ସାତବର୍ଷର ଶ୍ରୀକ୍ଷେତ୍ର ଗଡ଼କୁଜଙ୍ଗ: ଦରପୋଡ଼ା ବିଗ୍ରହରୁ ବ୍ରହ୍ମକୁ ଆଣି ବିଶର ମହାନ୍ତି ପୂଜା କରିଥିଲେ

କୁଞ୍ଜବିହାରୀ ନାମରେ ପୂଜା ପାଆନ୍ତି ମହାପ୍ରଭୁ; ସୁଭଦ୍ରାକ୍ଷେତ୍ର ନାମରେ ନାମିତ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଗଡ଼ କୁଜଙ୍ଗ ସହ ଯୋଡ଼ି ହୋଇ ରହିଛି ମହାପ୍ରଭୁଙ୍କ ଲୀଳାଖେଳାର କିମ୍ବଦନ୍ତୀ। ପ୍ରାୟ ୭ ବର୍ଷ ଧରି ଗଡ଼ କୁଜଙ୍ଗ ଅଞ୍ଚଳ ପାଲଟି ଯାଇଥିଲା ଶ୍ରୀକ୍ଷେତ୍ର। କଳାପାହାଡ଼ ଆକ୍ରମଣରେ ଦରପୋଡ଼ା ବିଗ୍ରହରୁ ବ୍ରହ୍ମକୁ ନେଇ ଆସି ବିଶର ମହାନ୍ତି ଏଇଠି ରଖିଥିଲେ। ତେଣୁ ଗଡ଼କୁଜଙ୍ଗରେ ବି ପାଳନ ହୋଇ ଆସୁଛି ଶ୍ରୀଜିଉଙ୍କ ସ୍ନାନଯାତ୍ରା, ରଥଯାତ୍ରା ଭଳି ପାରଂପରିକ ରୀତିନୀତି। ମନ୍ଦିର ପରମ୍ପରା ସହ ଜଡ଼ିତ ବିଷ୍ଣୁ ଚରଣ ପ୍ରଧାନ ମାଦାଳ ପାଞ୍ଜିର ବର୍ଣ୍ଣନାକୁ ଆଧାର କରି ଗଡ଼କୁଜଙ୍ଗରେ ମହାପ୍ରଭୁଙ୍କ ବ୍ରହ୍ମ ପୂଜା ପାଇବା ସଂପର୍କରେ ସୂଚନା ଦିଅନ୍ତି। ୧୫୬୮ ଖ୍ରୀଷ୍ଟାବ୍ଦରେ କଳାପାହାଡ଼ ପୁରୀ ଶ୍ରୀମନ୍ଦିର ଉପରେ ଆକ୍ରମଣ କରି ୩ ବିଗ୍ରହଙ୍କୁ ଜମ ଦଉଡ଼ିରେ ବାନ୍ଧି କଲିକତାର ହୁଗୁଳି ନେଇ ଯାଇଥିଲା। ସେଠାରେ ତିନି ବିଗ୍ରହଙ୍କୁ ନିଆଁ ଲଗାଇ ଜାଳି ହୁଗୁଳି ନଦୀକୁ ଫିଙ୍ଗି ଦେଇଥିଲା। ବିଶର ମହାନ୍ତି ନାମକ ଜଣେ ବ୍ୟକ୍ତି ସେହିସମୟରେ ତିନି ବିଗ୍ରହଙ୍କ ପିଛା କରିଥିଲେ। କିଛି ବାଟ ଗଲା ପରେ ନଦୀ କୂଳରେ ତିନି ବିଗ୍ରହଙ୍କ ଦରପୋଡ଼ା ମୂର୍ତ୍ତି ଲାଗିଥିଲା। ତିନି ବିଗ୍ରହଙ୍କର ବ୍ରହ୍ମକୁ ଉଦ୍ଧାର କରିଥିଲେ ବିଶର।

ଏକ ମୃଦଙ୍ଗ ଭିତରେ ବ୍ରହ୍ମକୁ ରଖି ସେ ମାଇଲ ମାଇଲ ବାଟ ଚାଲି ଚାଲି କୀର୍ତ୍ତନ କରି ନଦୀ ନାଳ ପାର ହୋଇ ଜଟାଧାର ମୁହାଣ ପାଖରେ ପହଞ୍ଚିଥିଲେ। ସେଠାରୁ ଗଡ଼ କୁଜଙ୍ଗକୁ ଯାଇ ବ୍ରହ୍ମକୁ ରଖି ପୂଜାର୍ଚ୍ଚନା କରିଥିଲେ। କୁଞ୍ଜବିହାରୀ ନାମରେ ସେଠାରେ ରଖି ପୂଜା କରିବାକୁ ବିଶରଙ୍କୁ ଶୂନ୍ୟବାଣୀ ହୋଇଥିଲା। ସେଠାରେ ପତ୍ର କୁଡ଼ିଆଟେ ତିଆରି କରି ବ୍ରହ୍ମଙ୍କୁ ରଖି ପୂଜା କରିଥିଲେ ବିଶର। ପରେ ଏ ସଂପର୍କରେ କୁଜଙ୍ଗ ଗଡ଼ର ରାଜାଙ୍କୁ ମହାପ୍ରଭୁଙ୍କ ସ୍ବପ୍ନାଦେଶ ହୋଇଥିଲା। ଫଳରେ କୁଜଙ୍ଗ ଗଡ଼ର ରାଜା ବିଶର ମହାନ୍ତିଙ୍କ ଠାରୁ ବ୍ରହ୍ମ ଉଦ୍ଧାର କଲେ। ୧୫୭୫ରେ ପୁରୀର ରାଜା ରାମଚନ୍ଦ୍ର ଦେବ ଶ୍ରୀକ୍ଷେତ୍ରର ପୁନରୁଦ୍ଧାର କରି ସାରିବା ପରେ ବିଗ୍ରହ ନ ଥିବାରୁ ଶ୍ରୀମନ୍ଦିରରେ ଅଧିଆ ପଡ଼ିଲେ। କୁଜଙ୍ଗ ଗଡ଼ରେ ବ୍ରହ୍ମ ପୂଜା ପାଉଥିବା ସଂପର୍କରେ ମହାପ୍ରଭୁ ତାଙ୍କୁ ସ୍ବପ୍ନାଦେଶ କଲେ। ରାଜାଙ୍କ ସ୍ବପ୍ନାଦେଶ ଜାଣିବା ପରେ ପଞ୍ଚଶଖା ଅନନ୍ତପୁର(ଏବେର କୁଜଙ୍ଗ) ପର୍ଯ୍ୟନ୍ତ ଆସି ଫେରିଗଲେ। କୁଜଙ୍ଗ ଠାରୁ ୬/୭ କୋଷ ଦୂରରେ ବ୍ରହ୍ମ ରହିଛି। କିନ୍ତୁ ଘଞ୍ଚ ଜଙ୍ଗଲ ଯୋଗୁ ସେଠାରେ ପହଞ୍ଚିବା ସମ୍ଭବ ହେଲା ନାହିଁ ବୋଲି ପଞ୍ଚଶଖା ଗଜପତି ମହାରାଜାଙ୍କୁ ଜଣାଇଲେ। ଫଳରେ ଖୋର୍ଦ୍ଧା ରାଜାଙ୍କ ପୁଅ ବଡ଼ ପଦ୍ମନାଭ ପଟ୍ଟନାୟକ ବ୍ରହ୍ମର ସନ୍ଧାନ ନେବାକୁ ଆସିଲେ। କିନ୍ତୁ ସେ ବି ଉଦ୍ଧାର କରି ନପାରିବାରୁ କୁଜଙ୍ଗ ରାଜାଙ୍କ ସହ ଆଲୋଚନା କରି ବ୍ରହ୍ମକୁ ପୁରୀ ‌ଶ୍ରୀକ୍ଷେତ୍ର ନେବା ଯୋଜନା କଲେ।

ଦୁଇ ରାଜାଙ୍କ ଭିତ‌ରେ ବୁଝାମଣା ଅନୁଯାୟୀ ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କ ବ୍ରହ୍ମ ଶ୍ରୀକ୍ଷେତ୍ରକୁ ଗଲା। କିନ୍ତୁ ଦେବୀ ସୁଭଦ୍ରାଙ୍କ ବ୍ରହ୍ମ ଗଡ଼ କୁଜଙ୍ଗରେ ରହିଲା। ଶ୍ରୀକ୍ଷେତ୍ରକୁ ବ୍ରହ୍ମ ଯିବା ସମୟରେ ବିଶର ମହାନ୍ତିଙ୍କୁ ମଧ୍ୟ ରାଜା ସାଙ୍ଗରେ ନେଇଗଲେ। ସେଠାରେ ତାଙ୍କୁ ତାଟି ସେବା ଅଧିକାର ଦିଆଗଲା। ଗଡ଼ କୁଜଙ୍ଗରେ ବିଗ୍ରହ ତିଆରି ହେଲା। ତେଣୁ ଏହାକୁ ସାତ ବର୍ଷର ଶ୍ରୀକ୍ଷେତ୍ର କୁହାଯାଏ। କୁଞ୍ଜବିହାରୀଙ୍କ ନାମରେ ପରିଚିତ ଏହି ମନ୍ଦିରରେ ସୁଭଦ୍ରାଙ୍କ ବ୍ରହ୍ମ ଥିବାରୁ ତାହାକୁ ସୁଭଦ୍ରା କ୍ଷେତ୍ର ମଧ୍ୟ କୁହାଯାଏ। ପୁରୀରେ ମହାପ୍ରଭୁଙ୍କ ରଥ ଟଣାର ଗୋଟିଏ ଦିନ ପରେ ଏଠାରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଏ।

ଅନ୍ୟପକ୍ଷରେ, ବିଶର ମହାନ୍ତିଙ୍କ ସମ୍ପର୍କରେ କୌଣସି ଠିକ୍ ତଥ୍ୟ ଏଯାଏ ନାହିଁ। ତାଙ୍କୁ କେହି କେହି ଯାଜପୁରର ବାସିନ୍ଦା କହୁଥିବା ବେଳେ ଆଉ କେହି କେହି ବାଲେଶ୍ବର ବାସିନ୍ଦା ମଧ୍ୟ କୁହନ୍ତି। ଖେଦିରପୁର ଡକ୍‌ରେ ସେ ସେତେବେଳେ ଶ୍ରମିକ ଭାବେ କାମ କରୁଥିବା କେହି କହୁଥିବା ବେଳେ ଆଉ କେହି କବିରାଜ ବୋଲି ମଧ୍ୟ କୁହନ୍ତି।

ସମ୍ବନ୍ଧିତ ଖବର