ଖୋର୍ଦ୍ଧା: ଗତକାଲି ରାତିରେ ୫୭ ନମ୍ବର ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥ କଡ଼ର ଖୋର୍ଦ୍ଧା–ଜଟଣୀ ବାଇପାସ୍ ନିକଟରେ ରାସ୍ତା ଉପରେ ପଥର ପକାଇ ଟ୍ରକ୍ ଲୁଟ କରିବାକୁ ଉଦ୍ୟମ କରୁଥିବା ବେଳେ ଏକ ଡକାୟତ ଗ୍ୟାଙ୍ଗର ୭ଜଣ ସଦସ୍ୟ ପୁଲିସ ହାତରେ ଧରାପଡ଼ିଛନ୍ତି ।
ସୂଚନାନୁସାରେ, ଗତକାଲି ଭୋର ୨ଟା ବେଳେ ଖୋର୍ଦ୍ଧା-ଜଟଣୀ ବାଇପାସ୍ର ମୋଦୀ ପଡ଼ିଆ ନିକଟରେ କେତେଜଣ ସନ୍ଦିଗ୍ଧ ଅବସ୍ଥାରେ ଛପି ରହିଥିବା ସୂଚନା ମିଳିଥିଲା । ଏହାପରେ ଏସ୍ପି ସିଦ୍ଧାର୍ଥ କଟାରିଆଙ୍କ ନିଦେ୍ର୍ଦଶରେ ଏସ୍ଡିପିଓ ସୁଶୀଲ କୁମାର ମିଶ୍ର ଓ ଟାଉନ୍ ଥାନାର ଭାରପ୍ରାପ୍ତ ଅଧିକାରୀ ଡିଏସ୍ପି ସଂଜୟ କୁମାର ପଟ୍ଟନାୟକଙ୍କ ତତ୍ୱାବଧାନରେ ଏକ ଟିମ୍ ସନ୍ଦିଗ୍ଧ ଅଂଚଳକୁ ଘେରାଉ କରିଥିଲେ । ଚଢ଼ଉରେ ୭ଜଣ ଧରାପଡ଼ିଥିବା ବେଳେ ଅନ୍ୟ ୨ଜଣ ସେଠାରୁ ଖସି ପଳାଇବାରେ ସକ୍ଷମ ହୋଇଥିଲେ । ଧରାପଡ଼ିଥିବା ଅଭିଯୁକ୍ତଙ୍କ ନିକଟରୁ କଟୁରୀ, ୪ଟି ଲୁହାଛଡ଼, ଚୀନ ପ୍ରସ୍ତୁତ ଗୋଟିଏ ନକଲି ବନ୍ଧୁକ, ଗୋଟିଏ ଭୁଜାଲୀ, ୨ଟି ଠେଙ୍ଗା ଓ ୩ଟି ମୋବାଇଲ୍ ଫୋନ୍ ଜବତ କରାଯାଇଥିଲା । ଚଢ଼ଉ କରିଥିବା ଟିମ୍ର ନେତୃତ୍ୱ ନେଇଥିଲେ ଅତିରିକ୍ତ ଥାନା ଅଧିକାରୀ ପ୍ରଜ୍ଞା ଋତମ୍ବରା କର । ଟିମ୍ରେ ଅନ୍ୟମାନଙ୍କ ମଧ୍ୟରେ ଏସ୍ଆଇ ଅଂଜଳୀ ମଲ୍ଲିକ, ଏଏସ୍ଆଇ ପି ସିଏଚ୍ ଜେନା, ଏଏସ୍ଆଇ ଅକ୍ଷୟକ କୁମାର ସେଠୀ, ହାବିଲଦାର ଅଭୟ କୁମାର ସାମନ୍ତରାୟଙ୍କ ସମେତ ଅନ୍ୟ ପୁଲିସ କର୍ମଚାରୀ ଯୋଗ ଦେଇଥିଲେ ।
ଏନେଇ ସୂଚନା ଦେଇ ଥାନା ଅଧିକାରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ସେମାନଙ୍କ ବିରୋଧରେ ୨୨୩/୨୦୨୨ରେ ଭାରତୀୟ ପିଙ୍ଗଳ କୋଡ୍ର ଦଫା ୩୯୯ ଓ ୪୦୨ରେ ମାମଲା ରୁଜୁ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି । ଯାଂଚରେ ଧରାପଡ଼ିଥିବା ଅପରାଧୀମାନଙ୍କ ବିରୋଧରେ ଖୋର୍ଦ୍ଧାର ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ରହିଛି । ମୁକୁନ୍ଦପ୍ରସାଦ ମୁସଲିମ ସାହିର ରାଜ ଦଳବେହେରା ଓରଫ ଅବ୍ଦୁଲ୍ ରହେମାନ୍ (୨୪) ନାମରେ ତିନିଟି ଅପରାଧିକ ମାମଲା, କାଳିଆ ଡନ୍ ଓରଫ ଇମ୍ରାନ୍ ଖାଁ (୨୬) ବିରୋଧରେ ୨ଟି ମାମଲା, ଅବିଦ ଖାଁ (୩୨) ନାମରେ ଗୋଟିଏ ମାମଲା, ଗୁରୁଜଙ୍ଗ ଭୋଇ ସାହିର ସିପ ଓରଫ ସୁଦୀପ୍ତ ନାୟକ (୩୦) ନାମରେ ୧୦ଟି ମାମଲା ରହିଛି । ତେବେ ଧରାପଡ଼ିଥିବା ମୁକୁନ୍ଦପ୍ରସାଦ ମୁସଲିମ ସାହିର ଅଜ ଓରଫ ଅଜଘର ଖାଁ (୩୪) ଓ କୁଲୁଆ ଓରଫ ମହମ୍ମଦ ଖାଁ (୨୫)ଙ୍କ ନାମରେ ପୂର୍ବରୁ କୌଣସି ମାମଲା ନାହିଁ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/Docoit-Gang-ra-7-sadasya-Giraf-Khordha-Town-PS-2.jpeg)