ସମ୍ବଲପୁର : ଏବେ ରାଜ୍ୟ ସରକାରଙ୍କ ପକ୍ଷରୁ ୫୪୬ କୋଟି ଟଙ୍କା ବ୍ୟୟରେ ଭେଡ଼େନ, ଇବ୍‌ ଓ ସଫେଇ ନଦୀରେ ୭ଟି ବ୍ୟାରେଜ(ଇନ୍‌ଷ୍ଟ୍ରିମ୍‌ ଷ୍ଟୋରେଜ ସ୍କିମ)ରେ ନିର୍ମାଣ କରାଯାଉଥିବା ବେଳେ କେତୋଟିରେ ବ୍ୟାପକ ଅନିୟମିତତା ପରିଲକ୍ଷିତ ହୋଇଛି। ଏହି ତ୍ରୁଟି ସାମ୍‌ନାକୁ ଆଣିଥିବା ପ୍ରକଳ୍ପର ବୈଷୟିକ ପରାମର୍ଶ ବିଶେଷଜ୍ଞ ଦଳକୁ ମହଙ୍ଗା ପଡ଼ିଛି। ଏହାକୁ ନେଇ ମୁଖ୍ୟଯନ୍ତ୍ରୀ ତଥା ଉପର ମହାନଦୀ ଅବବାହିକା ପରିଚାଳକ ମୁହାଁମୁହିଁ ହୋଇଛନ୍ତି। ଏଭଳି ସ୍ଥିତି ଯୋଗୁ ଜଳସଂପଦ ବିଭାଗର ଅବସରପ୍ରାପ୍ତ ୩ ଜଣ ସର୍ବୋଚ୍ଚ ଯନ୍ତ୍ରୀ ଏହି ପ୍ରକଳ୍ପଗୁଡ଼ିକର ବିଭିନ୍ନ ପଦରୁ ଅବ୍ୟାହତି ନେଇଛନ୍ତି।

Advertisment

ସମ୍ବଲପୁର ଜିଲ୍ଲାର ଭେଡ଼େନ ନଦୀରେ ୪ଟି ବ୍ୟାରେଜ, ସୁନ୍ଦରଗଡ଼ରେ ଇବ୍‌ନଦୀରେ ୨ଟି ଏବଂ ସଫେଇ ନଦୀରେ ଗୋଟିଏ ବ୍ୟାରେଜ ନିର୍ମାଣ କରାଯାଉଛି। ଓଡ଼ିଶା ନିର୍ମାଣ ନିଗମ ଦ୍ୱାରା ନିୟୋଜିତ ପ୍ରକଳ୍ପ ପରିଚାଳନା ପରାମର୍ଶ ସେବା (ପିଏମ୍‌ସି) ସହିତ ପ୍ରକଳ୍ପ ତଦାରଖ ସେବା (ପିଏସ୍‌ଏସ୍‌) ଯୋଗାଇବା ନିମନ୍ତେ ଆର୍‌‌ଭି ଆସୋସିଏଟ୍ସ, ହାଇଦ୍ରାବାଦଙ୍କୁ ନିଯୁକ୍ତ କରିଛି। ଏହି ସଂସ୍ଥା ଗତ ଡିସେମ୍ବର ୨୧ ତାରିଖଠାରୁ ସମ୍ବଲପୁରରେ କାମ ଆରମ୍ଭ କରିଛି। ଉପରୋକ୍ତ ପ୍ରକଳ୍ପଗୁଡିକର ଡିଜାଇନ୍, ଗୁଣବତ୍ତା ନିଶ୍ଚିତତା, ଠିକ୍‌ ନିର୍ମାଣ ପଦ୍ଧତି ଇତ୍ୟାଦିର ତଦାରଖ କରି ଜଳସଂପଦ ବିଭାଗ ଯନ୍ତ୍ରୀମାନଙ୍କୁ ସାହାଯ୍ୟ ପାଇଁ କାର୍ଯ୍ୟ କରିବା ହେଉଛି ଏହାର ମୁଖ୍ୟ କାମ। ଏସବୁ କାମ ଦେଖିବା ନିମନ୍ତେ ଆରଭି ଆସୋସିଏଟ୍ସ କେତେକ ଅବସରପ୍ରାପ୍ତ ଯନ୍ତ୍ରୀଙ୍କୁ ବିଶେଷଜ୍ଞ ଅଧିକାରୀ ଭାବେ ନିଯୁକ୍ତି ଦେଇଛି। ଏହି ବିଶେଷଜ୍ଞ ଯନ୍ତ୍ରୀମାନଙ୍କ ପରାମର୍ଶ ଅନୁଯାୟୀ ଜଳସଂପଦ ବିଭାଗ ସଂପୃକ୍ତ ଠିକାସଂସ୍ଥାଠାରୁ କାମ ଆଦାୟ କରିବା କଥା। କିନ୍ତୁ, ଏହି ବ୍ୟାରେଜ ନିର୍ମାଣ ସମୟରେ ସେଭଳି ହେଉ ନଥିବା ପରିଲକ୍ଷିତ ହୋଇଛି।

ବିଶେଷଜ୍ଞ ଅଧିକାରୀମାନେ ବାରମ୍ବାର ବିଭାଗୀୟ ଯନ୍ତ୍ରୀମାନଙ୍କୁ ଅନୁରୋଧ ସତ୍ତ୍ବେ ଏପର୍ଯ୍ୟନ୍ତ ଭେଡ଼େନ ନଦୀର ପ୍ରକଳ୍ପଗୁଡିକ ‘ଜିଟିଏସ୍‌ ବେଞ୍ଚ ମାର୍କ’ ସହିତ ସଂଯୋଗ କରାଯାଇନାହିଁ। ଯାହାକି ନିର୍ମାଣ ସଂସ୍ଥାମାନଙ୍କ ପ୍ରଥମ କାମ ଅଟେ। ପୁଣି ଉଚ୍ଚସ୍ତରୀୟ ବୈଷୟିକ କମିଟି ସ୍ଥିର କରିଥିବା ଇବ୍‌ ନଦୀର କୋପାସିଙ୍ଗା ଏବଂ କୁଡ଼ବାଗାଠାରେ ନିର୍ମାଣଧୀନ ପ୍ରକଳ୍ପଦ୍ବୟକୁ ଉପଯୁକ୍ତ କୋଣରୁ ପୂର୍ବ ଅନୁମୋଦନ ନନେଇ ସ୍ଥାନାନ୍ତରିତ କରାଯାଇଛି। ସେହିପରି, ଗତ ୨ ମେ ୨୦୨୩ରେ ପୁଣି ଇବ୍‌ ନଦୀର କୋପାସିଙ୍ଗା ଓ କୁଡ଼ାବଗା ବ୍ୟାରେଜର ନିର୍ମାଣଧୀନ ଡାଏଫ୍ରାଗମ୍ କାନ୍ଥର ଡିଜାଇନ ଓ ନିର୍ମାଣ ପଦ୍ଧତି ଠିକ୍ ନଥିବା ବିଶେଷଜ୍ଞମାନେ ଦର୍ଶାଇଥିଲେ। ମାତ୍ର, ମୁଖ୍ୟଯନ୍ତ୍ରୀ ଏହି ବିଶେଷଜ୍ଞଙ୍କ ବୈଷୟିକ ପର୍ଯ୍ୟବେକ୍ଷଣ ଉପରେ ଆବଶ୍ୟକ ଅନୁଧ୍ୟାନ କାର୍ଯ୍ୟ କରିବା ପରିବର୍ତ୍ତେ ପାଲଟା ତାଙ୍କ ଉପରେ ‌ଦୋଷାରୋପ କରିଛନ୍ତି। ମୁଖ୍ୟଯନ୍ତ୍ରୀ ପତ୍ରସଂଖ୍ୟା ୨୫୫୮/୯.୫.୨୩ ମାଧ୍ୟମରେ ମନ୍ଦ ଉଦ୍ଦେଶ୍ୟ ରଖି ବିଶେଷଜ୍ଞମାନେ ଏଭଳି ଟିପ୍ପଣୀ ଦେଇଛନ୍ତି।

ଅପରପକ୍ଷରେ, ମୁଖ୍ୟଯନ୍ତ୍ରୀଙ୍କ ଏଭଳି ପତ୍ରର ପାଲଟା ଜବାବ ଦେଇ ଆର୍‌ଭି ଏସୋସିଏଟ୍ସର ‌ଉପ ଟିମ୍ ମୁଖ୍ୟ ଥିବା ଜଳସଂପଦ ବିଭାଗର ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ଯଶୋବନ୍ତ ପରିଡ଼ା ନିନ୍ଦା କରିଛନ୍ତି। କେବଳ ସେତିକି ନୁହେଁ, ଆତ୍ମସମ୍ମାନ ଦୃଷ୍ଟିକୋଣରୁ ଶ୍ରୀ ପରିଡ଼ାଙ୍କ ସହିତ ଡିଜାଇନ୍‌ ପରାମର୍ଶଦତା(ପିଇସି) ପଦରେ କାର୍ଯ୍ୟରତ ଥିବା ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ରବୀନ୍ଦ୍ର କୁମାର ପଣ୍ଡା ଏବଂ ମୁଖ୍ୟ ନିର୍ମାଣ ପରିଚାଳନା ବିଶେଷଜ୍ଞ ଅବସରପ୍ରାପ୍ତ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଶ୍ରୀ ପୀତବାସ ହାଁସଦା ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏଭଳି ଅନିୟମିତତା ସଂକ୍ରାନ୍ତରେ ଇଂ.ପଣ୍ଡା ଟୁଇଟ୍‌ କରି ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।