ଦୁଇ କାର୍‌ ମଧ୍ୟରେ ମୁହାମୁହିଁ ଧକ୍‌କା, ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳଙ୍କ ସମେତ ୭ ଆହତ

ଦଶପଲ୍ଲା ; ଖୋର୍ଦ୍ଧା–ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ଦଶପଲ୍ଲା ନିକଟସ୍ଥ ରଙ୍ଗମାଟିଆଠାରେ ସୋମବାର ପୂର୍ବାହ୍ଣରେ ୨ଟି କାର୍ ମଧ୍ୟରେ ମୁହାଁମୁହିଁ ଧକ୍‌କା ହେବା ଫଳରେବୌଦ୍ଧ ଅତିରିକ୍ତ ଜିଲ୍ଲାପାଳଙ୍କ ସମେତ ୭ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା ଅତିରିକ୍ତ ଜିଲ୍ଲପାଳ ଏନ୍‌ସି ଜ୍ୟୋତି ରଂଜନ ନାୟକ ଭୁବନେଶ୍ବରରୁ ଓଡି ୦୨ ବିଜି ୬୦୨୨ ଭଡା କାର୍ ଯୋଗେ ବୌଦ୍ଧ ଆସୁଥିଲେ। ବିପରୀତ ଦିଗରୁ ଆସୁଥିବା ଓଡି ୦୭ ଏଜେ ୨୦୮୨ କାର୍ରେ ଫୁଲବାଣୀ କେନ୍ଦୁପଦର ଗ୍ରାମର ଗୋଟିଏ ପରିବାର ଭୁବନେଶ୍ବର ଅଭିମୁଖେ ଯାଉଥିବା ବେଳେ ଏହି ୨ଟି କାର୍ ମୁହାଁମୁହିଁ ଧକ୍କା ହୋଇଥିଲା। ଅତିରିକ୍ତ ଜିଲ୍ଲାପାଳଙ୍କ କାର୍‌ଟି ଏକ ଟ୍ରକକୁ ଅତିକ୍ରମ କରିବା ସମୟରେ ଡ୍ରାଇଭର୍‌ଙ୍କ ଅସାବଧାନତା ହେତୁ ନିୟନ୍ତ୍ରଣ ହରାଇ ବିପରୀତ ଦିଗରୁ ଆସୁଥିବା କାର୍ ସହ ଧକ୍କା ଦେଇଛି। ଏହି ଦୁର୍ଘଟଣାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକଙ୍କ ଡାହାଣ ଗୋଡଟି ଭାଙ୍ଗିଯିବା ସହ ତାଙ୍କ ଗାଡିରେ ବସିଥିବା ଇଡ୍‌କୋର ଜଣେ ବରିଷ୍ଠ ଯନ୍ତ୍ରୀ ବିଭୁଦତ୍ତ ଦାଶଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ତାଙ୍କ ବାମ ଗୋଡ଼ ଓ ହାତ ଭାଙ୍ଗିଯିବା ସହ ମୁଣ୍ତରେ ଶକ୍ତ ଆଘାତ ଯୋଗୁ କାନରୁ ରକ୍ତସ୍ରାବ ହେଉଥିବା ବେଳେ ତାଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ବର କ୍ୟାପିଟାଲ୍ ହସପିଟାଲ୍କୁ ସ୍ଥାନାନ୍ତର କରାଯାଇଛି।

ସେହିଭଳି ଫୁଲବାଣୀରୁ ଆସୁଥିବା କାର୍‌ରେ ବସିଥିବା ବୈଜୟନ୍ତୀ ପ୍ରଧାନ(୬୩)ଙ୍କ ବାମ ଗୋଡ଼ ଓ ହାତ ଭାଙ୍ଗି ଯାଇଥିବା ବେଳେ ତାଙ୍କ ଅବସ୍ଥା ମଧ୍ୟ ଗୁରୁତର ରହିଛି। ତାଙ୍କୁ ମଧ୍ୟ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି। ଅନ୍ୟ ଆହତଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍‌ ଡ୍ରାଇଭର କାହ୍ନା ଦାଶ, କେନ୍ଦୁପଦର ଗ୍ରାମର ଦୀପ୍ତିରାଣୀ ପ୍ରଧାନ, ପୂର୍ଣ୍ଣତୟା ନାୟକ, ପ୍ରଭାସିନୀ ନାୟକ(୮)ଙ୍କର ଦଶପଲ୍ଲାରେ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି। ଖବରପାଇ ଘଟଣାସ୍ଥଳରେ ତହସିଲଦାର ଅକ୍ଷୟ କୁମାର ଖେମୁଣ୍ତୁ ପହଞ୍ଚି ଆହତମାନଙ୍କ ଚିକିତ୍ସା ବ୍ୟବସ୍ଥା କରିଛନ୍ତି। ପୁଲିସ ଦୁର୍ଘଟଣାଗ୍ରସ୍ତ ୨ଟି କାର୍‌କୁ ଜବତ କରି ଏକ ମୋକଦ୍ଦମା ରୁଜୁ କରିଛି।

ସମ୍ବନ୍ଧିତ ଖବର