କପି କରି ଧରାପଡ଼ିଲେ ୭ ଜଣ ଛାତ୍ରଛାତ୍ରୀ

କେନ୍ଦୁଝର : ମାଟ୍ରିକ ପରୀକ୍ଷାର ସୋମବାର ଦିନ ଥିଲା ଶେଷ ଦିନ। ସୋମବାର ଦିନ ଗଣିତ ପରୀକ୍ଷାରେ ବୋର୍ଡର ସ୍ୱତନ୍ତ୍ର ସ୍କ୍ବାଡ଼୍ ପକ୍ଷରୁ କପି କରିବା ସମୟରେ ୭ ଜଣ ଛାତ୍ରଛାତ୍ରୀ ଧରାପଡିଛନ୍ତି । ବୋର୍ଡର ସ୍କ୍ବାଡ଼୍ ଡକ୍ଟର ଅକ୍ଷୟ କୁମାର ରଣା ଏବଂ ଡକ୍ଟର ଶିବ ପ୍ରସାଦ ପଣ୍ଡା ପ୍ରଥମେ ହାଟଡିହି ବ୍ଲକ୍‌ ହାଟଡିହି ସରକାରୀ ହାଇସ୍କୁଲରେ ଯାଞ୍ଚ କରିଥିଲେ । ଏହି ବିଦ୍ୟାଳୟରେ କପି କରିବା ସମୟରେ ୫ଜଣ ଛାତ୍ର ଧରାପଡ଼ିଥିଲେ । କପି ରୋକିବା ପାଇଁ କେନ୍ଦ୍ର ଅଧୀକ୍ଷକ କୌଣସି ପଦକ୍ଷେପ ନେଇ ନଥିବା ଦେଖିବାକୁ ପାଇଥିଲେ।

ପରେ ଏହି ବ୍ଲକ୍‌ର ବରାହି ହାଇସ୍କୁଲ ବଞ୍ଚୋରେ ୨ଜଣ ଛାତ୍ର କପି କରୁଥିବା ବେଳେ ଧରାପଡ଼ିଥିଲେ । ଏହି ବିଦ୍ୟାଳୟରେ ସ୍କ୍ବାଡ଼୍ ପହଞ୍ଚିବା ସମୟରେ ବାହାର ଲୋକ କେନ୍ଦ୍ର ଭିତରକୁ ଯାଉଥିବା ଦେଖିବାକୁ ପାଇଥିଲେ । ପରୀକ୍ଷା କେନ୍ଦ୍ର ବାହାରେ ବହୁ ଲୋକ ସମାଗମ ହୋଇଥିଲା। ପୁଲିସକୁ ସୂଚନା ଦେବା ପରେ ଲୋକମାନେ ସେଠାରୁ ଚାଲିଯାଇଥିଲେ। ଚଳିତ ବର୍ଷ କେନ୍ଦୁଝର ଜିଲ୍ଲାର ବହୁ ପରୀକ୍ଷା କେନ୍ଦ୍ରରେ ବ୍ୟାପକ କପି ହେଉଥିବା ପରିଲକ୍ଷିତ ହୋଇଥିଲା।

ସମ୍ବନ୍ଧିତ ଖବର