ବିଧାନସଭା ଷ୍ଟାଣ୍ଡିଂ କମିଟି ବୈଠକରେ ସଂକଳ୍ପ ପାରିତ : ଏମ୍‌ଏସ୍‌ପିରୁ କମ୍‌ ଦରରେ ଧାନ କିଣିଲେ ୭ ବର୍ଷ ଜେଲ୍‌

ଆଇନ୍‌ରେ ଦଣ୍ଡ ବିଧାନ ବ୍ୟବସ୍ଥା କରିବାକୁ ସରକାରଙ୍କୁ ସୁପାରିସ
କେନ୍ଦ୍ର କୃଷି ଆଇନକୁ ନେଇ ବୈଠକରେ ଅସମହତି

ଭୁବନେଶ୍ୱର : ଚାଷୀଙ୍କଠାରୁ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି)ରୁ କମ୍‌ ଦରରେ ଧାନ କିଣୁଥିବା ବ୍ୟକ୍ତିକୁ ଜାମିନ ବିହୀନ ୭ ବର୍ଷ ଜେଲ୍‌ ଓ ଜରିମାନା ବ୍ୟବସ୍ଥା କରାଯାଉ। ଆଜି ଭିଡିଓ କନଫରେନ୍‌ସିଂ ଜରିଆରେ ଖାଦ୍ୟ ଯୋଗାଣ ବିଭାଗ ସଂକ୍ରାନ୍ତ ବିଧାନସଭା ଷ୍ଟାଣ୍ଡିଂ କମିଟି ବୈଠକରେ ଏ ନେଇ ସଂକଳ୍ପ ପାରିତ ହୋଇଛି। ଆଇନରେ ସଂଶୋଧନ କରି ଆବଶ୍ୟକ ଦଣ୍ତ ବ୍ୟବସ୍ଥା କରିବାକୁ କମିଟି ସରକାରଙ୍କୁ ସୁପାରିସ କରିଛି। ଏହାସହିତ କେନ୍ଦ୍ର ସରକାର ପ୍ରଣୟନ କରିଥିବା ୩ଟି କୃଷି ଆଇନ ଉପରେ ବୈଠକରେ ଅସହମତି ପ୍ରକାଶ ପାଇଛି।

ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ତଥା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସୂଚନା ଦେଇ କହିଛନ୍ତି ଯେ ଗୋଟିଏ ପଟେ ସରକାର ଭଲ ଧାନ ଉତ୍ପାଦନ କରିବା ପାଇଁ ଚାଷୀକୁ ପ୍ରୋତ୍ସାହନ ଓ ବୈଜ୍ଞାନିକ ପ୍ରଣାଳି ଆପଣାଇବାକୁ କହୁଛନ୍ତି। ଅନ୍ୟପଟେ ଚାଷୀ ଯାହା ଉତ୍ପାଦନ କରୁଛି ସେସବୁ ଧାନ ସରକାର କିଣୁନାହାନ୍ତି। ଫଳରେ ଖୋଦ ସରକାର ଚାଷୀଙ୍କୁ ଅଭାବୀ ବିକ୍ରିର ଶିକାର ହେବାକୁ ବାଧ୍ୟ କରୁଛନ୍ତି। ଧାନ ସଂଗ୍ରହ ବେଳେ ସରକାର ଜଳ ସେଚିତ ଜମିରୁ ଉତ୍ପାଦିତ ଧାନ ୧୯ କ୍ବିଣ୍ଟାଲ ଓ ଅଣଜଳସେଚିତ ଜମିର ଉତ୍ପାଦିତ ଧାନ ପାଇଁ ୧୩ କ୍ବିଣ୍ଟାଲ କିଣୁଛନ୍ତି। ବଳକା ଧାନକୁ କିଣୁନାହାନ୍ତି। ଏହାଯୋଗୁଁ ଚାଷୀ ପୁଣି ଥରେ ଦଲାଲମାନଙ୍କ ଦ୍ବାରା ଅଭାବୀ ବିକ୍ରିର ଶିକାର ହେଉଛି। ଏବେ ଏହି ବ୍ୟବସ୍ଥା ଆଉ ଚଳିବ ନାହିଁ। ଜଳ ସେଚିତ ଓ ଅଣ ଜଳସେଚିତ ଜମି ଭିତରେ ପାର୍ଥକ୍ୟ ନ ରଖି ଯାହା ଉତ୍ପାଦନ ହେବ, ସେସବୁ ଧାନ ସରକାର କିଣି ନିଅନ୍ତୁ। ଏ ନେଇ ମଧ୍ୟ ଷ୍ଟାଣ୍ଡିଂ କମିଟି ବୈଠକରେ ସଂକଳ୍ପ ପାରିତ ହୋଇଛି। ଏହା ବ୍ୟତୀତ ପ୍ରତିବର୍ଷ ଧାନ ସଂଗ୍ରହ ପୂର୍ବରୁ କରାଯାଉଥିବା ଚାଷୀ ପଞ୍ଜୀକରଣ ବେଳେ ସମ୍ପୃକ୍ତ ଚାଷୀ କେଉଁ ପଦ୍ଧତିରେ ଚାଷ କରିଛି, କେତେ ଜମିରେ ଚାଷ ହୋଇଛି ଓ କେତେ ଉତ୍ପାଦନ ଲକ୍ଷ୍ୟ ଚାଷୀ ରଖିଛି, ସେ ସମ୍ପର୍କିତ ତଥ୍ୟ ବା ଡାଟା ବେସ୍‌ ପ୍ରସ୍ତୁତ କରିବାକୁ କମିଟି ସରକାରଙ୍କୁ ସୁପାରିସ କରିଛି।

ବୈଠକରେ ଷ୍ଟାଣ୍ଡିଂ କମିଟି ସଦସ୍ୟ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ର, ଅରବିନ୍ଦ ଢାଲି, ସତ୍ୟନାରାୟଣ ପ୍ରଧାନ, ପ୍ରଦୀପ ଦିଶାରୀ, ନିତ୍ୟାନନ୍ଦ ଗଣ୍ଡ, ମଞ୍ଜୁଳା ସ୍ବାଇଁଙ୍କ ସମେତ ବିଭାଗୀୟ ସଚିବ ଓ ବିଧାନସଭା ସଚିବ ଦାଶରଥୀ ଶତପଥୀ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର