ଗୋଳନ୍ଥରା : ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଚଟି ନିକଟରେ ଗୁରୁବାର ଦିନ ଏକ ଟାଟାସୁମୋ ଭାରସାମ୍ୟ ହରାଇ ପୋଲ ଉପରୁ ୧୫ ଫୁଟ ତଳ ନାଳକୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨ ଜଣ ଶିଶୁ ଓ ଜଣେ ମହିଳା ଗୁରୁତର ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି।
ଜରଡ଼ା ଥାନା ଅନ୍ତର୍ଗତ ବାଦପୁର ଓ ବୁରୁପଡ଼ା ଗ୍ରାମର ୩ଟି ପରିବାରର ୧୩ରୁ ଅଧିକ ସଦସ୍ୟ ଗତକାଲି ଭୋର୍ରେ ପୁରୀ, କୋଣାର୍କ ଓ ନନ୍ଦନକାନନ ଆଦି ବୁଲିବାକୁ ଯାଇଥିଲେ। ଫେରୁଥିବା ସମୟରେ ରାତି ପ୍ରାୟ ୯ଟାରେ ସେମାନଙ୍କ ଗାଡ଼ିଟି ଗୋଳନ୍ଥରା ଚଟି ନିକଟରେ ଥିବା ଘଡ଼କାନାଳ ବ୍ରିଜ୍ରେ ଭାରସାମ୍ୟ ହରାଇଥିଲା। ଆଉ ୧୬ ନମ୍ବର ଜାତୀୟ ରାଜପଥର ଗାର୍ଡ଼ୱାଲ୍ ଭାଙ୍ଗି ୧୫ ଫୁଟ ତଳ ନାଳ ଭିତରକୁ ଖସିପଡ଼ିଥିଲା। ଏଥିରେ ୧୫ମାସର ଶିଶୁପୁତ୍ର ଶିବାୟ ପ୍ରଧାନ, ଲିପି ସେଠୀ (୧୧) ଓ କୁନ୍ଦନ ବେହେରା ନାମକ ଜଣେ ମହିଳା ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି କନିଷିର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ୨ ଶିଶୁଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଗୋଳନ୍ଥରା ଥାନାରେ କୌଣସି ଏତଲା ଦିଆଯାଇ ନଥିବା ବେଳେ ଚାଳକ ଘଟଣାସ୍ଥଳରୁ ଚମ୍ପଟ୍ ମାରିଛି।