ଭୁବନେଶ୍ୱର : ଆଜି ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୭ ଜଣଙ୍କର ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରୁ ପଶ୍ଚିମ ଓଡ଼ିଶାର ୪ ଜଣ ପ୍ରାଣ ହରାଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ଅନୁସାରେ, ଅତାବିରା ଥାନା ନିଲେଇପାଲି ଗାଁ ପୋଢ଼ବାହାଲ ଟିକ୍ରାର କିଛି ମହିଳା ରବିବାର ଅପରାହ୍ଣରେ ବିଲରେ କାମ କରୁଥିବା ବେଳେ ସେଠାରେ ବଜ୍ରପାତ ହୋଇଥିଲା। ଘଟଣାସ୍ଥଳରେ ମିନି ମିର୍ଧା (୫୦) ଓ ସୁବଳୟା ମିର୍ଧା (୩୦)ଙ୍କ ମୃତ୍ୟୁ ହୋଇଥିଲା। ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ ଲୁତୁରପଙ୍କ ଗାଁର ସୁବଳ ମହାକୁଳ (୬୫)ଙ୍କ ମୃତ୍ୟୁ ଘଟିଛି। ଆଜି ସେ କ୍ଷେତରେ ଥିବା ବେଳେ ବଜ୍ରାଘାତର ଶିକାର ହୋଇଥିଲେ। ତୁରନ୍ତ ତାଙ୍କୁ ପରିବାର ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବୀରମହାରାଜପୁର ଡାକ୍ତରଖାନାକୁ ଆଣିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ସେହିପରି, ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଉପଖଣ୍ଡର ବିଭିନ୍ନ ସ୍ଥାନରେ ବଜ୍ରପାତ ହୋଇଥିବାବେଳେ ସିନ୍ଧେକେଲା ଥାନା ଅନ୍ତର୍ଗତ ଝରିଆଲ ଗ୍ରାମର ଗିରିଧାରୀ ଭୋଇଙ୍କ ପୁଅ ସତ୍ୟଜିତ ଭୋଇ (୩୫)ଙ୍କର ମୃତ୍ୟୁ ହୋଇଛି। ୮ ଜଣ ଆହତ ହୋଇଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ, ପୁରୀ ଜିଲ୍ଲା ନିମାପଡ଼ା ଥାନା ମିଟେଇପୁର ପଞ୍ଚାୟତ ଅନ୍ତର୍ଗତ ଅର୍ଜୁନପୁର ଗ୍ରାମର ସିଦ୍ଧେଶ୍ୱର ଭୋଇ (୬୦)ଙ୍କର ଆଜି ଅପରାହ୍ନରେ ବଜ୍ରପାତରେ ଘଟିଛି। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା କୁମ୍ଭାରପଡ଼ା ଗ୍ରାମର ବିରଞ୍ଚି ନାୟକ (୫୦)ଙ୍କ ଆଜି ଅପରାହ୍ଣରେ ବଜ୍ରାଘାତରେ ମୃତ୍ୟୁ ଘଟିଛି। ବେଗୁନିଆପଡ଼ା ଫାଣ୍ଡି ଅଧିନ ଷଣ୍ଢମୂଳ ପଂଚାୟତ ଖାସୁଆ ଗ୍ରାମର ସୁରେନ୍ଦ୍ର ମଳିକଙ୍କ ପତ୍ନୀ ମମତା (୪୩)ଙ୍କ ବଜ୍ରାଘାତରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।