ଅଗଷ୍ଟରେ ନିଯୁକ୍ତି ପାଇବେ ୭ ହଜାର ଶିକ୍ଷକ

ଗଣଶିକ୍ଷା ବିଭାଗର ଖର୍ଚ୍ଚଦାବି ପାରିତ

ଭୁବନେଶ୍ବର : ୨୦୨୧-୨୨ରେ ରାଜ୍ୟ ସରକାର ୬,୧୩୧ ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦେଇଥିଲେ। ଏବେ ଦ୍ବିତୀୟ ପର୍ଯ୍ୟାୟରେ ୧୧, ୪୦୩ ଜଣ ନୂଆ ଶିକ୍ଷକଙ୍କୁ ନିଯୁକ୍ତି ଦେବା ପାଇଁ ପ୍ରକ୍ରିୟା ଚାଲିଛି। ଏହା ମଧ୍ୟରୁ ଖୁବ୍ ଶୀଘ୍ର ୭ ହଜାର ଶିକ୍ଷକ ନିଯୁକ୍ତି ପାଇବେ। ଆସନ୍ତା ମାସ ପ୍ରଥମ ସପ୍ତାହରେ ସେମାନଙ୍କୁ ନିଯୁକ୍ତି ପତ୍ର ଦିଆଯିବା ପାଇଁ ବ୍ୟବସ୍ଥା କରାଯାଇଛି। ଏହା ବାଦ୍ ୭୫୦୦ ଶିକ୍ଷକଙ୍କୁ ପଦୋନ୍ନତି ଦିଆଯାଇ ପ୍ରଧାନଶିକ୍ଷକ ଭାବେ ନିଯୁକ୍ତ କରାଯିବ। ଆଜି ବିଧାନସଭାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଖର୍ଚ୍ଚଦାବି ଆଲୋଚନାର ଉତ୍ତର ଦେଲା ବେଳେ ଏହି ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ।

ବିଭାଗର ୨୦,୬୩୫ କୋଟି ୯୭ ଲକ୍ଷ ୯୬ ହଜାର ଟଙ୍କାର ବ୍ୟୟ ଅଟକଳକୁ ବିଧାନସଭାରେ ଅନୁମୋଦନ ମିଳିଛି। ଏହି ଅବସରରେ ମନ୍ତ୍ରୀ କହିଥିଲେ, ସ୍କୁଲ ରୂପାନ୍ତରିତ ହେବା ଯୋଗୁ ବହୁ ପିଲା ସରକାରୀ ସ୍କୁଲ୍‌ ପ୍ରତି ଆକର୍ଷିତ ହେଉଛନ୍ତି। ପ୍ରାୟ ୨ ଲକ୍ଷ ପିଲା ଘରୋଇ ସ୍କୁଲ୍‌ ଛାଡ଼ି ସରକାରୀ ସ୍କୁଲ୍‌ରେ ନାମ ଲେଖାଇଥିବା ଜଣାପଡ଼ିଛି। ଗତ ୪ ବର୍ଷରେ ମୋ ସ୍କୁଲ୍‌ ଅଭିଯାନ ରାଜ୍ୟର ସବୁ ପଞ୍ଚାୟତରେ ପହଞ୍ଚିଛି। ଏହି ଅଭିଯାନ ୩୩,୪୬୮ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟର ଭିତ୍ତିଭୂମି ପରିବର୍ତ୍ତନରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଏହି ଯୋଜନା ବାବଦରେ ଚଳିତ ଆର୍ଥିକ ବର୍ଷ ପାଇଁ ୬୪,୫୯୦.୪୬ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି। ମୋ ସ୍କୁଲ୍‌କୁ ଅଭିଯାନକୁ ଅନ୍ୟ ରାଜ୍ୟମାନେ ଅନୁସରଣ କରିବାକୁ ଆଗେଇ ଆସିଛନ୍ତି। କେନ୍ଦ୍ର ସରକାର ମଧ୍ୟ ସମାନ ଢାଞ୍ଚାରେ ବିଦ୍ୟାଞ୍ଜଳୀ-୨ର ଶୁଭାରମ୍ଭ କରିଛନ୍ତି। ୫-ଟି ଯୋଜନାରେ ବିଦ୍ୟାଳୟ ଭିତ୍ତିଭୂମି ରୂପାନ୍ତରଣ ପାଇଁ ୧୦୦ କୋଟି ଟଙ୍କା ବରାଦ କରାଯାଇଛି। ରୂପାନ୍ତରଣ କାର୍ଯ୍ୟକ୍ରମ ଯୋଜନାର ସୁପରିଚାଳନା ନିମନ୍ତେ ବିଭାଗ ୬ଟି ଟାସ୍କଫୋର୍ସ ଗଠନ କରିଛି। ରାଜ୍ୟରେ ଗୁଣାତ୍ମକ ଶିକ୍ଷାର ମାନ ବୃଦ୍ଧି ନିମିତ୍ତ ମୁଖ୍ୟମନ୍ତ୍ରୀଙ୍କ ତତ୍ତ୍ବାବଧାନରେ ଆମ ବିଭାଗ ନିରନ୍ତର ପ୍ରୟାସ ଜାରି ରଖିଛି ବୋଲି ମନ୍ତ୍ରୀ କହିଥିଲେ।

ସମ୍ବନ୍ଧିତ ଖବର