ନୀଳଗିରିରେ ହାତୀଙ୍କ ଉତ୍ପାତ : ଗ୍ରାମବାସୀଙ୍କ ଠେଙ୍ଗାମାଡ଼ରେ ୭ ବନ କର୍ମଚାରୀ ଆହତ

ନୀଳଗିରି : ହାତୀ ଘଉଡ଼ାଇବାକୁ କେନ୍ଦ୍ରକରି ଗତକାଲି ରାତିରେ ନୀଳଗିରି ବନାଞ୍ଚଳର ହାତୀମୁଣ୍ଡା ଓ ତେରଲଡିହି ଗ୍ରାମବାସୀ ଲଙ୍କାକାଣ୍ଡ ଭିଆଇଛନ୍ତି। ହାତୀଙ୍କ ଉ­­­­­ତ୍ପାତରେ ଅତିଷ୍ଠ ଗ୍ରାମବାସୀଙ୍କ ସଂଘବଦ୍ଧ ଆକ୍ରମଣରେ ୭ ଜଣ ବନ କର୍ମଚାରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଫରେଷ୍ଟରଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେହିପରି ଗ୍ରାମବାସୀଙ୍କ ଆକ୍ରମଣରେ ବନ ବିଭାଗର ୨ଟି ଗାଡ଼ି ଭାଙ୍ଗିଯାଇଛି।ଏ ନେଇ ବିଭାଗ ପକ୍ଷରୁ ନୀଳଗିରି ଥାନାରେ ଲିଖିତ ଅଭିଯୋଗ କରାଯାଇଛି।

ସୂଚନା ଅନୁସାରେ, ହାତୀ ଘଉଡ଼ାଇବାରେ ବନବିଭାଗର ଅପାରଗତାକୁ ଦାୟୀକରି ଶୁକ୍ରବାର ରାତି ପ୍ରାୟ ୧୨ଟା ସମୟରେ ହାତୀମୁଣ୍ଡା ଓ ତେରଲଡ଼ିହି ଗ୍ରାମର ୨୦୦ରୁ ଅଧିକ ପୁରୁଷମହିଳା ହାତରେ ଠେଙ୍ଗାଧରି ବନ କର୍ମଚାରୀଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ଜଣେ ଫରେଷ୍ଟର ଗୁରୁତର ହୋଇଥିବା ବେଳେ ୬ ଜଣ ବନ କର୍ମଚାରୀ ଆହତ ହୋଇଥିବା ଜଣାପଡିଛି। ଗ୍ରାମବାସୀଙ୍କ ଆକ୍ରମଣରେ ମିତ୍ରପୁର ଫରେଷ୍ଟର ଗଣେଶ ପ୍ରସାଦ ଲେଙ୍କା, ଫରେଷ୍ଟର ଦୁଷ୍ମନ୍ତ ଜେନା, ସରୋଜ ପ୍ରଧାନ, ଗାର୍ଡ ମନୋରଂଜନ ସିଂ, କୁଲଡିହା ଫରେଷ୍ଟର କିଶୋର ଭୂୟାଁ, ଗାର୍ଡ ଜୟଦେବ ମଲ୍ଲିକ ଆହତ ହୋଇଥିବା ବେଳେ ଫରେଷ୍ଟର ଉମାକାନ୍ତ ଜେନା ଗୁରୁତର ହୋଇଛନ୍ତି। ଉତ୍ତ୍ୟକ୍ତ ଲୋକେ ନୀଳଗିରି ବନ ବିଭାଗର ଗୋଟିଏ ଗାଡ଼ି ଓ କୁଲଡିହା ବନବିଭାଗର ଗୋଟିଏ ଗାଡ଼ିକୁ ଭାଙ୍ଗି ଦେଇଛନ୍ତି। ଖବରପାଇ ନୀଳଗିରି ଆଇଆଇସି ନଳିତା ମୋଦିଙ୍କ ନେତୃତ୍ୱରେ ଏକ ପ୍ଲାଟୁନ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଲା ମାତ୍ରେ ଗ୍ରାମବାସୀ ଛତ୍ରଭଙ୍ଗ ଦେଇଥିଲେ। ପରେ ପୁଲିସ ଜଙ୍ଗଲ ମଧ୍ୟରେ ଲୁଚି ରହିଥିବା ବନ କର୍ମଚାରୀ ଓ ଗୁରୁତର ଆହତ ହୋଇଥିବା କର୍ମଚାରୀଙ୍କୁ ଉଦ୍ଧାର କରିଥିଲା।

ସମ୍ବନ୍ଧିତ ଖବର