡ଼ାବାନ୍ତି; ଗଡ଼ିଲା ଆଉ ଏକ ମୁଣ୍ଡ, ସଂଖ୍ୟା ୭କୁ ବୃଦ୍ଧି

ରାୟଗଡ଼ା/କାଶୀପୁର : କାଶୀପୁରରେ ଶନିବାର ଦିନ ଆଉ ଏକ ମୁଣ୍ଡ ନେଇଛି ଝାଡ଼ାବାନ୍ତି। ବ୍ଲକ୍‌ର ଶଙ୍କରଡ଼ା ପଞ୍ଚାୟତ ପାଞ୍ଚାଳୀ ଗାଁର ଅଗ‌ାଧୁ ଗରଡ଼ାଙ୍କ ମୃତ୍ୟୁ ହୋଇଛି। ଫଳରେ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ପାଇଛି। ୪୦ରୁ ଊର୍ଦ୍ଧ୍ବ ଆକ୍ରାନ୍ତ ଟିକିରି, ରାୟଗଡ଼ା ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଧୀରେ ଧୀରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଟିକିରି ଥୁଟିବର ସେବାଶ୍ରମର ୧୧ ଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେବା ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ପାଇଁ ଚିନ୍ତାର କାରଣ ପାଲଟିଛି।

ଏହାକୁ ନେଇ ବିଧାନସଭାରେ‌ ଶନିବାର ଦିନ ହଙ୍ଗାମା ହୋଇଛି। ବିରୋଧୀ ଦଳ ସରକାରଙ୍କୁ ଘେରିଛନ୍ତି ଏବଂ ମୁଖ୍ୟମନ୍ତ୍ରୀଙ୍କ ଠାରୁ ବିବୃତି ଦାବି କରିଛନ୍ତି। ପରିସ୍ଥିତି ଅନୁଧ୍ୟାନ ଲାଗି ସ୍ବାସ୍ଥ୍ୟ ବିଭାଗର ଏକ ଟିମକୁ ପଠାଯାଇଛି। ୭୨ ଘଣ୍ଟା ମଧ୍ୟରେ ରିପୋର୍ଟ ଦେବାଲାଗି କୁହାଯାଇଛି।

ଇତିମଧ୍ୟରେ ଟିକିରିରେ ପହଞ୍ଚିଛି ସ୍ବାସ୍ଥ୍ୟ ବିଭାଗର ଏହି ରାଜ୍ୟସ୍ତରୀୟ ଟିମ୍। ଯୁଗ୍ମ ନିର୍ଦ୍ଦେଶକ ବସନ୍ତ କୁମାର ପ୍ରଧାନଙ୍କ ନେତୃତ୍ବରେ ଆସିଥିବା ଟିମ୍ ବିଭିନ୍ନ ପ୍ରଭାବିତ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି। ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା, ଦୂଷିତ ପାଣି, ଅଖାଦ୍ୟ ସେବନ ନା ଅନ୍ୟ ‌କେଉଁ କାରଣ ପାଇଁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି ତାକୁ ନେଇ ଯାଞ୍ଚ କରୁଛି ଟିମ୍।

ଅନ୍ୟପକ୍ଷରେ ଜିଲ୍ଲାପାଳ ସ୍ବଧା ଦେବ ସିଂ ଆକ୍ରାନ୍ତ ଗାଁ ତଥା ଡାକ୍ତରଖାନା ପରିଦର୍ଶନ କରି ମୃତକ ଓ ଆକ୍ରାନ୍ତଙ୍କ ସଂପର୍କୀୟ ସହ ଆଲୋଚନା କରିଛନ୍ତି। ଟିକିରି ଝୋଡ଼ିଆ ସାହି, ଦୁଡୁକାବାହଲ, ଶଙ୍କରଡ଼ା ଗସ୍ତ କରି ଜିଲ୍ଲାପାଳ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଅଧିକାଂଶ ଗାଁରେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥାକୁ ଦେଖି ବିଗିଡ଼ିଥିଲେ ଜିଲ୍ଲାପାଳ।

ଟିକିରି ଝୋଡ଼ିଆ ସାହି ଅବସ୍ଥା ଅତ୍ୟନ୍ତ ଶୋଚନୀୟ ଥିବାରୁ ବ୍ଲକ୍ କର୍ତ୍ତୃପକ୍ଷଙ୍କୁ ତାଗିଦ୍ କରିଥିଲେ। ସେହିପରି ଦୁଡୁକାବାହଲବାସୀ ପାନୀୟ ଜଳ ପାଇଁ ବ୍ୟବହାର କରୁଥିବା କୂଅକୁ ଦେଖି ଅସନ୍ତୋଷ ପ୍ରକାଶ କରିଥିଲେ ଜିଲ୍ଲାପାଳ। ସୌର ଚାଳିତ ଡୁଆଲ ପମ୍ପକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ସଂସ୍ଥା ଅଧୀକ୍ଷଣ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆକ୍ରାନ୍ତ ସଂଖ୍ୟା ବଢ଼ିବା ପରେ ଦୁଡୁକାବାହଲ ସମେତ ଅନ୍ୟ ଗାଁରେ ଥିବା ଜଳ ଉତ୍ସ ଓ ନଳକୂପ ଗୁଡ଼ିକୁ ବିଶୋଧନ କରାଯାଇଛି। ଆଗାମୀ ଏକ ସପ୍ତାହ ପର୍ଯ୍ୟନ୍ତ ଟ୍ୟାଙ୍କର ମାଧ୍ୟମରେ ପାଣି ଯୋଗାଇ ଦେବାକୁ ଗ୍ରାମ୍ୟ ଜଳ ଯୋଗାଣ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ଟିକିରି, ଗୋବରିଘାଟି, ଜଲାକୁରା, ଦୁଡୁକାବାହଲ, ବଡମାରିଭଟ୍ଟା, କାକୁଡିପଦର, ରାଉତଘାଟି ଅଞ୍ଚଳରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବାରୁ ସ୍ବତନ୍ତ୍ର ଦୃଷ୍ଟି ରଖିବାକୁ ଡାକ୍ତରୀ ଟିମ୍‌କୁ ନିର୍ଦ୍ଦେଶ ମିଳିଛି। ‌ସେହିପରି ଉତ୍କଳ ଆଲୁମିନା ହସ୍‌ପିଟାଲ୍ ପରିଦର୍ଶନରେ ଯାଇ ଜିଲ୍ଲାପାଳ କମ୍ପାନି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ୩୦ ଶଯ୍ୟା ୱାର୍ଡ କାର୍ଯ୍ୟକାରୀ କରି ଆକ୍ରାନ୍ତଙ୍କୁ ରାୟଗଡ଼ା ପଠାଇବା ପରିବର୍ତ୍ତେ ପ୍ରଥମେ ଉତ୍କଳ ଆଲୁମିନା ହସ୍‌ପିଟାଲରେ ଚିକିତ୍ସା କରିବାକୁ ପରାମର୍ଶ ଦେଇଛନ୍ତି। ଗୁରୁତର ହେଲେ ରାୟଗଡ଼ା ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଛନ୍ତି। ଗୁରୁତର ରୋଗୀଙ୍କୁ ସ୍ଥାନାନ୍ତର ପାଇଁ ୩ଟି ଆମ୍ବୁଲାନସର ବ୍ୟବସ୍ଥା କରାଯାଇଛି। ମୃତକଙ୍କ ପରିବାରକୁ ରେଡକ୍ରଡ୍‌ରୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ବିଡିଓ କାଶୀପୁରଙ୍କୁ ନିର୍ଦ୍ଦେଶ ହୋଇଛି।

ସୂଚନା‌ଯୋଗ୍ୟ, ଝାଡ଼ାବାନ୍ତିରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କେବଳ ଗତ ୨ ଦିନରେ ୫ ଜଣଙ୍କ ମୃତ୍ୟୁ ହେଲାଣି। ଗୁରୁବାର ରାତିରେ ଝୋଡ଼ିଆ ସାହିର ସରୋଜିନୀ ଝୋଡ଼ିଆ, ରଜନୀ ଝୋଡ଼ିଆ, ଅଞ୍ଜନ ଝୋଡ଼ିଆଙ୍କ ମୃତ୍ୟୁ ହୋଇଥିବା ବେଳେ ଶୁକ୍ରବାର ରାୟଗଡ଼ା ଡାକ୍ତରଖାନାରେ କହ୍ନେଇ ମାଝିଙ୍କ ମୃତ୍ୟୁ ହୋଇଥିଲା। ବୁଧବାର ରାତିରେ ଟିକିରି କରାକୁପଲି ସାହିର ଧୋବା ମାଝି, ଏହା ପୂର୍ବରୁ ଦୁଡୁକାବାହାଲ ଗ୍ରାମର ସବିତା ନାଏକ ଏବଂ ଆଜି ପାଞ୍ଚାଳି ଗ୍ରାମର ଅଗାଧୁ ଗରଡ଼ାଙ୍କ ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର