ସୀମାନ୍ତରେ ବଡ଼ ନକ୍ସଲ ଅପରେସନ୍‌ : ୭ ଯବାନ ସହିଦ, ୧୧ଆହତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ରେ ବଡ଼ଧରଣର ନକ୍ସଲ ଅପରେସନ ହୋଇଥିବା ସୂଚନା ମିଳିଛି। ଏଥିରେ ୭ଜଣ ଯବାନ ସହିଦ ହୋଇଥିବା ବେଳେ ୧୧ଜଣ ଯବାନ ଆହତ ହୋଇଛନ୍ତି। ନକ୍ସଲ କ୍ୟାମ୍ପ ଛାଡ଼ି ଛତ୍ରଭଙ୍ଗ ‌ଦେଇଛନ୍ତି। ସର୍ଚ୍ଚ ଅପରେସନ ପରେ ଜଣେ ନକ୍ସଲ ନିହତ ହୋଇଥିବା ଜଣାପଡ଼ିଛି। ଏହାପରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି।

ସୂଚନା ଅନୁଯାୟୀ, ସୁକମା ଜିଲ୍ଲା ମେନପା ଜଙ୍ଗଲରେ ନକ୍ସଲ କ୍ୟାମ୍ପ କରିଥିବା ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିଥିଲା। ବହୁ ସଂଖ୍ୟାରେ ନକ୍ସଲ ଠୁଳ ହୋଇଥିବା ବେଳେ ବଡ଼ଧରଣର ହମଲା ପାଇଁ ପ୍ରସ୍ତୁତ ହେଉଥିବା ଗୁଇନ୍ଦା ବିଭାଗ ତଥ୍ୟ ଦେଇଥିଲା। ଏହାପରେ ଜିଲ୍ଲା ପୁଲିସ ଏବଂ ସିଆରପିଏଫ ମିଳିତ ଭାବେ ଅପରେସନ ଆରମ୍ଭ କରିଥିଲେ। କ୍ୟାମ୍ପକୁ ଚାରିପଟୁ ଘେରି ଚଢ଼ଉ କରିଥିଲେ। ଖସିବା ପାଇଁ ନକ୍ସଲ ଉଦ୍ୟମ କରି ଆଖିବୁଜା ଗୁଳି ଚଳାଇବା ଆରମ୍ଭ କରିଥିଲେ। ଯାହାର ପାଲଟା ଯବାବ ଯବନ ଦେଇଥିଲେ। ଦୀର୍ଘ ସମୟ ଧରି ଉଭୟପଟୁ ଗୁଳି ବିନିମୟ ଚାଲିଥିଲା ଏବଂ ନକ୍ସଲ କେବଳ ଅସ୍ତ୍ରଶସ୍ତ୍ର ନେଇ ଖସି ଯାଇଥିଲେ। ସର୍ଚ୍ଚ ଅପରେସନ ସମୟରେ ୭ଜଣ ସିଆରପିଏଫ ଯବାନ ସହିଦ ହୋଇଥିବା ଜଣାପଡ଼ିଥିଲା। ସେହିପରି ଆହତ ୧୧ଜଣ ଯବାନଙ୍କୁ ଉଦ୍ଧାର କରି ବୁରକାପାଲ କ୍ୟାମ୍ପକୁ ନିଆଯାଇଥିଲା। ଶେଷ ଖବର ସୁଦ୍ଧା ଯବାନଙ୍କ ଚିକିତ୍ସା ଚାଲିଥିଲା। ଆବଶ୍ୟକ ପଡ଼ିଲେ ହେଲିକପ୍ଟର ଯୋଗେ ରାୟପୁର ସ୍ଥାନାନ୍ତର କରାଯିବ ବୋଲି ସୂଚନା ମିଳିଛି। ଅନ୍ୟପଟେ ଘଟଣାସ୍ଥଳରୁ ନକ୍ସଲଙ୍କ ଦୈନନ୍ଦିନ ସାମଗ୍ରୀ ସହ ଜଣେ ନିହତ ନକ୍ସଲର ଶବ ମିଳିଛି। ବହୁ ସଂଖ୍ୟାରେ ନକ୍ସଲ ଆହତ ହୋଇଥିବା ଅନୁମାନ କରି ଆଖପାଖ କ୍ୟାମ୍ପରୁ ଅଧିକ ସଂଖ୍ୟାରେ ଯବାନ ପହଞ୍ଚିବାରୁ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି।

ସମ୍ବନ୍ଧିତ ଖବର