ଘଟଗାଁ : ଘଟଗାଁ ବ୍ଲକ୍ ଅନ୍ତର୍ଗତ ଅଜ୍ଜୁନବିଲା ପ୍ରାଥମିକ ବିଦ୍ୟାଳୟ ଛାତରୁ ପ୍ଲାଷ୍ଟର ଖସି ୭ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି।  ସେମାନଙ୍କୁ ସ୍ଥାନୀୟ ଘଟଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଆହତମାନେ ହେଲେ ରାଜଶ୍ରୀ ନାୟକ, ସୁକୁମାରୀ ମୁଣ୍ଡା, ଜାନୁସିଂ ପୂର୍ତ୍ତି, ଗାଙ୍ଗୀ ମୁଣ୍ଡା, ସୋନାଲି ମୁଣ୍ଡା, ଆରତୀ ହନହଗା, ଅଙ୍କିତା ମୁଣ୍ଡା।  ଖବର ପାଇ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ପୁରୁଷୋତ୍ତମ ଧଳ, ସିଆରସିସି ଧରଣୀଧର ମହାନ୍ତ, ନବକୃଷ୍ଣ ରାଉତ ପ୍ରମୁଖ ଡାକ୍ତରଖାନାରେ ପହଞ୍ଚି ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ଛାତ୍ରଛାତ୍ରୀ ବିପଦମୁକ୍ତ ଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି।

Advertisment

ସୂଚନା ଅନୁଯାୟୀ କୋଭିଡ଼ ସମୟରେ ସ୍କୁଲକୁ ବଦଳି ହୋଇ ଆସିଥିବା ପ୍ରଧାନ ଶିକ୍ଷୟିତ୍ରୀ ଆଭାମୟୀ ରାଉତ ସ୍କୁଲ ଘର ବିପଦ ସଂକୁଳ ଥିବା ବିଇଓଙ୍କୁ ଲିଖିତ ଭାବରେ ଜଣାଇଥିଲେ। ମାତ୍ର ପରେ ପଞ୍ଚାୟତ ପକ୍ଷରୁ କାମ କରାଯିବ ବୋଲି ଦୁଇଜଣ ଠିକାଦାର ଆସି ପ୍ରଧାନ ଶିକ୍ଷୟିତ୍ରୀଙ୍କୁ କହିଥିଲେ। ଜେଇ ଅନ୍ନପୂର୍ଣ୍ଣା ଘଡ଼ାଇଙ୍କ ନାମରେ କାର୍ଯ୍ୟାଦେଶ ରହିଥିବା ବେଳେ ୨ ଲକ୍ଷ ୬ ହଜାର ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା। ତଦନୁଯାୟୀ କାର୍ଯ୍ୟ କରାଯାଇଥିଲା। କାମ ବେଳେ ‌କନିଷ୍ଠ ଯନ୍ତ୍ରୀ ଅନ୍ନପୂର୍ଣ୍ଣା ଘଡ଼େଇଙ୍କର ଦେଖା ନଥିଲା। ବିପଦ ସଂକୁଳ ଗୃହର ମରାମତି ପରେ ରଙ୍ଗ କରାଯାଇଥିଲା। ସେହି ଗୃହରେ ଗତ ପ୍ରାୟ ୧୪ ଦିନ ହେବ ପାଠପଢ଼ା ଆରମ୍ଭ ହୋଇଥିଲା। ଗୁରୁବାର ହଠାତ୍ ଛାତରୁ ପ୍ଲାଷ୍ଟର ଖସି ପଡ଼ିବା ଦେଖି ଛାତ୍ରଛାତ୍ରୀ ‌ସ୍ଥାନ ଛାଡ଼ି ଦେଇଥିଲେ। ତେବେ ୭ ଜଣ ଛାତ୍ରଛାତ୍ରୀଙ୍କ ଉପରେ ପ୍ଲାଷ୍ଟର ପଡ଼ି ଯାଇଥିଲା। ଆହତ ଛାତ୍ରଛାତ୍ରୀଙ୍କୁ ତୁରନ୍ତ ଘଟଗାଁ ଡାକ୍ତରଖାନାକୁ ନିଆଯାଇଥିଲା।

ଘଟଣା ସମ୍ପର୍କରେ ପ୍ରଧାନ ଶିକ୍ଷୟିତ୍ରୀ ଅନ୍ନପୂର୍ଣ୍ଣା ଘଡ଼ାଇ କହିଛନ୍ତି ଯେ ବିପଦସଂକୁଳ ଗୃହ ସମ୍ପର୍କରେ ପୂର୍ବରୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲା। ସେପଟେ ଏବିଇଓ ପୁରୁଷୋତ୍ତମ ଧଳ କହିଛନ୍ତି ଯେ ଘଟଣାକୁ ନେଇ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ କୈଫିୟତ ତଲବ କରାଯିବ। ତାଙ୍କଠାରୁ ଉତ୍ତର ଆସିବା ପରେ ଯାହା କିଛି ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ଅନ୍ୟପଟେ କନିଷ୍ଠ ଯନ୍ତ୍ରୀ ଅନ୍ନପୂର୍ଣ୍ଣା ଘ‌ଡ଼ାଇଙ୍କ ସହିତ ଯୋଗ‌ାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ହେଁ ତାଙ୍କ ମୋବାଇଲ୍ ସୁଇଚ୍ ଅଫ୍ ଥିଲା।