ଡୁଙ୍ଗୁରିପାଲି : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଟୁନିଆଁମୁଣ୍ଡା ଗ୍ରାମରେ ଶୁକ୍ରବାର ବାଇକ୍ ଧକ୍କାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହେବାରୁ ଉଭୟ ପକ୍ଷର ୭ ଜଣ ଆହତ ହୋଇଥିବା ଜଣାଯାଇଛି। ଗାଁରେ ଉତ୍ତେଜନା ଲାଗି ରହିଥିବାରୁ ପୁଲିସ ମୁତୟନ ହୋଇଥିବା ଜଣାଯାଇଛି। ଉଭୟ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି।
ଟୁନିଆଁମୁଣ୍ଡା ଗାଁରେ ଶୁକ୍ରବାର କିଛି ଯୁବକ ନବବର୍ଷ ପାଳନ ଅବସରରେ ଡେକ ବଜାଇ ମୌଜ ମଜଲିସ କରୁଥିଲେ। ଏହି ସମୟରେ ଟୁନିଆଁମୁଣ୍ଡା ଗ୍ରାମର ଡୋଳାମଣି ଅଦାବର ବାଇକ୍ରେ ଡୁଙ୍ଗୁରିପାଲି ଆସୁଥିବା ବେଳେ ଲବ ନାଗଙ୍କ ଦେହରେ ବାଇକ ଧକ୍କା ହୋଇଥିଲା। ଏହା ପରେ ପଡ଼ାର ଯୁବକମାନେ ଡୋଳାମଣିଙ୍କୁ ମାରପିଟ୍ କରିଥିଲେ। ଏହି ଖବର ଗାଁରେ ଜଣାପଡ଼ିବା ପରେ ଉତ୍ତେଜନା ଦେଖା ଦେଇଥିଲା। ଗାଁର କିଛି ଲୋକ ଦଳବଦ୍ଧ ହୋଇ ଠେଙ୍ଗା ଧରି ସଂପୃକ୍ତ ଯୁବକଙ୍କ ବସ୍ତିକୁ ଯାଇ ୮/୧୦ଟି ଘର ଭାଙ୍ଗି ଦେଇଥିଲେ। ଏହି ବସ୍ତିର ଯୁବକମାନେ ମଧ୍ୟ ପ୍ରତି ଆକ୍ରମଣ କରିଥିଲେ। ଗୋଷ୍ଠୀ ସଂଘର୍ଷରେ ଏହି ପଡ଼ାର ଆରତି ନାଗ, ଉକିଆ ନାଗ, ସୁନୀଲ ସୁନା ଓ ସନ୍ତୋଷ ନାଗ ଏବଂ ଅପରପକ୍ଷର ଡୋଳାମଣି ଅଦାବର, ସମ୍ବିତ ଯୁଆଡ଼ି ଓ ଭୋଲାନାଥ ଯୁଆଡ଼ି ଆହତ ହୋଇଥିବା ଜଣାଯାଇଛି। ପୁଲିସ ଉଭୟ ପକ୍ଷର ଏତଲାକୁ ଗ୍ରହଣ କରି ତଦନ୍ତ ଚଳାଇଥିବା ଆଇଆଇସି ଭାନୁ ଶଙ୍କର ଯାଦବ କହିଛନ୍ତି। ଶନିବାର ସୋନପୁର ଅତିରିକ୍ତ ଏସ୍ପି ରମେଶ ପାଣିଗ୍ରାହୀ ଓ ଡିଏସ୍ପି (ଡିଆଇବି) ହେମସାଗର ନନ୍ଦ ଘଟଣାସ୍ଥଳ ପରିଦର୍ଶନ କରିଥିବା ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/groupclash.jpeg)