୨ ମାସର ଭାଇକୁ ସମ୍ଭାଳୁଛି ୭ ବର୍ଷର ଭଉଣୀ, ଆଗପଛ ହୋଇ ଚାଲିଗଲେ ବାପାମା’

ଭୁବନେଶ୍ବର : କଅଁଳ ବୟସରେ ବାପା, ମା’ଙ୍କୁ ଛଡ଼ାଇ ନେଲା କରୋନା। ଦୁନିଆକୁ ଭଲ କରି ଦେଖିବା ଆଗରୁ ଛେଉଣ୍ଡ ହୋଇଗଲେ ଭାଇ-ଭଉଣୀ। ବାପା, ମା’ ଚାଲିଗଲା ପରେ କାନ୍ଦୁଥିବା ଦୁଇ ମାସର ଭାଇକୁ ଝୁଲଣାରେ ଝୁଲାଇ ବୁଝାଇ ଦେଉଛି ୭ ବର୍ଷର ଭଉଣୀ। ସାନଭାଇ ଓମ୍‌କୁ ସିନା ବୁଝାଇ ଦେଉଛି, ହେଲେ ନିଜ ଛାତି ଭିତର କୋହକୁ ସମ୍ଭାଳି ପାରୁନି କୁନି ଝିଅ କ୍ରିଷ୍ଣା କୁମାରୀ। କାହାକୁ କିଛି କହିପାରୁ ନ ଥିଲେ ମଧ୍ୟ ମନେ ମନେ ‌ବାପା, ମା’ଙ୍କୁ ଖୋଜୁଛି।

ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍‌ ନିମାତପୁର ଗାଁର ରାମନାରାୟଣ ପଣ୍ଡାଙ୍କ ସାନ ପୁଅ କମଳେଶ ପଣ୍ଡା ପୂର୍ବତଟ ରେଳପଥ ମୁଖ୍ୟାଳୟର ସେଫ୍ଟି ଡିପାର୍ଟମେଣ୍ଟର କର୍ମଚାରୀ ଭାବେ ଭୁବନେଶ୍ବରରେ କାର୍ଯ୍ୟରତ ଥିଲେ। ତାଙ୍କ ପତ୍ନୀ ସ୍ମିତା ପଣ୍ଡା କଟକସ୍ଥିତ ଆଚାର୍ଯ୍ୟ ହରିହର କର୍କଟ ହସ୍ପିଟାଲରେ ଷ୍ଟାଫ୍‌ ନର୍ସ ଭାବେ କାମ କରୁଥିଲେ। ପତି-ପତ୍ନୀ ଦୁହେଁ ଚାକିରି କରିଥିବାରୁ ସେମାନଙ୍କର ୭ ବର୍ଷର ଝିଅ କ୍ରିଷ୍ଣାର ଦେଖାଶୁଣା କରୁଥିଲେ ସ୍ମିତାଙ୍କ ବଡ଼ଭଉଣୀ ସୁମତି। ସ୍ମିତା ୯ ମାସର ଗର୍ଭବତୀ ଥିବା ସତ୍ତ୍ବେ ନିୟମିତ ମେଡିକାଲ୍‌ ଡ୍ୟୁଟିକୁ ଯାଉଥିଲେ। ଏପ୍ରିଲ ୮ ତାରିଖ‌ରେ ସେ ଅସୁସ୍ଥତା ଅନୁଭବ କରିବାରୁ ତହିଁ ପରଦିନ ତାଙ୍କର କୋଭିଡ୍ ଟେଷ୍ଟ କରାଗଲା। ସେ ପଜିଟିଭ୍ ଆସିବାରୁ ତାଙ୍କୁ ସମ୍‌ ହସ୍ପିଟାଲକୁ ନିଆଗଲା ଏବଂ ୧୫ ତାରିଖରେ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଲେ। ନବଜାତକ କିନ୍ତୁ କୋଭିଡ୍‌ ନେଗେଟିଭ୍ ଥିଲା। ୧୭ ତାରିଖରେ ସ୍ମିତା ହସ୍ପିଟାଲରୁ ଡିସଚାର୍ଜ ହୋଇ ଆସିଲେ ମଧ୍ୟ ପୁଣି ଅସୁସ୍ଥ ହୋଇ ପଡ଼ିଲେ। ତେଣୁ ୨୧ ତାରିଖରେ ତାଙ୍କୁ ପୁଣିଥରେ ସମ୍ କୋଭିଡ୍ ହସ୍ପିଟାଲକୁ ନିଆଗଲା। ସେଠାରେ ଅବସ୍ଥା ସଂକଟାପନ୍ନ ହେବାରୁ ପରିବାରବର୍ଗ ସ୍ମିତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲକୁ ନେଇଆସିଲେ। କିନ୍ତୁ ଡାକ୍ତରଙ୍କ ଶତ ଚେଷ୍ଟା ସତ୍ତ୍ବେ ମେ’ ୨ ତାରିଖରେ ସ୍ମିତା ଆଖି ବୁଜିଲେ।

ପତ୍ନୀ ଆଖି ବୁଜିବା ପରେ କମଲେଶ ଭାଙ୍ଗି ପଡ଼ିଥିଲେ। ପତ୍ନୀଙ୍କ କ୍ରିୟାକର୍ମ ପାଇଁ ପୁଅ ଓ ଝିଅକୁ ଧରି ସେ ନିଜ ଗାଁ ନିମାତପୁରକୁ ଯାଇଥିଲେ ଏବଂ ବଡ଼ଭାଇ ଓ ଭାଉଜଙ୍କ ପାଖରେ ପୁଅ, ଝିଅଙ୍କୁ ଛାଡ଼ି ଆସିଥିଲେ। ସଂଗରୋଧରେ ଥିବା କମଲେଶ ମେ’ ୬ ତାରିଖରେ ସ୍ଥାନୀୟ ହସ୍ପିଟାଲରେ ନିଜ କରୋନା ଟେଷ୍ଟ କରାଇବା ପରେ ରିପୋର୍ଟ ମଧ୍ୟ ନେଗେଟିଭ୍‌ ଆସିଥିଲା। ମାତ୍ର ତାଙ୍କ ଶରୀରରେ କରୋନା ଲକ୍ଷଣ ଦେଖା ଦେବାରୁ ୩ ଦିନ ପରେ ସେ ଭୁବନେଶ୍ବର ଚାଲି ଆସି ପୁଣିଥରେ ଟେଷ୍ଟ କରିଥିଲେ। ରିପୋର୍ଟ ପଜିଟିଭ୍‌ ଆସିବାରୁ ସେ ୧୨ ତାରିଖରେ ପ୍ରଥମେ ରେଳବାଇ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲ୍‌ର ଆଇସିୟୁରେ କମଳେଶଙ୍କୁ ଭର୍ତ୍ତି କରାଯାଇଥିଲା। ଆଇସିୟୁରେ ୧୫ ଦିନ ରହିବା ପରେ ଜୁନ ୯ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା।

ମାତ୍ର ଏକ ମାସ ବ୍ୟବଧାନରେ ପତି-ପତ୍ନୀ ଦୁଇ ଶିଶୁଙ୍କୁ ଛାଡ଼ି ଆଗପଛ ହୋଇ ଆରପାରିକୁ ଚାଲିଯିବାରୁ ତାଙ୍କ ଗାଁରେ ଶୋକର ଛାୟା ଖେଳି ଯାଇଛି। ଏତେ କଅଁଳ ବୟସରେ ବ‌ାପାମା’ଙ୍କୁ ହରାଇ ୭ ବର୍ଷର ଝିଅ କ୍ରିଷ୍ଣା ଦୁଃଖରେ ମ୍ରିୟମାଣ ହୋଇ ଯାଇଥିଲେ ମଧ୍ୟ ଭାଙ୍ଗି ପଡ଼ିନାହିଁ। ସେ ନିଜର ଦୁଇମାସର ସାନଭାଇକୁ କୋଳରେ ଧରି କେତେବେଳେ କ୍ଷୀର ପିଆଉଛି ତ କେତେବେଳେ ଝୁଲଣାରେ ଝୁଲାଇ ଶୁଆଇ ଦେଉଛି। ପଚାରିଲେ କହୁଛି, ବାପାମା’ ଚାଲିଗଲେ କ’ଣ ହେଲା, ମୋ ଭାଇକୁ ମୁଁ ମଣିଷ କରିବ। ତା’ର କଅଁଳ କଣ୍ଠରୁ ଏଭଳି କଥା ଶୁଣି ଘର ଲୋକେ ଲୁହ ସମ୍ବରଣ କରିପାରୁ ନାହାନ୍ତି। ଅନ୍ୟପକ୍ଷରେ ବାପାମା’ ଛେଉଣ୍ଡ ଏଇ ଛୋଟ ପିଲା ଦୁଇଟିର ଭବିଷ୍ୟତ ନେଇ ପରିବାରବର୍ଗ ଚିନ୍ତାରେ ଥିବାବେଳେ ଆମେ ପିଲାଦ୍ବୟଙ୍କୁ ଲାଳନପାଳନ କରିବୁ ବୋଲି ମାମୁ ହରିଚନ୍ଦନ କହିଛନ୍ତି।

ସମ୍ବନ୍ଧିତ ଖବର