ପୂର୍ବତଟ ରେଳପଥ ଅଧୀନରେ ୭ ଯୋଡ଼ା ଟ୍ରେନ୍‌ର ପୁନଃପ୍ରଚଳନ

ଭୁବନେଶ୍ବର : ଲକଡାଉନ୍‌ରେ ବାତିଲ ହୋଇଥିବା ଟ୍ରେନ୍ ପୁନଃପ୍ରଚଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ଓଡ଼ିଶା ଗସ୍ତ ସମୟରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୂର୍ବତଟ ରେଳପଥର ୪ ଯୋଡ଼ା ଟ୍ରେନ୍ ପୁଣିଥରେ ଚଳାଇବାକୁ ଘୋଷଣା କରିଥିଲେ। ଉକ୍ତ ବିଷୟକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ଅଧୀନରେ ୭ ଯୋଡା ଟ୍ରେନକୁ ପୁଣିଥରେ ଚଳାଇବାକୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଉକ୍ତ ଟ୍ରେନ୍‌ଗୁଡ଼ିକ ହେଉଛି ପୁରୀ-ସାଇନଗର ସିରିଡ଼ି-ପୁରୀ ଏକ୍ସପ୍ରେସ, ପୁରୀ-ପାରାଦୀପ-ପୁରୀ ଏକ୍ସପ୍ରେସ, କଟକ-ଭଦ୍ରକ-କଟକ ମେମୁ ସ୍ପେସାଲ, ବିଶାଖାପାଟଣା-କୋରାପୁଟ-ବିଶାଖାପାଟଣା ଇଣ୍ଟରସିଟି, ବିଶାଖାପାଟଣା-ବ୍ରହ୍ମପୁର-ବିଶାଖାପାଟଣା ଏକ୍ସପ୍ରେସ, କଟକ-ପଲାସା-କଟକ ସ୍ପେସାଲ୍ ଓ ପୁରୀ-ତାଳଚେର-ପୁରୀ ମେମୁ ସ୍ପେସାଲ। ଏଥିସହ ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଛାଡୁଥିବା ସମସ୍ତ ୬୩ଟି ଟ୍ରେନ୍‌ରେ ଲିନେନ୍‌/ବେଡ ରୋଲ୍‌ ସେବା ପୁଣିଥରେ ପ୍ରଚଳନ କରାଯାଇଛି।

ପୁରୀ-ପାରାଦୀପ-ପୁରୀ ଏକ୍ସପ୍ରେସ(୧୮୪୧୪/୧୮୪୧୩) ଏବଂ କଟକ-ଭଦ୍ରକ-କଟକ ସ୍ପେସାଲ୍(୦୮୪୩୮/୦୮୪୩୭) ଗତ ୨୭ ତାରିଖରୁ ଉଭୟ ପାର୍ଶ୍ୱରୁ ଚଳାଚଳ କରୁଛି। ପୁରୀ-ପାରାଦୀପ-ପୁରୀ ଏକ୍ସପ୍ରେସ ପୁରୀରୁ ସକାଳ ୬ଟା ୧୫ରେ ଓ ପାରାଦୀପରୁ ସନ୍ଧ୍ୟା ୬ଟାରେ ଛାଡ଼ୁଛି। କଟକ-ଭଦ୍ରକ-କଟକ ସ୍ପେସାଲ୍ ଟ୍ରେନ୍‌ କଟକରୁ ପୂର୍ବାହ୍ନ ୧୧ଟା ୫୫ରେ ଓ ଭଦ୍ରକରୁ ଅପରାହ୍ଣ ୩ଟା ୩୦ରେ ଛାଡ଼ୁଛି। ବିଶାଖାପାଟନମ୍-କୋରାପୁଟ-ବିଶାଖାପାଟନମ୍ ଇଣ୍ଟର ସିଟି ଏକ୍ସପ୍ରେସ(୧୮୫୧୨/୧୮୫୧୧) ଜୁଲାଇ ପହିଲାରୁ ପ୍ରତି ସୋମବାର ଓ ଶୁକ୍ରବାର ଅପରାହ୍ଣ ୨ଟା ୫୦ରେ ବିଶାଖାପାଟଣାରୁ ଛାଡ଼ିବାକୁ ଥିବା ବେଳେ ୨ ତାରିଖଠାରୁ ପ୍ରତି ମଙ୍ଗଳବାର ଓ ଶନିବାର ସକାଳ ୫ଟା ୨୫ରେ କୋରାପୁଟରୁ ଛାଡ଼ିବ। ବିଶାଖାପାଟଣା-ବ୍ରହ୍ମପୁର-ବିଶାଖାପାଟଣା ଏକ୍ସପ୍ରେସ(୧୮୫୨୬/୧୮୫୨୫) ଜୁଲାଇ ୧୪ରୁ ବିଶାଖାପାଟଣାରୁ ଅପରାହ୍ନ ୩ଟାରେ ଏବଂ ୧୫ରୁ ବ୍ରହ୍ମପୁରରୁ ପୂର୍ବାହ୍ନ ୯ଟା ୪୫ରେ ଛାଡ଼ିବ। ପଲାସା-କଟକ-ପଲାସା ପାସେଞ୍ଜର ସ୍ପେସାଲ୍(୦୮୫୩୪/୦୮୫୩୩) ଜୁଲାଇ ୧୫ରୁ ପଲାସାରୁ ଭୋର ୪ଟା ୧୫ରେ ଏବଂ ୧୬ ତାରିଖଠାରୁ କଟକରୁ ଅପରାହ୍ଣ ୪ଟା ୧୫ରେ ଛାଡ଼ିବ। ପୁରୀ-ତାଳଚେର-ପୁରୀ ସ୍ପେସାଲ୍(୦୮୪୧୪/୦୮୪୧୩) ଜୁଲାଇ ୧୨ରୁ ପୁରୀରୁ ସନ୍ଧ୍ୟା ୫ଟାରେ ଓ ୧୩ ତାରିଖରୁ ତାଳଚେରରୁ ଭୋର ୫ଟା ୪୫ରେ ଛାଡ଼ିବ। ପୁରୀ-ସାଇ ନାଗର ସିରିଡି-ପୁରୀ ଏକ୍ସପ୍ରେସ (୨୦୮୫୭/୨୦୮୫୮) ଜୁଲାଇ ୧୫ରୁ ପ୍ରତି ଶୁକ୍ରବାର ରାତି ୧୧ଟା ୫ରେ ଛାଡ଼ିବାକୁ ଥିବାବେଳେ ସାଇ ନଗର ସିରିଡିରୁ ୧୭ ତାରିଖରୁ ପ୍ରତି ରବିବାର ଅପରାହ୍ଣ ୨ଟା ୧୦ରେ ଛାଡ଼ିବ।

ସମ୍ବନ୍ଧିତ ଖବର