ଆନନ୍ଦପୁର/ହାଟଡିହି/ରାମଚନ୍ଦ୍ରପୁର/ଜଳେଶ୍ବର/ଭୋଗରାଇ/ନୟାଗଡ଼ : ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୬ ଜଣ ପ୍ରାଣ ହରାଇଥିବାବେଳେ ଏକାଧିକ ଲୋକ ଆହତ ହୋଇଛନ୍ତି। ସମ୍ପୃକ୍ତ ଅଞ୍ଚଳରେ ଘଡ଼ଘଡ଼ି ସହିତ ବର୍ଷା ଯୋଗୁ ଏହି ଦୁଃଖଦ ମୃତ୍ୟୁ ଘଟିଛି।
ମୃତକଙ୍କ ମଧ୍ୟରୁ ୪ ଜଣଙ୍କ ଘର କେନ୍ଦୁଝର। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡରେ ଆଜି ପୂର୍ବାହ୍ନରେ ବଜ୍ରପାତରେ ଜଣେ ନାବାଳିକାଙ୍କ ସମେତ ୪ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ, ହାଟଡିହି ବ୍ଲକ୍ ବାହାରିପୁର ଗ୍ରାମର ବଲ୍ଲଭ ବେହେରା (୪୬), ଇଞ୍ଚୋଳ ଗ୍ରାମର ଗଣେଶ ମୁଣ୍ଡା (୬୦), ଘସିପୁରା ବ୍ଲକ୍ ପଣ୍ଡୁଆର ସନ୍ତୋଷ ପ୍ରଧାନଙ୍କ ଝିଅ କମଳା ପ୍ରଧାନ (୧୧) ଓ ଗଡ଼ବାନ୍ଧଗୋଡ଼ା ପଞ୍ଚାୟତ ସାପୁଆସାହିର ପୂର୍ଣ୍ଣଚନ୍ଦ୍ର ମୁଣ୍ଡା (୫୫)। ସମସ୍ତ ମୃତଦେହକୁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଯାଇଛି।
ସେହିଭଳି, ବଜ୍ରପାତରେ ବାଲେଶ୍ବର ଜିଲ୍ଲାର ୨ ଜଣ ପ୍ରାଣ ହରାଇଛନ୍ତି । ଦୁହେଁ ହେଲେ, ଜଳେଶ୍ବର ବ୍ଲକ୍ ଗୋବରଘାଟା ପଞ୍ଚାୟତର ପଡିଆରିପୁର ଗାଁରେ ବୈରାଟଆଡି ଗ୍ରାମର କାର୍ତ୍ତିକ ମହାନ୍ତି ଓ ଭୋଗରାଇ ବ୍ଲକ୍ ନିମାତପୁର ପଞ୍ଚାୟତ କାଉବଣି ଗାଁ ଆନନ୍ଦ ଦେଙ୍କ ପତ୍ନୀ ସାବିତ୍ରୀ (୫୯) । କାର୍ତ୍ତିକ କାକୁଡ଼ି ତୋଳୁଥିବାବେଳେ ବଜ୍ରପାତର ଶିକାର ହୋଇଥିଲେ। ତେବେ ଏହି ସମୟରେ ହଠାତ୍ ମେଘ ସହ ବଜ୍ରପାତ ଆରମ୍ଭ ହୋଇଥିଲା। ବଜ୍ରାପାତରେ କାର୍ତ୍ତିକଙ୍କ ସହ ତାଙ୍କ ବଡ଼ଭାଇ ଗଣେଶ, ଭାଉଜ ରଞ୍ଜିତା, ଅନ୍ୟ ଜଣେ ସମ୍ପର୍କୀୟ କୁଞ୍ଜବିହାରୀ ଓ ଦୁଇ କୃଷି ଶ୍ରମିକ ଚନ୍ଦ୍ରମୋହନ ସିଂ ଚନ୍ଦ୍ରମୋହନଙ୍କ ପତ୍ନୀ ଗୁଣ୍ଡରୀ ଗୁରୁତର ଆହତ ହୋଇଥିଲେ।
ସାବିତ୍ରୀ ପୋଖରୀରୁ ଗାଧୋଇ ସାରି ଫେରୁଥିବାବେଳେ ବଜ୍ରପାତ ହୋଇଥିଲା। ତାଙ୍କୁ ଅଚେତ ଅବସ୍ଥାରେ ଜଳେଶ୍ବରପୁର ଡାକ୍ତରଖାନା ନିଆଯାଇଥିଲା ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ସେହିପରି ଗୁଛିଦା ତେଘରି ପଞ୍ଚାୟତ କୃଷ୍ଣ ନଗର ଗାଁର ସୁକୁମାର ବେହେରା (୩୦) ବଜ୍ରପାତରେ ଗୁରୁତର ଆହତ ହୋଇଛନ୍ତି। ଘରେ ବିଦ୍ୟୁତ୍ ମରାମତି କରୁଥିବା ବେଳେ ବଜ୍ରପାତ ହୋଇଥିଲା। ସେଥିରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଜଳେଶ୍ବରପୂର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଅନ୍ୟପକ୍ଷରେ, ଆଜି ସନ୍ଧ୍ୟାରେ ହୋଇଥିବା ପ୍ରବଳ ବର୍ଷା ଓ ବଜ୍ରପାତରେ ନୟାଗଡ଼ରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତକ ଇକିରି ପଞ୍ଚାୟତ ଅନ୍ତର୍ଗତ ଖଇରପଟି ଗ୍ରାମର ଦାମୋଦର ବେହେରାଙ୍କ ପୁଅ ସୁଧାଂଶୁ ବେହେରା(୧୫) ବୋଲି ଜଣାଯାଇଛି। ଅନ୍ୟ ୨ ଜଣ ତାଙ୍କ ସାଙ୍ଗ ସନ୍ଦୀପ ପାତ୍ର(୧୫) ଓ ମାନସ ବେହେରା (୨୫) ଆହତ ହୋଇଛନ୍ତି।