ପ୍ରଥମ ଦିନରେ ୟୁଟ୍ୟୁବ୍‌ରୁ ପଢ଼ିଲେ ୭ ଲକ୍ଷ ଛାତ୍ରଛାତ୍ରୀ, ସବ୍‌ସ୍କ୍ରାଇବ୍‌ କଲେ ୧ ଲକ୍ଷ ୭୦ ହଜାର

ପାଠପଢ଼ାର ସମୀକ୍ଷା କଲେ ଗଣଶିକ୍ଷା ମନ୍ତ୍ରୀ
ଯୋଡ଼ି ହୋଇପାରିଲେନି ଆଦିବାସୀ ଅଞ୍ଚଳର ଛାତ୍ରଛାତ୍ରୀ

ଭୁବନେଶ୍ବର/ନିମାପଡ଼ା : କରୋନା କଟକଣା ଯୋଗୁଁ କ୍ଲାସରୁମ୍‌ ପାଠପଢ଼ା ହୋଇପାରୁ ନ ଥିବାରୁ ଏବେ ଅନ୍‌ଲାଇନ୍‌ ମାଧ୍ୟମରେ ପିଲାଙ୍କୁ ଶିକ୍ଷା ଦେବାଲାଗି ଅଣ୍ଟା ଭିଡ଼ିଛି ଗଣଶିକ୍ଷା ବିଭାଗ। ଦୂରଦର୍ଶନ ପରେ ଆଜିଠୁ ୟୁଟ୍ୟୁବ୍‌ ମାଧ୍ୟମରେ ପିଲାଙ୍କ ପାଠପଢ଼ା ଆରମ୍ଭ ହୋଇଛି। ଏଥିରେ ମୁଖ୍ୟତଃ ନବମ ଓ ଦଶମ ଶ୍ରେଣୀର ବହୁ ଛାତ୍ରଛାତ୍ରୀ ଯୋଡ଼ି ହୋଇଛନ୍ତି। ସନ୍ଧ୍ୟା ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ପ୍ରଥମରୁ ଦଶମ ଯାଏ ୭ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଆଜି ୟୁଟ୍ୟୁବ୍ ଜରିଆରେ ପାଠ ପଢ଼ିଛନ୍ତି। ସେଥିରୁ ନବମ ଓ ଦଶମ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହାକୁ ନେଇ ଅଧିକ ଉତ୍ସାହ ଦେଖିବାକୁ ମିଳିଛି। ଏହି ଦୁଇ ଶ୍ରେଣୀର ପ୍ରାୟ ୪ ଲକ୍ଷ ଛାତ୍ରଛାତ୍ରୀ କ୍ଲାସ୍‌ରେ ଯୋଡ଼ି ହୋଇଥିବାବେଳେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ପ୍ରାୟ ୩ ଲକ୍ଷ ଛାତ୍ରଛ‌ାତ୍ରୀ ପ୍ରଥମ ଦିନ ପାଠ ପଢ଼ିଥିବା କୁହାଯାଉଛି।

ଖୋର୍ଧା ଜିଲ୍ଲାରେ ସବୁଠାରୁ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ୟୁଟ୍ୟୁବ୍‌ରୁ ଶିକ୍ଷା ଗ୍ରହଣ କରିଛନ୍ତି। ସମସ୍ତ ଜିଲ୍ଲାରୁ ତଥ୍ୟ ସଂଗ୍ରହ ହୋଇପାରି ନାହିଁ। ଦୁଇ ଦିନ ପରେ ଯାଇ ପ୍ରଥମ ଦିନର ତଥ୍ୟ ମିଳିପାରିବ ବୋଲି ଗଣଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ଅନ୍ୟପକ୍ଷରେ ୟୁଟ୍ୟୁବ ଚ୍ୟାନେଲ୍‌କୁ ଆଜି ମୋଟ ୧ ଲକ୍ଷ ୭୦ ହଜାର ୪୬୦ ଛାତ୍ରଛାତ୍ରୀ ସବ୍‌ସ୍କ୍ରାଇବ୍ କରିଥିବା ଜଣାପଡ଼ିଛି। ସେଥିରୁ ଦଶମ ଶ୍ରେଣୀରେ ସର୍ବାଧିକ ୫୨ ହଜାର ୯୦୦ ଜଣ ସବ୍‌ସ୍କ୍ରାଇବ୍ କରିଛନ୍ତି। ଏହା ବ୍ୟତୀତ ୯ମ ଶ୍ରେଣୀରେ ୩୦ ହଜାର ୫୦୦, ଅଷ୍ଟମରେ ୧୬ ହଜାର ୯୦୦, ୭ମରେ ୧୩ ହଜାର ୬୦୦, ୬ଷ୍ଠରେ ୧୧ ହଜାର ୬୦୦, ୫ମ ଶ୍ରେଣୀରେ ୧୩ ହଜାର ୪୦୦, ୪ର୍ଥ ଶ୍ରେଣୀରେ ୧୦ ହଜାର ୫୦୦, ୩ୟ ଶ୍ରେଣୀରେ ୯ ହଜାର ୬୨୦, ଦ୍ବିତୀୟ ଶ୍ରେଣୀରେ ୮ ହଜାର ୩୪୦ ଓ ପ୍ରଥମ ଶ୍ରେଣୀର ୧୨ ହଜାର ୧୦୦ ଜଣ ଛାତ୍ରଛାତ୍ରୀ ତଥା ସେମାନଙ୍କ ଅଭିଭାବକ ୟୁଟ୍ୟୁବ୍‌ ଚ୍ୟାନେଲ୍‌କୁ ସବ୍‌ସ୍କ୍ରାଇବ୍‌ କରିଛନ୍ତି। ଏହାକୁ ଦେଖିଲେ ପ୍ରଥମ ଦିନରେ ପିଲାମାନଙ୍କ ଆଡ଼ୁ ଭଲ ପ୍ରତିକ୍ରିୟା ମିଳିଥିବା ନେଇ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।

ମନ୍ତ୍ରୀ ଶ୍ରୀ ଦାଶ ପୁରୀ ଜିଲ୍ଲା ଅନ୍ତର୍ଗତ ନିମାପଡ଼ା ହାଇସ୍କୁଲ ଏବଂ ଜେବିଆର୍‌ ବାଳିକା ସ୍କୁଲ୍‌ରେ ଏହି ପାଠପଢା କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ।ଏହି ଅବସରରେ ସେ କହିଛନ୍ତି ଯେ ଅଧିକାଂଶ ସ୍କୁଲର ୭୦ରୁ ୮୦% ଛାତ୍ରଛାତ୍ରୀଙ୍କ ନିକଟରେ ଆମେ ପହଞ୍ଚି ପାରିଛୁ। ତେବେ ନେଟ୍‌ୱାର୍କ ସମସ୍ୟା ଥିବା ଉପାନ୍ତ ତଥା ଆଦିବାସୀ ବହୁଳ ଅଞ୍ଚଳରେ ପିଲାଙ୍କ ସଂଖ୍ୟା ଟିକିଏ କମ୍‌ ରହିଛି। ଜୁଲାଇ ଶେଷ ପର୍ଯ୍ୟନ୍ତ ୯ମ ଓ ଦଶମ ଶ୍ରେଣୀ ପିଲାଙ୍କ ଏଭଳି ଅନଲାଇନ୍ କ୍ଲାସ୍‌ ହେବାକୁ ଥିବାରୁ ତାହାର ଠିକ୍‌ ପରିଚାଳନା ଲାଗି ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ କୁହାଯାଇଛି। ପରୀକ୍ଷା ପରେ ଉକ୍ତ ପିଲାମାନଙ୍କର ମୂଲ୍ୟାୟନ ବି ହେବ। ତେବେ ଯେଉଁମାନଙ୍କ ପାଖରେ ଏହି ସୁବିଧା ପହଞ୍ଚିପାରି ନାହିଁ ସେଦିଗରେ ଆମେ ପଦକ୍ଷେପ ନେଉଛୁ। ପ୍ରଥମ ଦିନର ପାଠପଢ଼ା ହୋଇଥିବାରୁ କେତେକ ସ୍ଥାନରେ ୟୁଟ୍ୟୁବ୍‌ କ୍ଲାସ ବେଳେ ସମସ୍ୟା ହୋଇଥିଲା, ଯାହାକୁ ପରବର୍ତୀ ସମୟରେ ସମାଧାନ କରାଯାଇଛି ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ ୟୁଟ୍ୟୁବ୍‌ରେ ପାଠପଢ଼ା ଆରମ୍ଭ ପରେ ଏହାକୁ ନେଇ ପ୍ରଶ୍ନ ଉଠିଛି। ଏଥିପାଇଁ ଗ୍ରାମାଞ୍ଚଳର ପିଲାମାନେ କେତେ ପ୍ରସ୍ତୁତ ତାହା ଏକ ବିରାଟ ପ୍ରଶ୍ନ ଭାବେ ଉଭା ହୋଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଇଣ୍ଟରନେଟ ଓ ନେଟ୍‌ୱାର୍କ ସମସ୍ୟା ରହିଥିବାବେଳେ ଅଧିକାଂଶ ଛାତଛାତ୍ରୀଙ୍କ ନିକଟରେ ଆଣ୍ଡ୍ରଏଡ୍‌ ମୋବାଇଲ ବା କମ୍ପ୍ୟୁଟର ନ ଥିବାରୁ ପିଲାମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏହି ବିକଳ୍ପ ଶିକ୍ଷାଦାନ ପଦ୍ଧତିରେ ଅନେକ ଆଦିବାସୀବହୁ ଗ୍ରାମାଞ୍ଚଳର ପିଲାମାନେ ଏହି ପ୍ରକ୍ରିୟାରେ ଯୋଡ଼ି ହୋଇ ପାରି ନ ଥିବାରୁ ଆଗାମୀ ଦିନରେ ଏହା ନିଶ୍ଚିତ କରାଇବା ସରକାରଙ୍କ ପାଇଁ ବଡ଼ ଆହ୍ବାନ ହେବ ବୋଲି ବିଚାର କରାଯାଉଛି।

ସମ୍ବନ୍ଧିତ ଖବର