ଆସିକା : ବିଦେଶ ଯିବା ପାଇଁ ଯୋଜନା କରିଥିଲେ ୭ଜଣ ଲୁଟେରା। ୫୦କିଲୋରୁ ଅଧିକ ସୁନା ଲୁଟିନେଇ ମାଲେସିଆ ଓ ସିଙ୍ଗାପୁର ପଳାଇଥା’ନ୍ତେ। ଏଥିପାଇଁ ବ୍ଲୁ’ପ୍ରିଣ୍ଟ ବି ପ୍ରସ୍ତୁତ କରିଦେଇଥିଲେ। ମାତ୍ର, ସେମାନଙ୍କ ଯୋଜନା ଫସରଫାଟିଯାଇଛି। ପୁଲିସ ସମସ୍ତଙ୍କୁ ଗିରଫ କରି ଆଜି କୋର୍ଟଚାଲାଣ କରିଛି।
ଗତମାସ ୧୫ ତାରିଖରେ ଆସିକା ସହରରେ ଥିବା ମହାଲକ୍ଷ୍ମୀ ଜୁଏଲର୍ସରୁ ସଶସ୍ତ୍ର ଡକାୟତି ହୋଇଥିଲା। ୭ଜଣ ଦୁର୍ବୃତ୍ତ ଜୁଏଲର୍ସର ମାଲିକ ପ୍ରଭାକର ପାତ୍ରଙ୍କ ଘରେ ପଶି ଆତଙ୍କ ଖେଳାଇଥିଲେ। ଅଭିଯୁକ୍ତଙ୍କ ମଧ୍ୟରୁ ଗଣେଶ ଦାସ, ଦିଲ୍ଲୀପ କୁମାର ସାହୁ, ରବୀନ୍ଦ୍ର ସ୍ବାଇଁ ଓ ବିନୋଦ କୁମାର ନାହାକ ପ୍ରଭାକରଙ୍କ ଘର ନିକଟ ଦୋକାନକୁ ଯାଇ ଲୁଟ୍ପାଟ୍ ଆରମ୍ଭ କରିବାକୁ ପଶିଥିଲେ। ଅନ୍ୟ ଅଭିଯୁକ୍ତଙ୍କ ମଧ୍ୟରୁ ଚିଣ୍ଟୁ ଜେନା ମୁଖ୍ୟଦ୍ବାରରେ ଜଗି ରହିଥିଲା। ସନ୍ନ୍ୟାସୀ ମୁନି ଓ ଭରତ ସାହୁ ନିକଟସ୍ଥ ଗଳିରେ ବାଇକ୍ ଧରି ଛିଡ଼ା ହୋଇଥିଲେ। କିଛି ସମୟ ପରେ ପ୍ରଭାକର ଏବଂ ତାଙ୍କର ଦୁଇଝିଅକୁ ମରଣାନ୍ତକ ଆକ୍ରମଣ କରିବା ସହ ମୁଦି ଓ ବ୍ରେସ୍ଲେଟ୍ ନେଇଯାଇଥିଲେ। କିନ୍ତୁ, ଦୋକାନରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିବାରେ ବିଫଳ ହୋଇଥିଲେ। ପରେ ରେଡ୍ଡୀକା ସାହି, ସାଇମନ୍ଦିର ଓ ସୁନାମ୍ବ ସାହିରୁ ମଙ୍ଗଳପୁର ଦେଇ ଧରାକୋଟ ଯାଇ ସେଠାରୁ ଫେରାର୍ ହୋଇଯାଇଥିଲେ। ପ୍ରଭାକରଙ୍କୁ ଆହତ ଅବସ୍ଥାରେ ଆସିକା ଡାକ୍ତରଖାନାକୁ ନିଆଯାଇଥିବା ବେଳେ ପୁଲିସ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଛାନ୍ଭିନ୍ ଆରମ୍ଭ କରିଥିଲା। ସିସିକ୍ୟାମେରା ଫୁଟେଜ୍ ବି ସଂଗ୍ରହ କରାଯାଇଥିଲା।
ଘଟଣାକୁ ପୁଲିସ ଗୁରୁତ୍ବର ସହ ଗ୍ରହଣ କରିବା ସହ ଆସିକା ଥାନା ଇଲାକାର ସମସ୍ତ ହାର୍ଡ଼କୋର୍ ଲୁଟେରା ଓ ଅପରାଧୀଙ୍କ ବିଷୟରେ ତଥ୍ୟ ବାହାର କରାଯାଇଥିଲା। ପ୍ରଥମେ ଗଣେଶ ଓ ଦିଲ୍ଲୀପକୁ କାବୁ କରିବା ପରେ ପୂରା ଘଟଣାର ରହସ୍ୟ ପଦାକୁ ଆସିଥିଲା। ସେମାନେ କିଭଳି ମହାଲକ୍ଷ୍ମୀ ଜୁଏଲର୍ସରେ ବଡ଼ଧରଣର ଲୁଟ୍ ଯୋଜନା କରିଥିଲେ ଓ ବିଦେଶକୁ ଯିବା ଲାଗି କେମିତି ବ୍ଲୁ’ପ୍ରିଣ୍ଟ୍ ପ୍ରସ୍ତୁତ ହୋଇଥିଲା ଏସମସ୍ତ ତଥ୍ୟ ମିଳିଥିଲା। ଆସିକା ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସ୍.ପି. ପ୍ରଦୀପ କୁମାର ଦଳେଇ, ଆସିକା ଏସଡିପିଓ ଉମାଶଙ୍କର ସିଂହ ଓ ଥାନାଧିକାରୀ ପ୍ରଶାନ୍ତ କୁମାର ସାହୁ ଏହି ସୂଚନା ଦେଇଛନ୍ତି।