ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ କୁମଖାଲ ଓ ବେଡ଼ାଗାଁ ପଞ୍ଚାୟତର ସାତଜଣ ଶ୍ରମିକଙ୍କୁ କାମ ଦେବାକୁ ଡାକି ନେଇ ବନ୍ଧକ ସହିତ ଲକ୍ଷେ ଟଙ୍କାର ମୁଣ୍ଡ ଜାମିନ ରଖିବା ଭଳି ଘଟଣା ଲାଞ୍ଜିଗଡ଼ ବ୍ଲକ୍ ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଏପରିକି କେରଳକୁ ଦାଦନ ଖଟିବାକୁ ଯାଇଥିବା ସାତଜଣ ଯୁବକଙ୍କୁ କିଛି ବ୍ୟକ୍ତି କାମ ଦେବା ବାହାନାରେ ଧରିନେଇ ଅଜଣା ସ୍ଥାନରେ ରଖି ପ୍ରବଳ ମାଡ଼ ମାରି ଲହୁଲୁହାଣ କରିବା ସହିତ ଏକଲକ୍ଷ ଟଙ୍କା ଦେଲେ ଛାଡ଼ିଦେବେ ବୋଲି ଧମକ ଦେଇଥିବା ଅଭିଯୋଗ ହୋଇଛି।
ଶେଷରେ ଅନ୍ୟ ଉପାୟ ନପାଇ ପରିବାର ଲୋକେ ଧାରକରଜ କରି ସେମାନଙ୍କ ଏକାଉଣ୍ଟକୁ ଟଙ୍କା ପଠାଇବା ପରେ ଶ୍ରମିକମାନଙ୍କୁ ରେଳ ଷ୍ଟେସନରେ ଆଣି ଛାଡ଼ିଦେବା ପରେ ବଡ଼ କଷ୍ଟରେ ଚାରିଜଣ ଶ୍ରମିକ ଘରକୁ ଫେରିଆସିଛନ୍ତି। ଅନ୍ୟ ତିନିଜଣ ଶ୍ରମିକ ସେଠାରେ ଗୁରୁତର ଭାବେ ଜୀବନ ସହ ସଂଘର୍ଷ କରୁଛନ୍ତି। ଫେରିଥିବା ଚାରି ଶ୍ରମିକଙ୍କ ଆଧାରକାର୍ଡ, ଟଙ୍କା ପଇସା ଓ ମୋବାଇଲ ଛଡ଼ାଇ ନେଇଥିବା ଅଭିଯୋଗ କରିଛନ୍ତି। ଲାଞ୍ଜିଗଡ଼ ବ୍ଲକ୍ ଅଧ୍ୟକ୍ଷାଙ୍କ ପ୍ରତିନିଧି ହରିଶଙ୍କର ପାତ୍ର ଓ କାନକୁଟ୍ରୁ ସରପଞ୍ଚ ବନମାଳୀ ମାଝୀଙ୍କ ଉଦ୍ୟମକ୍ରମେ ସେମାନେ ଦୁବୃର୍ତ୍ତମାନଙ୍କ କବଳରୁ ମୁକୁଳିଥିବା ବେଳେ ସୋମବାର ଗାଁରେ ପହଞ୍ଚିଛନ୍ତି। ପ୍ରଥମେ ସେମାନଙ୍କୁ ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଅଂଚଳର ଦାଦନ ସମସ୍ୟାକୁ ନେଇ କୁମଖାଲ ସରପଞ୍ଚ ତଥା ବ୍ଲକ୍ ସରପଞ୍ଚ ସଂଘ ସଭାପତି ସାନ୍ଦ୍ରୁ ମାଝୀଙ୍କୁ ପଚରାଯିବାରୁ ମନ୍ରେଗା ଯୋଜନାରେ କାମ କରିବାକୁ ଲୋକଙ୍କୁ ସଚେତନ କରାଯାଉଛି, ତଥାପି ସେମାନେ ରାଜ୍ୟ ବାହାରକୁ ଯାଉଥିବାରୁ ଏଥିରେ ସେ କେମିତି ଦାୟୀ ହେବେ ବୋଲି କହିଛନ୍ତି।