ବାହାଘର ଖର୍ଚ୍ଚ ଦେଲେନି ବୋଲି…୭ ପରିବାର ଗାଁରୁ ବାସନ୍ଦ, ଗଛମୂଳେ ବିତୁଛି ଜୀବନ

ବାସନ୍ଦ ପରିବାର ସହ କଥା ହେଲେ ୧୦ ହଜାର, ସହଯୋଗ କଲେ ୩୦ ହଜାର ଜରିମାନା

ରାୟଗଡ଼ା: ବାହାଘର ଖର୍ଚ୍ଚ ବାବଦ ଟଙ୍କା ଦେଲେନି ବୋଲି ଗାଁରୁ ବାସନ୍ଦ ହୋଇଛନ୍ତି ୭ ପରିବାର। ଦିନେ କି ସପ୍ତାହେ ନୁହେଁ, ଗତ ୨ ମାସ ହେଲା ଗାଁ ବାହାର ଗଛମୂଳେ ଖରା, ବର୍ଷା, ଅନ୍ଧାର ରାତିରେ ବାସନ୍ଦ ପରିବାର ଦିନ କାଟୁଛନ୍ତି। ବାସନ୍ଦ ପରିବାର ସହ କଥା ହେଲେ ୧୦ ହଜାର ସେମାନଙ୍କୁ ସହାୟତା କଲେ ୩୦ ହଜାର ଟଙ୍କାର ଜରିମାନା ଭରଣ କରିବାକୁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଫଳରେ ନ୍ୟାୟ ପାଇଁ କୋର୍ଟର ଦ୍ବାରସ୍ଥ ହୋଇଛନ୍ତି ପରିବାର। ଏପରି ଅଭାବନୀୟ ଘଟଣା ଘଟିଛି କୋଲନରା ବ୍ଲକ୍ କାଟିକଣା ପଞ୍ଚାୟତ ରୁପଣୀ ଗାଁରେ।

ଆଦିବାସୀ ଜାତିପ୍ରଥା ଓ ପରମ୍ପରା ଅନୁସାରେ ଯଦି କେହି ବିବାହିତା ସ୍ତ୍ରୀ ନିଜ ସ୍ୱାମୀକୁ ଛାଡି ଅନ୍ୟକୁ ଦ୍ବିତୀୟ ବିବାହ କରେ ତେବେ କ୍ଷତିପୂରଣ ବାବଦକୁ ପ୍ରଥମ ସ୍ୱାମୀଙ୍କୁ ଝୁଲା (ବିବାହ ଖର୍ଚ୍ଚ) ଟଙ୍କା ଆକାରରେ ଦେବାର ନିୟମ ରହିଛି। ରୁପଣୀ ଗାଁର ଉତନା ମାଣ୍ଡାଙ୍ଗିଙ୍କ ପୁଅ ସଦା ମାଣ୍ଡାଙ୍ଗି ସୁକୁବାଇ ଗ୍ରାମର ଶୁକୁବାସୀ ନାମକ ଜଣେ ମହିଳାଙ୍କୁ ଗତ ୧୨ବର୍ଷ ତଳେ ବିବାହ କରିଥିଲେ। ଉଭୟଙ୍କ ଗୋଟିଏ ପୁଅ ଓ ଝିଅ ଅଛନ୍ତି। ଘର ସଂସାର ଠିକ୍ ଚାଲିଥିବା ବେଳେ ଗତ କିଛି ବର୍ଷ ହେଲା ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ କଳହ ଉଗ୍ର ରୂପ ନେଇଥିଲା।

ସଦା ନିଜ ସ୍ତ୍ରୀ ଶୁକୁବାସୀଙ୍କ ମାରପିଟ୍ କରିବା ପରେ ଯନ୍ତ୍ରଣା ସହିନପାରି ଶୁକୁବାସୀ ନିଜ ଗାଁକୁ ଆସି ରହୁଥିଲେ। ଗତ କିଛି ମାସ ତଳେ ଶୁକୁବାସୀ ପ୍ରଥମ ସ୍ବାମୀ ସଦାକୁ ଛାଡ଼ି ଉକ୍ତ ଗ୍ରାମର କୃଷ୍ଣ ତୋଇକାଙ୍କ ପୁଅ ଶ୍ୟାମାରାଓ ତୋଇକାଙ୍କ ସହ ମିଳିମିଶି ରହୁଥିଲେ। ଆଦିବାସୀ ପରମ୍ପରା ମୁତାବକ, ଶୁକୁବାସୀଙ୍କ ଦ୍ବିତୀୟ ସ୍ବାମୀ ଶ୍ୟାମାରାଓ ପ୍ରଥମ ସ୍ବାମୀକୁ ବିବାହ ଖର୍ଚ୍ଚ ବାବଦକୁ ନଗଦ ୬୦ ହଜାର ଝୁଲା ଟଙ୍କା ଦେବାକୁ ଗ୍ରାମର ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ନିଷ୍ପତ୍ତି ହୋଇଥିଲା।

ନିଷ୍ପତ୍ତି ମୁତାବକ ଶ୍ୟାମାରାଓ ଟଙ୍କା ପ୍ରଥମ ସ୍ବାମୀ ସଦାକୁ ପ୍ରଦାନ କରିଥିଲେ। କିନ୍ତୁ ଗତ ୨ ମାସ ତଳେ ପୁଣି ଥରେ ସଦା ମାଣ୍ଡାଙ୍ଗି ବାହାଘର ଖର୍ଚ୍ଚ ବାବଦକୁ ଆଉ ୧ ଲକ୍ଷ ଟଙ୍କା ଦେବାକୁ ଶ୍ୟାମାରାଓଙ୍କୁ ଦାବି କରିଥିଲେ। ଏଥିରେ ଶ୍ୟାମାରାଓ ଏବଂ ପତ୍ନୀ ଶୁକୁବାସୀ ରାଜି ନ ହେବାରୁ କିଛି ଗ୍ରାମବାସୀ ଶ୍ୟାମାରାଓଙ୍କ ପରିବାର ସମେତ ଗାଁରେ ରହୁଥିବା ଶ୍ୟାମାଙ୍କ ସଂର୍ପକୀୟ ସାଙ୍ଗନା ତୋଇକା, ଉତରା ତୋଇକା, ଯୋଗେନ୍ଦ୍ର ତୋଇକା, ଧର୍ମାରାଓ, କିତାନା ମାଣ୍ଡାଙ୍ଗି ଓ ସାଲମେୟା ମାଣ୍ଡାଙ୍ଗିଙ୍କ ପରିବାରକୁ ଗାଁରୁ ବାସନ୍ଦ କରିଥିଲେ। ଗ୍ରାମବାସୀଙ୍କ ଚେତବାନୀ ପରେ ୭ଟି ପରିବାରର ୨୫ରୁ ଉର୍ଧ୍ବ ଲୋକ ଘରଦ୍ବାରା ଛାଡ଼ି ଗାଁରୁ ୩ କିମି ଦୂରରେ ଥିବା ଏକ ଗଛମୂଳେ ଦଃଖଦ ଜୀବନ କାଟୁଛନ୍ତି। ନିଆଁ ପାଣି ସହ ଗାଁ ମଶାଣି ମଧ୍ୟ ପରିବାର ଲୋକଙ୍କୁ ବାରଣ କରାଯାଇଥିବାରୁ ୭ ପରିବାର ଗାଁ ମାଟି ମାଡ଼ିପାରୁ ନାହାନ୍ତି।

ଏ ନେଇ ଶୁକୁବାସି ମୁକୁନ୍ଦପୁର ଫାଣ୍ଡିରେ ନିଜ ପ୍ରଥମ ସ୍ୱାମୀ ଓ ଗ୍ରାମବାସୀଙ୍କ କାର୍ଯ୍ୟକଳାପକୁ ନେଇ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ଗ୍ରାମକୁ ଯାଇ ବୁଝାମୁଣା କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ପ୍ରଥମ ସ୍ବାମୀ ସଦା ଓ ତାଙ୍କ ପରିବାର କେହି ପୁଲିସକୁ ସହଯୋଗ କରୁନାହାନ୍ତି। ପୁଲିସ୍ ୨ ଥର ଗାଁରୁ ଫେରିବା ପରେ ଗାଁକୁ ଫେରିବାର ଆଶା ମଉଳି ଯାଇଛି କହିଛନ୍ତି ଶ୍ୟମାରାଓଙ୍କ ବାପା କୃଷ୍ଣ ତୋଇକା। ଶେଷରେ ନ୍ୟାୟ ପାଇବାକୁ ବାସନ୍ଦ ପରିବାର ରାୟଗଡ଼ା କୋର୍ଟର ଦ୍ବାରସ୍ଥ ହୋଇଛି। ତେବେ ପୁଲିସ୍ କେବଳ ସମାଧାନ ଉଦ୍ୟମ କରି ଚୁପ୍ ବସିଥିବା ଜଣା ପଡ଼ିଛି। ଅଭିଯୋଗକୁ ନେଇ ଚାନ୍ଦିଲି ଥାନା କିମ୍ବା ମୁକୁନ୍ଦପୁର ଫାଣ୍ଡିରେ କୌଣସି ମାମଲା ରୁଜୁ ହୋଇନଥିବା ଚାନ୍ଦିଲି ଥାନା ଅଧିକାରୀ ଅଜିତ କୁମାର ସ୍ୱାଇଁ ଓ ମୁକୁନ୍ଦପୁର ଫାଣ୍ଡି ଅଧିକାରୀ ହର୍ଷ ପାଣି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର