ବଲାଙ୍ଗୀର : ତିନିଜଣ ଗୋଟିଏ ବାଇକ୍ରେ ବୁଲିବେ। ଆଉ ସେଥିରୁ ଜଣେ ମଉକା ଦେଖି ବାଇକ୍ ଚୋରି କରି ଫେରାର ହେଉଥିଲା। ଏପରିକି ଚାରିଚକିଆ ଯାନବାହନକୁ ବି ଛାଡୁନଥିଲେ। ଘର ସାମ୍ନାରୁ ଚୋରି ହୋଇଯାଉଥିଲା ଗାଡ଼ିମଟର। ଏଭଳି ଏକ ଚୋର ଦଳକୁ ଧରିବାରେ ସଫଳ ହୋଇଛି ବଲାଙ୍ଗୀର ଜିଲ୍ଲା ପୁଲିସ। ବଲାଙ୍ଗୀର ଟାଉନ ଥାନା, ସଦର ଥାନା ଓ ତୁଷୁରା ଥାନାର ମିଳିତ ଉଦ୍ୟମରେ ଚୋର ଦଳ ଧରାପଡ଼ିଛନ୍ତି। ପୁଲିସ ୫ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ପାଖରୁ ୨ଟି ମାକ୍ସ ପିକ୍ଅପ୍ ଗାଡ଼ି ଓ ୨୨ଟି ବାଇକ୍ ଉଦ୍ଧାର କରିଛି।
ଗିରଫଙ୍କ ମଧ୍ୟରେ ବାଇକ୍ ଚୋରି ମାମଲାରେ କୁରୁଲ ଗାଁର ରିତେଶ ବେହେରା(୧୯), ଭରତ ବାରିକ(୪୦), ସନ୍ତୋଷ ବାରିକ(୨୪), ତୁଷୁରା ଥାନା ଅନ୍ତର୍ଗତ ଖର୍ଡା ଗାଁର ସୁଜନ ସାହୁ(୨୫) ଓ ତରଭା ଥାନା ଅନ୍ତର୍ଗତ ନୂଆମୁଣ୍ଡାର ରୁକ୍ମଣ ଦୀପ(୨୫) ରହିଛନ୍ତି। ଆଉ ପିକ୍ଅପ୍ ଭ୍ୟାନ୍ ଚୋରି ମାମଲାରେ ବିକାଶ ଚନ୍ଦ୍ର ସାହୁ(୨୪), ହେମରାଜ ସେଠ(୨୩) ରହିଛନ୍ତି ବୋଲି ଟାଉନ ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ବିଳନୀରେ ସଦର ଏସ୍ଡିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି।
ଏସ୍ଡିପିଓ ଶ୍ରୀ ବାଗ କହିଛନ୍ତି ଯେ ବଲାଙ୍ଗୀର ସହର ସମେତ ବିଭିନ୍ନ ଥାନା ଅଞ୍ଚଳରେ ବାଇକ୍ ଚୋରି ହେଉଥିଲା। ଏନେଇ ପୁଲିସ ଏକ ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ କୁରୁଲ ଗାଁ ଏହାର ପେଣ୍ଠସ୍ଥଳୀ ବୋଲି ଜଣାପଡ଼ିଥିଲା। ପୁଲିସ ବିଭିନ୍ନ ସୂତ୍ରରୁ ଖବର ନେଇ ଚଢ଼ାଉ କରିଥିଲା। ବାଇକ୍ଗୁଡ଼ିକ ଉଦ୍ଧାର କରାଯିବା ସହିତ ଚୋରମାନଙ୍କୁ ଧରାଯାଇଥିଲା। ଚୋରମାନେ ବାଇକ୍ ଚୋରି କରିବା ପରେ ଆଠ ଦଶ ହଜାର ଟଙ୍କାରେ ବିକ୍ରି କରି ଦେଉଥିଲେ। ବିଶେଷ କରି ବୌଦ୍ଧ ଜିଲ୍ଲାରେ ବାଇକ୍କୁ ନେଇ ବିକ୍ରି କରୁଥିଲେ। ସେଠାରେ ଗଂଜେଇ କାରବାର ସହ ଜଡ଼ିତ ରହୁଥିବା ବ୍ୟକ୍ତି ଚୋରି ବାଇକ୍ କିଣୁଥିଲେ। ଆଉ କେତେଜଣ ଚୋରଙ୍କ ନାଁ ମଧ୍ୟ ପୁଲିସ ସୂଚନା ପାଇଛି। ଆଗାମୀ ଦିନରେ ସେମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ସେ କହିଥିଲେ। ଚୋର ଦଳକୁ ଧରିବାକୁ ଗଠନ ହୋଇଥିବା ଟିମ୍ରେ ତାଙ୍କ ସହ ଟାଉନ ଥାନା ଆଇଆଇସି କେ. ପ୍ରିୟଙ୍କା ରାଉତରାୟ, ତୁଷୁରା ଆଇଆଇସି ବି. ରୁଦ୍ରିଆ, ଏସ୍ଆଇ ବିକେ ବେହେରା, ଏସ୍ଆଇ ଏ. ନୟା, ପି. ଓରାମ, କେ. ଖୋସଲା, ଏସ୍. ଛତ୍ରିଆ ରହିଥିଲେ।