ରାଷ୍ଟ୍ରପତିଙ୍କ ହାତରୁ ସ୍ବର୍ଣ୍ଣପଦକ ନେଲେ ୭ ଛାତ୍ରଛାତ୍ରୀ

ରାଉରକେଲା : ଏନ୍‌ଆଇଟି ସମାବର୍ତ୍ତନ ଉତ୍ସବରେ ଏଥର ୬ ଜଣ ଛାତ୍ରଛାତ୍ରୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କଠାରୁ ସ୍ବର୍ଣ୍ଣ ପଦକ ଗ୍ରହଣ କରିଛନ୍ତି। ସ୍ବର୍ଣ୍ଣପଦକ ପାଇଥିବା ଛାତ୍ରଛାତ୍ରୀମାନେ ହେଉଛନ୍ତି ଶ୍ରେଷ୍ଠ ଗ୍ରାଜୁଏଟ୍‌ ରିଷଭ ବଜାଜ, ଶ୍ରେଷ୍ଠ ପୋଷ୍ଟ୍‌ଗ୍ରାଜୁଏଟ୍‌ କାଜଲ ଅଗ୍ରୱାଲ, ଶ୍ରେଷ୍ଠ ପୋଷ୍ଟ୍‌ ଗ୍ରାଜୁଏଟ୍‌ ଡୁଆଲ ଡିଗ୍ରି ଶୁଭଦ୍ରା ପ୍ରିୟଦର୍ଶିନୀ, ଶ୍ରେଷ୍ଠ ପୋଷ୍ଟ୍‌ ଗ୍ରାଜୁଏଟ୍‌ ଇଣ୍ଟିଗ୍ରେଟେଡ୍‌ ସାତ୍ତ୍ବିକ ସାଧୁ, ଶ୍ରେଷ୍ଠ ପୋଷ୍ଟ୍‌ ଗ୍ରାଜୁଏଟ୍‌ (ଏମ୍‌ଏସ୍‌ସି ଓ ଏମ୍‌ଏ) ଶ୍ରୀଜା ରୟ, ଶ୍ରେଷ୍ଠ ପୋଷ୍ଟ୍‌ ଗ୍ରାଜୁଏଟ୍‌ ଏମ୍‌ବିଏ କ୍ରିଷ୍ଣା କୁମାର ଜୟସ୍ବାଲ ଓ ପିଏଚ୍‌ଡି ପାଇଁ ମହମ୍ମଦ ମୀରାଜଙ୍କୁ ‘ସ୍ନିଗ୍ଧାରାଣୀ ପାତ୍ର ସ୍ମାରକୀ ସ୍ବର୍ଣ୍ଣ ପଦକ ପ୍ରଦାନ କରାଯାଇଛି।

ସେହିଭଳି ଏଥର ୮ ଜଣଙ୍କୁ ଆଲୁମ୍‌ନି ଆୱାର୍ଡ୍‌ ଦିଆଯାଇଛି। ସେମାନେ ହେଉଛନ୍ତି ଡ. ରାଜ କିଶୋର ପରମଗୁରୁ(୧୯୭୦ ବ୍ୟାଚ୍‌), ଆଶୁତୋଷ ଦତ୍ତ (୧୯୮୫ ବ୍ୟାଚ୍‌), ଏୟାର୍‌ ଭାଇସ ମାର୍ଶଲ ଶୁଭାଙ୍କ ଶେଖର ଲାହିରୀ(୧୯୬୭ ବ୍ୟାଚ୍‌), ଇଂ ଏସ.ଏମ. ବୈଦ୍ୟ(୧୯୮୫ ବ୍ୟାଚ୍‌), ବିଷ୍ଣୁପଦ ସେଠୀ(୧୯୮୯ ବ୍ୟାଚ୍‌), ଏଫ.ସି. ମହାନ୍ତି(୧୯୭୧ ବ୍ୟାଚ୍‌), ଇଂ ଭରତ ଭୂଷଣ ମହାନ୍ତି(୧୯୬୯ ବ୍ୟାଚ୍‌) ଓ ଗ୍ୟାରୀ କ୍ରିଷ୍ଣନ୍‌(୧୯୭୨ ବ୍ୟାଚ୍‌)। ସମାବର୍ତ୍ତନ ଉତ୍ସବରେ ୫୪୪ ଜଣଙ୍କୁ ବି.ଟେକ୍‌ ଡିଗ୍ରି, ୧୭ ଜଣଙ୍କୁ ବି.ଆର୍କ‌୍, ୧୧୭ ଜଣଙ୍କୁ ଡୁଆଲ ଡିଗ୍ରି, ୭୫ ଜରଙ୍କୁ ଇଣ୍ଟିଗ୍ରେଟେଡ୍‌, ୪୨୪ ଜଣଙ୍କୁ ଏମ.ଟେକ୍‌, ୧୨୫ ଜଣଙ୍କୁ ଏମ୍‌ଏସ୍‌ସି, ୨୧ ଜଣଙ୍କୁ ଏମ୍‌ଏ, ୨୫ ଜଣଙ୍କୁ ଏମ୍‌ବିଏ, ୪ ଜଣଙ୍କୁ ଏମ୍‌.ଟେକ୍‌(ରିସର୍ଚ୍ଚ) ଓ ୧୧୮ ଜଣ, ମୋଟ୍‌ ୧୪୭୦ ଜଣଙ୍କୁ ଡିଗ୍ରି ପ୍ରଦାନ କରାଯାଇଛି। ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ, ସାଂସଦ ଜୁଏଲ ଓରାମ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର