ଖୋର୍ଦ୍ଧା: ନାଟକୀୟ ଢଙ୍ଗରେ ନାର୍କୋଟିକ୍ସ କଂଟ୍ରୋଲ୍ ବ୍ୟୁରୋ ଓ ଖୋର୍ଦ୍ଧା ପୁଲିସ୍ର ମିଳିତ ଚଢ଼ଉରେ ଆନ୍ଧ୍ର ପ୍ରଦେଶରୁ ପଶ୍ଚିମବଙ୍ଗ ଯାଉଥିବା ଏକ ପିଆଜ ବୋଝେଇ ଟ୍ରକରୁ ୭ କୁଇଣ୍ଟାଲ୍ ଗଂଜେଇ ଜବତ କରାଯାଇଛି।
ଖୋର୍ଦ୍ଧା ସଦର ଥାନା ନିକଟରୁ ଅନତୀ ଦୂରରେ ରାସ୍ତାକଡ଼ ଢାବାରେ ଖାଇବା ପାଇଁ ଏକ ପିଆଜ ବୋଝେଇ ଟ୍ରକ୍ ଅଟକିଥିଲା। ୨ ଜଣ ସାଧା ପୋଷାକଧାରୀ ଯୁବକ ଓ ୪ ଜଣ ପୁଲିସ ହଠାତ ଟ୍ରକ୍ ଚାଳକକୁ କାବୁ କରିଥିଲେ। ୧୦-୧୫ ମିନିଟ ମଧ୍ୟରେ ସେଠାରେ ଆଉ ୫ଜଣ ସାଧା ପୋଷାକଧାରୀ ଯୁବକ ଏବଂ ପୁଲିସ ପହଂଚି ଯାଇଥିଲେ। ଟ୍ରକଟିକୁ ସଦର ଥାନା ପରିସରକୁ ଅଣାଯାଇଥିଲା। ଟ୍ରକ୍କୁ ପିଆଜ ବସ୍ତାଗୁଡ଼ିକୁ ବାହାର କରିବା ପରେ ସେ ମଧ୍ୟରୁ ପ୍ରାୟ ୪୦ ବସ୍ତା ଗଂଜେଇ ବାହାରିଥିଲା। ପ୍ରତି ଗଂଜେଇ ବସ୍ତାର ଓଜନ ଥିଲା ୧୮ରୁ ୨୦ କିଲୋଗ୍ରାମ।
ସାଧା ପୋଷାକଧାରୀ ଯୁବକ ଥିଲେ ନାର୍କୋଟିକ୍ସ କଂଟ୍ରୋଲ୍ ବ୍ୟୁରୋ(ଏନ୍ସିବି)ର କର୍ମଚାରୀ। ଏନ୍ସିବି ଏସ୍ପି ସୁରଜିତ ସେନ୍ଙ୍କ କହିବାନୁସାରେ, ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଥିଲା ଯେ ଆନ୍ଧ୍ରରୁ ଏକ ପିଆଜ ବୋଝେଇ ଟ୍ରକ୍ ଜାତୀୟ ରାଜପଥ ୧୬ ଦେଇ ପଶ୍ଚିମବଙ୍ଗ ଅଭିମୁଖେ ଯାଉଛି। ଏହା ପରେ ୭ ଜଣ ୩ଟି ଟିମ୍ରେ ବିଭାଜନ ହୋଇଥିଲେ। ଗୋଟିଏ ଟିମ୍ ଗୋଡ଼ିପଡ଼ା ଟୋଲ୍ ଗେଟରେ ଅଟକିଥିଲା । ଆଉ ଗୋଟିଏ ଟିମ୍ ଟ୍ରକର ପିଛା କରିଥିଲା। ଅନ୍ୟ ଏକ ଟିମ୍ ସଦର ଥାନା ପୂର୍ବ ତୋଟାପଡ଼ା ନିକଟରେ ଜଗି ରହିଥିଲେ। ତେବେ ଟ୍ରକ୍ଟି ସଦରଥାନା ନିକଟସ୍ଥ ଏକ ଢାବା ନିକଟରେ ଖାଇବା ପାଇଁ ଅଟକାଇବା ବେଳେ ସଦରଥାନା ପୁଲିସ ସହାୟତାରେ ସେମାନେ ଟ୍ରକ୍ ଚାଳକକୁ କାବୁ କରିଥିଲେ ।